ତାଲପାଲିପଡା ଶ୍ରୀରାମ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କଳିକେଶ

  • କଲ୍ୟାଣମଣ୍ଡପ ଓ ବନ୍ଧ ପୁନଃଉଦ୍ଧାର କାମ ଭେଟିଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି । ଆଜି ଶେଷଦିନରେ ହୋମଯଜ୍ଞ ସହିତ ପ୍ରଭୁ ଶ୍ରୀରାମ, ସିତାମାତା, ଲକ୍ଷ୍ମଣ ଓ ଭକ୍ତ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା । ତାଲପାଲିପଡା ଅଞ୍ଚଳର ଲୋକଙ୍କ ମନସ୍କାମନା ଆଜି ପୂର୍ଣ୍ଣ ହୋଇଛି । ବହୁବର୍ଷ ହେଲା ମନ୍ଦିର ନିର୍ମାଣ କରି ବିଗ୍ରହ ସ୍ଥାପନ ପାଇଁ ଲୋକଙ୍କ ଆଗ୍ରହ ଥିଲା । କଳିକେଶ ନାରାୟଣ ସିଂହଦେଓ ସାଂସଦ ଥିବା ବେଳେ ଅନୁଦାନ ଦେଇ ମନ୍ଦିର ନିର୍ମାଣ କାମ ଆରମ୍ଭ କରାଇଥିଲେ । ପରେ ପୌରପରିଷଦ ପକ୍ଷରୁ ବିଭିନ୍ନ ଯୋଜନାର ଅନୁଦାନ ଦିଆଯାଇଥିଲା । ଗତବର୍ଷ ମନ୍ଦିରର କାମ ସଂପୂର୍ଣ୍ଣ ହୋଇ ରତ୍ନମୁଦ ପଡିଥିଲା । ଏବେ ମନ୍ଦିର ପ୍ରତିଷ୍ଠା ସହିତ ବିଗ୍ରହ ସ୍ଥାପନ କରାଯାଇଛି । ଆଜି ଦିନ ୧୨ଟାରେ ବିଧାୟକ ଶ୍ରୀ ସିଂହଦେଓ ଓ ପୌରାଧ୍ୟକ୍ଷା ଲିକା ସାହୁ, ସ୍ଥାନୀୟ କାଉନସିଲର ଅରବିନ୍ଦ ପରୁଆ ମନ୍ଦିର ଉନ୍ନୟନ କାମର ଶୁଭ ଉଦଘାଟନ କରିଥିଲେ । ଗତ ୨୨ ତାରିଖଠାରୁ ଏହି ଶ୍ରୀରାମ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ଚବିଶପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିଲା । ଭବ୍ୟ କାର୍ଯ୍ୟକ୍ରମକୁ ଆୟୋଜକ କମିଟିର ସଭାପତି ଭାବରେ ଚନ୍ଦ୍ରମଣୀ ତ୍ରୀପାଠୀ, ଉପସଭାପତି – ଋଷଭ ପୁଟେଲ, ଜାହ୍ନବୀ ନାଏକ, ସଂପାଦକ ଅରବିନ୍ଦ ପରୁଆ, ସହସଂପାଦକ ଅଶ୍ୱିନୀ ସାଏ, କୋଷାଧ୍ୟକ୍ଷ ମହେନ୍ଦ୍ର ସାଏ, ସହକୋଷାଧ୍ୟକ୍ଷ ଦୁର୍ବାଦଳ ପଟେଲ ଉପସ୍ଥିତ ରହି ପରିଚାଳନା କରିଥିଲେ । ମନ୍ଦିର ପ୍ରତିଷ୍ଠା କର୍ତ୍ତା ଭାବରେ ଦେବାନନ୍ଦ ପଟେଲ ଓ ତାଙ୍କ ଧର୍ମପତ୍ନୀ ଜୟନ୍ତି ପଟେଲ, ଚବିଶ ପ୍ରହରୀ ନାମ ଯଜ୍ଞରେ କର୍ତ୍ତାଭାବେ ରାମକୃଷ୍ଣ ସାଏ ଓ ତାଙ୍କ ଧର୍ମପତ୍ନୀ ଦିପ୍ତିମୟୀ ସାଏ ରହିଥିବା ବେଳେ ପ୍ରାୟ ୧୫ ଯୋଡି ପତିପତ୍ନୀ ପ୍ରତ୍ୟହ ହୋମରେ କର୍ତ୍ତାରୂପେ ସାମିଲ ହେଉଥିଲେ । କଅଗାଁର ସୁଶାନ୍ତ ମିଶ୍ର ମୁଖ୍ୟପୂଜକ ଦାୟିତ୍ୱ ନେଇଥିଲେ । ବିଧାୟକଙ୍କ ଏହି ଗସ୍ତବେଳେ ପୌରାଧ୍ୟକ୍ଷା ଲିକା ସାହୁ, ଦେବଦତ୍ତ ବେହେରା, କମିଟିର ସଭାପତି ଚନ୍ଦ୍ରମଣୀ ତ୍ରୀପାଠୀ, ବରିଷ୍ଠ ବିଜେଡି ନେତା ଧୃବ ଜୁଏଡ, କାଉନସିଲର ଅରବିନ୍ଦ ପରୁଆ ଓ ପୂର୍ବତନ କାଉନସିଲର ଅଶ୍ୱିନୀ ପୁଟେଲ ତଥା ଅନ୍ୟାନ୍ୟ ପଡାବାସୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଧାୟକ ଉନ୍ନତିକରଣ ହେବାକୁ ଥିବା ତାଲପାଲି ବନ୍ଧ ଓ ନିର୍ମାଣ ଚାଲିଥିବା କଲ୍ୟାଣମଣ୍ଡପକୁ ପଡାବାସୀଙ୍କୁ ରାମନବମୀର ଭେଟି ଦେଇଥିଲେ । ଗତ ସାଧାରଣ ନିର୍ବାଚନବେଳେ ବିଧାୟକ କଳିକେଶଙ୍କୁ ସ୍ଥାନୀୟ ଲୋକେ ଏଠାରେ ଏକ କଲ୍ୟାଣମଣ୍ଡପ ପାଇଁ ଦାବି କରିଥିଲେ । ଠିକ ସେହିପରି ତାଲପାଲିପଡା ଗାଧୁଆବନ୍ଧର ପଙ୍କୋଦ୍ଧାର ପାଇଁ ମଧ୍ୟ ଦାବି କରିଥିଲେ । ଏବେ ଉଭୟକାମ ଆରମ୍ଭ ହୋଇଛି । ବିଧାୟକଙ୍କ ଏହି ପରିଦର୍ଶନ ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ, ଜେଇ ଓ ଠିକସଂସ୍ଥାର ମାଲିକ ଉପସ୍ଥିତ ରହିଥିଲେ । ସ୍ଥାନୀୟ କାଉନସିଲରଙ୍କ ପ୍ରତିନିଧିଙ୍କ ସହିତ ପଡାବାସୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.