ପ୍ରଣତି ବେହେରାଙ୍କ କବିତା ସଂକଳନ ‘ନବଘନର ଘର’ ଉନ୍ମୋଚିତ

  • ସାହିତ୍ୟ କୌଣସି ଧାରାରେ ବାନ୍ଧି ହୁଏନା, ବରଂ ଅନ୍ୟର ମରମ କଥା କହିଥାଏ

ରାଉରକେଲା, (ସସ୍ମିତା ପ୍ରଧାନ) : କବି ପ୍ରଣତି ବେହେରାଙ୍କ ପ୍ରଥମ କବିତା ସଂକଳନ ‘ନବଘନର ଘର’ ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ସୁନ୍ଦରଗଡ଼ ପବ୍ଲିକ ସ୍କୁଲ ପ୍ରେକ୍ଷାଳୟରେ ଆୟୋଜିତ ସାରସ୍ୱତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ରାଜକିଶୋର ଷଡ଼ଙ୍ଗୀ ଯୋଗଦେଇ କବି ଶ୍ରୀମତୀ ବେହେରାଙ୍କ କାବ୍ୟ ସଂକଳନ ଉପରେ ଆଲୋଚନା କରିଥିଲେ । ‘କୌଣସି କବିତା ଗୋଟିଏ ଧାରାରେ ବାନ୍ଧି ହୋଇ ରହେନା, ତେବେ ଅନ୍ୟର ମରମ କଥା ଯଦି ତହିଁରେ ପରିଦୃଷ୍ଟ ହୁଏ, ତେବେ ତାହା ସାହିତ୍ୟ । ନବଘନର ଘରରେ ତାହା ପ୍ରତିଫଳିତ ହୋଇଥିବା ସେ କହିଥିଲେ । ମୁଖ୍ୟବକ୍ତା ଭାବେ କବି ତଥା ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ହୋତା ଯୋଗଦେଇ କାବ୍ୟ ପୁସ୍ତକ ଉପରେ ଦୃଷ୍ଟିପାତ କରିବା ସହ ‘ସରଳ ସାଧାରଣ ମଣିଷ ଯାହା କହିପାରେନା, ତାହା ସାହିତ୍ୟ କହେ କବିତା ହେଉଛି ପ୍ରତିବାଦର କଳା ବୋଲି ସେ କହିଥିଲେ । କବି ତ୍ରିନାଥ ସିଂହଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉନ୍ମୋଚନ ପର୍ବରେ ମୁଖ୍ୟ ଆଲୋଚକ ପ୍ରାଧ୍ୟାପକ ଡ. ନୂତନ ଖମାରୀ କବିତା ପୁସ୍ତକରେ ପ୍ରତିଫଳିତ ବିଭିନ୍ନ ଚେତନାକୁ ଏକବିଂଶ ଶତାବ୍ଦୀର ପୃଷ୍ଠଭୂମିରେ ଆଲୋଚନା କରିଥିବାବେଳେ ଅଧ୍ୟାପକ ଡ. ନଗେନ୍ ଦାସ୍ ହଜି ଯାଉଥିବା ମୂଲ୍ୟବୋଧକୁ ନେଇ କବି ବେଶ୍ ଚିନ୍ତିତ ଥିବା ପ୍ରକାଶ କରିବା ସହ କବିତାର ଗତି ଓ ପ୍ରଗତି ସହ ନବଘନର ଘର ପୁସ୍ତକ ସଂକଳିତ କବିତା ଗୁଡ଼ିକରେ ସାଂପ୍ରତିକ ସମାଜର ବିଭିନ୍ନ ଅବ୍ୟବସ୍ଥା ଓ ଅବକ୍ଷୟକୁ ପ୍ରତିବିମ୍ବିତ କରୁଛି, ସେ ଉପରେ ଆଲୋକପାତ କରିଥିଲେ । କବି ଗୋପକୃଷ୍ଣ ନାୟକ କବିତା ଗୁଡ଼ିକରେ ସନ୍ନିହିତ ଏକ ସୁଦୃଢ଼ କାହାଣୀ ଓ କଥା ବସ୍ତୁକୁ ଚମତ୍କାର କାବ୍ୟିକ ପରିଭାଷାରେ ଉପସ୍ଥାପନା କରିଥିବାର ଚାତୁର୍ଯ୍ୟ ସଂପର୍କରେ ଉଲ୍ଲେଖ କରିଥିଲେ । ପ୍ରାରମ୍ଭରେ ଗାଳ୍ପିକ ବିବିଧ ବିଶ୍ଵଙ୍କ ପ୍ରାକ୍‌ଭାଷ ପରେ କଣ୍ଠଶିଳ୍ପୀ ସସ୍ମିତା ସାହୁ ଦୀପଂଜ୍ୟୋତି ମନ୍ତ୍ର ପାଠ କରିବା ସହ ଓ ପ୍ରଣତିଙ୍କ ମଧୁମୟ କବିତାକୁ ସଂଗୀତର ରୂପ ଦେଇ ପରିବେଷଣ କରିଥିଲେ । କବିତା ସଂକଳନ ଉନ୍ମୋଚନ ପରେ କବି ଶ୍ରୀମତୀ ବେହେରା ନିଜକଥା ରଖିଥିଲେ । ଏହି ଅବସରରେ କବି ପ୍ରଣତିଙ୍କ ରଚିତ ନିର୍ବାଚିତ କବିତା ପାଠ କରିଥିଲେ ସୁସ୍ମିତା ମହାପାତ୍ର, ରଶ୍ମି ସାହୁ, ବିଜୟିନୀ ଜେନା, ସ୍ମିତା ମିଶ୍ର, ଲୋପାମୁଦ୍ରା ମିଶ୍ର, ସୁଷମା ପଟେଲ, ସ୍ନିଗ୍ଧା ନାୟକ । କବି ଭିକାରୀ ଚରଣ ଚୌଧୁରୀ, କବି ବିଶ୍ୱ ରଂଜନ ହୋତା, ଅଧ୍ୟାପିକା ସୁସ୍ମିତା ଯୋଶୀ ପାଠକୀୟ ଅଭିମତ ରଖିଥିଲେ । ଧନ୍ୟବାଦ ଦେଇଥିଲେ କବି ଗଣେଶ ତ୍ରିପାଠୀ । ପରବର୍ତ୍ତୀ ପର୍ଯ୍ୟାୟରେ କବି ପରେଶ ବିଶ୍ୱାଳଙ୍କ ସଭାପତିତ୍ୱ ଏବଂ ସାହିତ୍ୟିକ ଶିବାଶିଷ ପାଢ଼ୀ ଓ ସ୍ନିଗ୍ଧା ନାଏକଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ କବି ଅଶୋକ ପଟ୍ଟନାୟକ, ବିଶ୍ଵ ରଞ୍ଜନ ହୋତା, ସତ୍ୟଭାମା ପଟେଲ, ନିତମ୍ବିନୀ କର, ମୀନାରାଣୀ ସହାୟ, ଆଶିଷ ଭୋଇ, ପ୍ରତାପ ପଣ୍ଡା, ଶ୍ୟାମପଦ ମିଶ୍ର, ଉଦିତ ନାଏକ, ପୁଷ୍ପଲତା ପାଣିଗ୍ରାହୀ, ରଶ୍ମି ସାହୁ, ନିଶିକାନ୍ତ ମିଶ୍ର, ସସ୍ମିତା ମହାପାତ୍ର, ସ୍ମିତା ମିଶ୍ର, ଅଶୋକ ରାଉତ, ସ୍ନିଗ୍ଧା ନାୟକ, ତ୍ରିନାଥ ସିଂହ, ପରେଶ ବିଶ୍ଵାଳ ଓ କୃଷ୍ଣଚନ୍ଦ୍ର ପଟେଲ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଉତ୍ସବରେ ରାଉରକେଲା, ସୁନ୍ଦରଗଡ଼, ବଣେଇଗଡ଼, ରାଜଗାଙ୍ଗପୁର ଆଦି ଅଞ୍ଚଳରୁ ଶତାଧିକ ସାହିତ୍ୟିକ ଯୋଗଦେଇଥିଲେ ।

Leave A Reply

Your email address will not be published.