ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଗୁରୁବାର ଗୋଧୂଳି ଲଗ୍ନରେ ପାରମ୍ପରିକ ନୀତି ଅନୁଯାୟୀ ହରିହର ଭେଟ ପାରସ୍ପରିକ ଫଗୁ ବିନିମୟରେ ଉଦଯାପିତ ହୋଇଯାଇଛି । ୮ତାରିଖ ମଧ୍ୟରାତ୍ରରୁ ଆକର୍ଷଣୀୟ ଆତସବାଜୀ ବାଣ ପ୍ରଦର୍ଶନୀ ମଧ୍ୟରେ ସ୍ଥାନାଧିପତି ପଶ୍ଚିମ ଶମ୍ଭୁ ସୋମନାଥ ଦେବଙ୍କ ସହ ଆଖପାଖ ଗ୍ରାମର ୮୫ ଠାକୁରଙ୍କ ବିମାନର ଜମାଣ ଉତ୍ସବ ସମ୍ପନ ହୋଇଥିଲା । ରଙ୍ଗ ବେରଙ୍ଗର ଆତସବାଜିର ଆଲୋକମାଳା ହରିବୋଲ ହୁଳହୁଳି ଧ୍ୱନିରେ ମୁଖରିତ ହୋଇଉଠିଛି, ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ପଡିଆ । ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଏହି ପ୍ରସିଦ୍ଧ ପଡିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଜନ ସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା । ଏହି ଐତିହାସିକ ମେଳଣ ଗଜପତି ନରସିଂହ ଦେବଙ୍କ ଶାସନ ସମୟରେ ୧୬୩୭ ଖ୍ରୀଷ୍ଟାବ୍ଦ ପୂର୍ବରୁ ଅନୁଷ୍ଠିତ ହୋଇଆସୁଥିବା ଲିଖିତ ସନ୍ଦର୍ଭରୁ ଜଣାପଡେ । ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ ଏକ ସୁସଜ୍ଜିତ ଦୋଳ ବିମାନରେ ମନ୍ଦିରର ପଶ୍ଚିମ ଦ୍ୱାରରୁ ବାହାରି ବିରାଟ ପଟୁଆରରେ ମେଳଣ ପଡିଆକୁ ଯାତ୍ରା ଆରମ୍ଭ କରିଥିଲେ, ମେଳଣପଡିଆ ପ୍ରବେଶ ପଥରେ ଶ୍ରୀ ଗୋପାଳଜୀଉ ଓ ବାଳମୁକୁନ୍ଦଦେବଙ୍କସହ ମିଶିବା ପରେ ଆତସବାଜି ପ୍ରଦର୍ଶନ ଆରମ୍ଭ ହୋଇଥିଲା । ରାଜତନ୍ତ୍ର ସମୟରେ ତତ୍କାଳିନ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଦେବ ବିଗ୍ରହ ବୁଢାପଡ଼ାର ଆରାଧ୍ୟ ଶ୍ରୀ ସୋମନାଥ ଦେବ, ଛଣଘର’ର ଶ୍ରୀ ଗତେଶ୍ୱର ଦେବ, କନ୍ତିଆ ଗ୍ରାମର ଶ୍ରୀ ବାଲୁଙ୍କେଶ୍ୱର ଦେବ ଓ ଟାଙ୍ଗି ଭଂସର ଗ୍ରାମର ଶ୍ରୀ ନୀଳକଣ୍ଠେଶ୍ଵର ଦେବ ଏହି ମେଳଣରେ ଅଂଶ ଗ୍ରହଣ କରିଥିବା ବେଳେ ବିଭିନ୍ନ ଗ୍ରାମରୁ ପ୍ରାୟ ୮୫ରୁ ଅଧିକ ଠାକୁରଙ୍କ ଦୋଳବିମାନ ଏହି ମେଳଣରେ ମଣ୍ଡପାରୁଢ଼ ହୋଇ ଅଂଶ ଗ୍ରହଣ କରିଥିଲେ । ମେଳଣର ମୁଖ୍ୟ ଆକର୍ଷଣ ହେଉଛି ଗୋପାଳଜିଉ, ବାଳମୁକୁନ୍ଦଦେବ, ଶ୍ରୀ ପଶ୍ଚିମାସମ୍ଭୁ ସୋମନାଥ ଦେବଙ୍କ ସୁସଜ୍ଜିତ ଦୋଳ ବିମାନ ସହିତ ସଲଠଣ ଓ ଆତସବାଜି ପ୍ରଦର୍ଶନ । ରଙ୍ଗ, ବେରଙ୍ଗ ଆଲୋକମାଳା ଓ ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନରେ ସମଗ୍ର ଅଞ୍ଚଳ ଝଲସି ଉଠିଥିଲା । ପାରମ୍ପରିକ ଘୋଡ଼ାନାଚ, ନାଗାନୃତ୍ୟ, ଭଜନ, କୀର୍ତ୍ତନ, ଘଣ୍ଟ’ଘଣ୍ଟା, ତୂରୀ, ଶଙ୍ଖ ଓ ହରିବୋଲ ହୁଳହୁଳି ଧ୍ୱନିରେ ମେଳଣ ପଡିଆରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ପ୍ରାୟ ଅଧ କିଲୋମିଟରରୁ ଅଧିକ ଲମ୍ବା ରାସ୍ତାରେ ଆତସବାଜି ପ୍ରଦର୍ଶନ ହୋଇଥିଲା । ଏଥିରେ ପୁରୀ, ବ୍ରହ୍ମପୁର, ଗଞ୍ଜାମ, କଟକ, ଖୋର୍ଦ୍ଧା, ଡେଲାଙ୍ଗ, କଣାସ ଅଞ୍ଚଳର ମାନସିକ ଧାରି ବାଣ କାରିଗରମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ହାତ ତିଆରି ବାଣ ରାତିର ଅନ୍ଧାର ଆକାଶରେ ରଙ୍ଗ ବେରଙ୍ଗ ଆଲୋକମାଳା ଦୃଶ୍ୟମାନ ହୋଇଥିଲା । ମେଳଣରେ ପ୍ରାୟ ୮ରୁ ୧୦ଲକ୍ଷ ଲୋକଙ୍କ ସମାଗମ ହୋଇଥିବା ଲକ୍ଷ କରାଯାଇଛି, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ଆଡି୍ସୀନାଲ ଏସପି ସଚିନ ପଟେଲ, ପିପିଲି ଏସଡିପିଓ ଦେବାଶିଷ ମିଶ୍ର, ଡେଲାଙ୍ଗ ଥାନା ଆଇଆଇସି ମମତା ବିଶ୍ଵାଳଙ୍କ ସମେତ ଜଣେ ଡିଏସପି, ୫ଜଣ ଇନ୍ସପେକ୍ଟର, ୮ଜଣ ସବଇନ୍ସପେକ୍ଟର ୧୯ଜଣ ଏଏସଆଇ, ୩ଜଣ ହାବିଲଦାର, ୨୫ଜଣ ସିପାହୀ, ୮୫ଜଣ ଗୃହରକ୍ଷୀ ସମେତ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଶ୍ରଦ୍ଧାଳୁଙ୍କ ସୁବିଧାପାଇଁ ଅଗ୍ନୀସମ ସେବା, ପାନୀୟ ଜଳ ଯୋଗାଣ, ସୂଚନାକେନ୍ଦ୍ର, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ଜରୁରୀ କାଳୀନ ସେବାପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ସହିତ ହାଇଟେକ୍ ମେଡିକାଲ୍ କଲେଜ୍ ପକ୍ଷରୁ ମେଗା ସ୍ୱାସ୍ଥ୍ୟସେବା ଶିବିରର ଆୟୋଜନ କରାଯାଇଥିଲା । ଏହି ଅବସରରେ ସୋମନାଥ ୟୁଥ୍ କ୍ଳବ, ମେଳଣ ପରିଚାଳନା ପରିଷଦ, ଉତ୍କଳ ଗୌରବ ଯୁବ ସଙ୍ଗଠନ, ପଶ୍ଚିମା ଶମ୍ଭୁ ଯୁବ ସଙ୍ଗଠନ, ସୋମନାଥ ଦେବ ୟୁଥ୍ କ୍ଳବ୍, ପଶ୍ଚିମା ଶମ୍ଭୁ ପଞ୍ଚୁଦୋଳ କ୍ଳବ୍, ସୋମନାଥ ଦେବ ଦୋଳ ନିର୍ମାଣ ଓ କୁଞ୍ଜ ନିର୍ମାଣ ସମିତି, ଗଜପତି ବାସନ୍ତୀ କ୍ଲବ୍, ହରିରାଜପୁର ଗ୍ରାମବାସୀଙ୍କ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ମେଳଣର ଚତୁର୍ଥ ଦିବସରେ ହରିରାଜପୁର ପଞ୍ଚଦୋଳ ମେଳଣ ପରିଚାଳନା କମିଟି ସହଯୋଗର ଓଡିଶାର ବିଭିନ୍ନ ଜିଲ୍ଲାର ଦୁଇ ହଜାରରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳାଙ୍କ ସଂକୀର୍ତ୍ତନ ମଣ୍ଡଳୀ ଆଧ୍ୟାତ୍ମିକ ପରିବେଶକୁ ରୁନ୍ଧିମନ୍ତ୍ର କରିଥଲା । ପୁରୁଷ ମହିଳା ମାନେ ଖୋଳ ଝାଞ୍ଜ, ଗିନି, ଝୁମୁକା, ନଦିଆ ଆଦି ବାଦ୍ୟଯନ୍ତ୍ର ତାଳେ ତାଳେ ନାଚି ନାଚି ଶ୍ରୀ ଶ୍ରୀ ସୋମନାଥ ଦେବ ମନ୍ଦିର ବେଢାରୁ ବାହାରି ଦୁଇ କି.ମି. ଦୂର ମେଳଣ ପଡିଆ ମଣ୍ଡପରେ ପହଂଚି ୮୫ ଠାକୁରଙ୍କ ମଣ୍ଡପ ପରିକ୍ରମା କରିଥିଲେ । ମେଳଣ ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ ଦିବସରେ ପଶ୍ଚିମା ଶମ୍ଭୁ ଯୁବ ସଂଗଠନ ପକ୍ଷରୁ ରାଜ୍ୟ ସ୍ତରୀୟ କବିତା ଆସର, ଗୋଟିପୁଅ ଲୋକନୃତ୍ୟ, ମେଲୋଡି, ସମ୍ବଲପୁରୀ ନୃତ୍ୟ ଓ ଭଜନ ସମାରୋହ, ମେଲୋଡି ଆୟୋଜନ କରାଯାଇଥିଲା । ନିମାଇଁ ସାହିତ୍ୟ ସଂସଦ ପକ୍ଷରୁ ଭକ୍ତି କବିତା ଆସର, ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ କଳା ସଂସ୍କୃତି ବିକାଶ ଟ୍ରଷ୍ଟ ପକ୍ଷରୁ ଆଧ୍ୟାତ୍ମିକ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ଅପେରା, ମେଲୋଡି, ଭଜନ ସନ୍ଧ୍ୟା, ମିନା ବଜାର, ବାଉଁଶ ଦୋଳି ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ହାଇଟେକ ହସ୍ପିଟାଲ ଓ ମେଡିକାଲ କଲେଜ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଥିଲା । ଏଥିସହିତ ତିନି ହଜାରରୁ ଉର୍ଦ୍ଧ୍ୱ ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ମେଳଣ ଉତ୍ସବକୁ ବେଶୀ ଆକର୍ଷଣୀୟ କରିଥିଲା । ପାଞ୍ଚ ଦିନ ଧରି ସମଗ୍ର ମେଳଣ ପଡିଆ ଅଞ୍ଚଳରେ ଜନ ସୁନାମି ସହ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା ।
Prev Post