ବ୍ଲକସ୍ତରୀୟ ଏଚ୍‌ପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ବ୍ଲକସ୍ତରୀୟ ଏଚ୍‌ପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭ୍ରଜିତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ସରକାର ଜରାୟୁ ଗ୍ରୀବା କର୍କଟ ରୋକିବା ପାଇଁ ଏହି ଅଭିନବ ପଦକ୍ଷେପ ଗ୍ରହଣ କରିବା ସହ ଏହି ଅଭିଯାନ ମାଧ୍ୟମରେ ୧୪ ବର୍ଷ ବୟସର କନ୍ୟାସନ୍ତାନମାନଙ୍କୁ ମାଗଣାରେ ଏଚ୍‌ପିଭି ଟୀକା ପ୍ରଦାନ କରାଯିବ । ଭବିଷ୍ୟତରେ ମହିଳାମାନଙ୍କୁ ଏହି ମାରାତ୍ମକ ରୋଗରୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପକ୍ଷରୁ ଏହି ବିଶେଷ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ, ଏବଂ ଆଶା କର୍ମୀମାନେ ଉପସ୍ଥିତ ଥିଲେ । ଡାକ୍ତର ବିଶ୍ୱାଳ ନିଜ ଅଭିଭାଷଣରେ କହିଥିଲେ ଯେ, ସଚେତନତା ହିଁ ଏହି କର୍କଟ ରୋଗକୁ ମୂଳପୋଛ କରିବାର ପ୍ରକୃତ ମାଧ୍ୟମ । ବ୍ଲକର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଯେପରି ଏହି ଟୀକା ପାଇପାରିବେ, ସେଥିପାଇଁ ସମସ୍ତ କର୍ମଚାରୀଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଟୀକାକରଣ ଅଭିଯାନ ଆଗାମୀ ଦିନରେ ବ୍ଲକର ବିଭିନ୍ନ ସ୍କୁଲ ଓ ଉପ-ସ୍ଵାସ୍ଥ୍ୟ କେନ୍ଦ୍ର ସ୍ତରରେ ଜାରି ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.