ସର୍ବଭାରତୀୟ ରାଇଜିଂ ଟ୍ରଫି ଭଲିବଲ୍ : ଟାଇଟଲ ହାସଲ କଲା ହରିଆଣା, ନାଗପୁର ରନର୍ସଅପ୍ ଏବଂ ତୃତୀୟ ସ୍ଥାନରେ ଓଡ଼ିଶା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ କ୍ରୀଡା ସଂଗଠନ ରାଇଜିଂ କ୍ଳବ୍ ଆୟୋଜିତ ୧୭ତମ ରାଇଜିଂ ଟ୍ରଫି (୮ମ ସର୍ବଭାରତୀୟ ଭଲିବଲ୍ ପ୍ରତିଯୋଗିତା) ସଫଳତାର ସହିତ ସମାପ୍ତ ହୋଇଛି । ଫାଇନାଲ୍ ମ୍ୟାଚ୍‌ରେ ହରିଆଣା ଦଳ ନାଗପୁରକୁ ୩ ସେଟ୍‌ରେ ପରାଜିତ କରି ଚାମ୍ପିୟନ ହୋଇଛି । ସେଟ୍ ସ୍କୋର ଥିଲା- ନାଗପୁର ୨୫- ହରିଆଣା ୨୦, ନାଗପୁର ୨୩–ହରିଆଣା ୨୫ ଏବଂ ନାଗପୁର ୧୬- ହରିଆଣା ୨୫ । ଓଡ଼ିଶା ଦଳ ଛତିଶଗଡ଼କୁ ପରାଜିତ କରି ତୃତୀୟ ସ୍ଥାନ ଅଧିକାର କରିଛି । ଫାଇନାଲ୍ ମ୍ୟାଚ୍‌ରେ ହରିଆଣାର ରିଜ୍ୱାନ୍ ସର୍ବଶ୍ରେଷ୍ଠ ଆଟାକର୍, ଜୀତ ସର୍ବଶ୍ରେଷ୍ଠ ଲିବ୍ରୋ ଏବଂ ଅମନ୍ ସର୍ବଶ୍ରେଷ୍ଠ ସେଟର୍ ଭାବେ ଚୟନିତ ହୋଇଥିବାବେଳେ ନାଗପୁରର ରିଜ୍ୱାନ୍ ସର୍ବଶ୍ରେଷ୍ଠ ବ୍ଲକର୍ ଭାବେ ସମ୍ମାନିତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ପୂର୍ବତନ ବିଧାୟକ ସୁବ୍ରତ ତରାଇ । ସେହିପରି ଉଦଘାଟନୀ ଉତ୍ସବରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ ରାୟ ଅତିଥି ଭାବେ ଯୋଗଦେଇଥିଲେ । ଜାତୀୟ ରେଫରି ନିରଞ୍ଜନ ନାୟକ, ସଞ୍ଜିବ ଚାନ୍ଦ, ସଞ୍ଜିବ ମହାନ୍ତି, ଆନା କେରକେଟା, ସସ୍ମିତା, ସୁଜୟ ଓ ସୁବାଷ ମ୍ୟାଚଗୁଡ଼ିକ ସଫଳତାର ସହ ପରିଚାଳନା କରିଥିଲେ । ଚାମ୍ପିୟନ୍ ହରିଆଣାକୁ ବିଜେତା ଟ୍ରଫି ସହ ୨୫ ହଜାର ଟଙ୍କା, ରନର୍ସଅପ୍ ନାଗପୁରକୁ ଟ୍ରଫି ସହ ୧୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଓଡ଼ିଶାକୁ ଟ୍ରଫି ସହ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତାର ସୂଚାରୁ ପରିଚାଳନା ପାଇଁ ରାଇଜିଂ କ୍ଲବ୍‌ର ଶିଶିର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ସଦସ୍ୟମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.