ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନଖଣ୍ଡ ଅନ୍ତର୍ଗତ ୬ଟି ଫରେଷ୍ଟ ରେଞ୍ଜ ଅଂଚଳରେ ବନାଗ୍ନୀ ନିବାରଣ ନେଇ ବ୍ୟାପକ କାର୍ଯ୍ୟକ୍ରମ ଯୋଜନା କରାଯାଇଥିବା କହିଛନ୍ତି ରାଉରକେଲା ଡ଼ିଏଫଓ ଯଶୋବନ୍ତ ସେଠି । ଆଜି ରାଉରକେଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଙ୍ଗଲ ନିଆଁ ନେଇ ସୂଚନା ଦେଇଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀ ସେଠୀ । ଜଙ୍ଗଲ ନିଆଁ ମନୁଷ୍ୟକୃତ । ଜଙ୍ଗଲ ଅଗ୍ନିକୁ ୫୦ ପ୍ରତିଶତ ହ୍ରାସ ହାସଲ କରିବା ପାଇଁ ଚଳିତ ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜଙ୍ଗଲ ଅଗ୍ନିକୁ ନେଇ ବନ ବିଭାଗ ପକ୍ଷରୁ ଏକ ମୋବାଇଲ ନମ୍ବର ଡିଏଫ୍ଓଙ୍କ କଣ୍ଟ୍ରୋଲ ରୁମ୍ ପକ୍ଷରୁ ଜାରି କରାଯାଇଛି ବୋଲି ସୂଚନା ଦିଆଯାଇଛି । ଏହି ମୋବାଇଲ ନମ୍ବର ୮୪୮୦୪୦୮୯୨୪ରେ ଜନସାଧାରଣ ଆବଶ୍ୟକ ସୂଚନା ପ୍ରଦାନ କରିପାରିବେ । ଡିଏଫ୍ଓ ଶ୍ରୀ ସେଠୀ ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ, ବନାଗ୍ନୀ ନିବାରଣ ପାଇଁ ୱାଚ୍ ଟାୱାରରେ କ୍ୟାମେରା ଲଗାଯିବା ସହିତ ପଶୁପକ୍ଷୀଙ୍କ ପିଇବା ପାଇଁ ଆବଶ୍ୟକ ହେଉଥିବା ପାଣି ପାଇଁ ଜଙ୍ଗଲରେ ଥିବା ନାଳ ଓ ଝରଣାର ପାଣିକୁ ବ୍ୟବହାରିକ କରିବା ପାଇଁ ସ୍ଥାନେ ସ୍ଥାନେ ଜଳାଶୟ କରାଯାଇଛି । ବନାଗ୍ନୀ ଯୋଗୁଁ ଜଙ୍ଗଲ, ଘର ଏବଂ ଫସଲକୁ ନଷ୍ଟ ହେବା ସହିତ ବନ୍ୟପ୍ରାଣୀଙ୍କୁ ବିପଦରେ ପକାଇଥାଏ । ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ସହ ଦୀର୍ଘକାଳୀନ ମାଟି ଏବଂ ପରିବେଶଗତ କ୍ଷତି ଘଟାଇଥାଏ । ଅଧିକାଂଶ ଜଙ୍ଗଲରେ ନିଆଁ ପ୍ରତିରୋଧ କରାଯାଇପାରିବ । ଲୋକମାନଙ୍କୁ ଜଙ୍ଗଲ ନିକଟରେ ଅଳିଆ ପୋଡ଼ିବା, ବିଡି – ସିଗାରେଟ୍ ଫିଙ୍ଗିବା ଓ ଅସାବଧାନତାବଶତଃ ନିଆଁ ବ୍ୟବହାର ନକରିବାକୁ ଅନୁରୋଧ କରିଛନ୍ତି । ଜ୍ଞାତ ସାରରେ ଯଦି କେହି ଜଙ୍ଗଲରେ ନିଆଁ ଲଗାନ୍ତି, ତେବେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇଛନ୍ତି । ସମସ୍ତେ ଏକାଠି ହୋଇ ଜଙ୍ଗଲ ଏବଂ ଆମର ଭବିଷ୍ୟତକୁ ସୁରକ୍ଷିତ କରିପାରିବା ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ସେଠୀ ଏହି ସାମ୍ବାଦିକ ସମ୍ମିଳନୀରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି । ଏଥି ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।
Prev Post
Next Post