- ମାଟି ବିକି ରାଜ୍ୟ ଚଳାଇବା ଦେବାଳିଆ ପଣର ଲକ୍ଷଣ – ପ୍ରଫୁଲ୍ଲ ସାମନ୍ତରା
ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରରୁ ବାହାରିଥିବା ଲୋକ ଅଧିକାର ଯାତ୍ରା ଅପରାହ୍ନରେ ରାଉରକେଲାରେ ପହଞ୍ଚିଥିଲା । ଏହି ଯାତ୍ରାକୁ ଗାଙ୍ଗପୁର ମଜଦୂର ୟୁନିଅନ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଯାତ୍ରାର ନେତୃତ୍ୱ ନେଉଥିବା ବିଶିଷ୍ଟ ପରିବେଶବିତ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ଏଠାରେ ଆୟୋଜିତ ସଭାରେ କହିଥିଲେ ଯେ, ବର୍ତ୍ତମାନ ସମୟରେ ଓଡ଼ିଶାରେ ଚାଲିଥିବା ଅବିଚାରିତ ମାଇନିଙ୍ଗର ଆମେମାନେ ବିରୋଧ କରୁଛୁ । ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଯେତିକି ମାଇନିଙ୍ଗର ଆବଶ୍ୟକତା ରହିଛି, ତାହାଠାରୁ ଅଧିକ ଉତ୍ତୋଳନ ପାପ ସଦୃଶ । ରାଜ୍ୟର ଖଣିଜ ସମ୍ପଦ ବିକ୍ରୟ କରି ଦେଶ ଚଲାଇବାଠାରୁ ଆଉ ଅଧିକ ଲଜ୍ଜାକର ବିଷୟ କିଛି ନାହିଁ । ସେ ପୁଣି କହିଥିଲେ ଯେ, ପୂର୍ବରୁ ଯେତିକି ଖଣି ଖୋଳିବାକୁ ଅନୁମତି ଦିଆଯାଇଛି, ସେତିକି ଉତ୍ତୋଳନ ସାରିବା ପୂର୍ବରୁ ପୁଣି ଖଣି ଲିଜ ଦିଆଯାଇ ଲୁହାପଥର ଠାରୁ ଆରମ୍ଭକରି କୋଇଲା, କ୍ରୋମ, ମାଙ୍ଗାନିଜ, ବକ୍ସାଇଟ ସବୁକିଛି ଖଣି କର୍ପୋରେଟ ମାନଙ୍କ ହାତରେ ଟେକି ଦିଆଯାଉଛି । ଏବେ ପୁଣି ୪୯ଟି ଖଣି କମ୍ପାନୀ ମାନଙ୍କୁ ଦେବା ସ୍ଥିର ହୋଇଥିବା ଜଣାପଡ଼ିଛି । ଯଦି ଏହିଭଳି ଚାଲେ, ତାହେଲେ ୨୦୩୬ ମସିହା ବେଳକୁ ଯେତେବେଳେ ଓଡ଼ିଶାକୁ ଶହେ ବର୍ଷ ପୂରିବ, ଆମ ରାଜ୍ୟରେ ଏୟାରପୋର୍ଟ ଥିବ, ଆଠ ଥାକିଆ ରୋଡ ଥିବ, ହେଲେ ଜଳ ଜଙ୍ଗଲ, ଜମି ପ୍ରାକୃତିକ ସମ୍ପଦ ଶେଷ ହୋଇ ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳ ମରୁଭୂମି ପାଲଟି ଯାଇଥିବ । ସୁନ୍ଦରଗଡ଼ ଜିଲ୍ଲାର ବରସୁଆଁ ଅଞ୍ଚଳରେ ଦୁମାଳ ଗାଆଁରେ କମ୍ପାନୀ କୁରାଢ଼ି ନାଳ ଜଳ ସ୍ରୋତକୁ ରୋକି ନିଜ ବ୍ୟବହାରରେ ଲଗାଇଛି । ଖଣ୍ଡାଧାର ଜଳପ୍ରପାତର ଧାରାକୁ ରୋକି କମ୍ପାନୀ ପାଣି ନେଉଛି । ତାହେଲେ ଜଳ ସମ୍ପଦ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଓଡ଼ିଶାରେ କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଓଡିଶାରୁ ଖଣି ଖୋଳୁଥିବା କମ୍ପାନୀମାନେ ଏଠାରୁ ଖଣିଜ ଦ୍ରବ୍ୟ ବିଦେଶକୁ ନେଇ, ଅନ୍ୟ ଦେଶରେ ବ୍ୟବହୃତ ସାମଗ୍ରୀ ନିର୍ମାଣ କରୁଥିବା ବେଳେ ଆମ ରାଜ୍ୟରେ ଆଲୁମିନିଅମ, ଲୁହା ଆଦି ସାମଗ୍ରୀରୁ ବ୍ୟବହୃତ ସାମଗ୍ରୀ କାହିଁକି ତିଆରି କରାଯାଉ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ । ଗାନ୍ଧୀବାଦୀ ନେତା ତଥା ଯାତ୍ରାର ସଂଯୋଜକ ଡାକ୍ତର ବିଶ୍ୱଜିତଙ୍କ ସଂଯୋଜନାରେ ଏହି ସଭାରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ଯୋଗଦେଇ କହିଲେ ଯେ, ପରିବେଶ ପ୍ରକୃତିର ଅବିଚାରିତ ଲୁଟ ବନ୍ଦ ନହେଲେ, ଆଦିବାସୀ ବନବାସୀମାନେ ଉଦବାସ୍ତୁ ହୋଇଯିବେ । ଏ ବାବଦରେ ସେ ବିଧାନସଭାରେ ପ୍ରଶ୍ନ କରିବେ ବୋଲି ମଧ୍ୟ କହିଥିଲେ । ଅଭିଯାତ୍ରୀ ଦଳରେ ରହିଥିବା ସର୍ବେଶ୍ଵର ସାହୁ, ସୁଶାନ୍ତ ମହାନ୍ତି, ଲକ୍ଷ୍ମଣ ନାୟକ, ରାଜକିଶୋର ସୁନାନୀ, ସୁକାନ୍ତ ପ୍ରଧାନ, ବିଜୟ ସିଙ୍କୁ ଆଦିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସଭା ଶେଷରେ ଲୋକ ଅଧିକାର ଯାତ୍ରା ଝାରସୁଗୁଡ଼ା ଜିଲ୍ଲାର ଲାଞ୍ଜିବେର୍ଣ୍ଣା ଅଭିମୁଖେ ଗସ୍ତ କରିଥିଲା ।