ରାଉରକେଲା, (ସସ୍ମିତା ପ୍ରଧାନ) : ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ସମରଦରି ଛକ ନିକଟରେ ହାଇୱା ଧକ୍କାରେ ରାଉରକେଲା ଏନ୍ଆଇଟିରେ ପଢ଼ୁଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ, ଆଉ ଜଣେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏନ୍ଆଇଟିରେ ପାଠ ପଢୁଥିବା ମୃତ ଛାତ୍ର ଜଣକ ହେଲେ କାର୍ତ୍ତିକେୟନ ସେନଥିଲ କ୍ରିଷ୍ଣନ । ଏନ୍ଆଇଟିର ଇଲକ୍ଟ୍ରୋନିକ ଟେଲିକମ୍ୟୁନିକେସନ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ଗୁରୁତର ଆହତ ଛାତ୍ରୀ ଜଣକ ହେଲେ ବାସନ୍ତୀ କାର୍ତ୍ତିକ ନାରାୟଣ (୧୯) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ରାଉରକେଲା ଏନ୍ଆଇଟିରେ ପଢୁଥିବା ୧୦ ଜଣ ଛାତ୍ର ଏବଂ ୬ ଜଣ ଛାତ୍ରୀ ଭଡାରେ ମିଳୁଥିବା ୮ଟି ସ୍କୁଟିରେ ଖଣ୍ଡାଧାର ଜଳପ୍ରପାତ ବୁଲିବାକୁ ଯାଉଥିଲେ । ଜାତୀୟ ରାଜପଥ-୧୪୩ର ସମରଦରି ଛକ ନିକଟରେ, ରାଜାମୁଣ୍ଡା ଆଡୁ ନିୟମ ଉଲଙ୍ଘନ କରି (ରଂଗ୍ ସାଇଡ୍)ରୁ ଆସୁଥିବା ଓଡି ୧୪ ଏଏଚ୍ ୨୨୧୫ ନମ୍ବର ଥିବା ଏକ ହାଇୱା ଗାଡ଼ି ସାମ୍ନା ପଟରୁ ଓଡି ୧୫ଏଇ ୪୬୯୫ ସ୍କୁଟିକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ସ୍କୁଟି ଚାଳକ କାର୍ତ୍ତିକେୟନ୍ ଓ ପଛରେ ବସିଥିବା ଛାତ୍ରୀ ବାସନ୍ତୀ ଗୁରୁତର ହୋଇଥିଲେ । ସାଙ୍ଗରେ ଥିବା ଅନ୍ୟ ଛାତ୍ରଛାତ୍ରୀମାନେ ପୁଲିସକୁ ଖବର ଦେବା ପରେ ଲହୁଣୀପଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ଲହୁଣୀପଡ଼ା ମେଡିକାଲକୁ ପଠାଇଥିଲେ । ସେଠାରେ ଚିକିତ୍ସା କରୁଥିବା ଡାକ୍ତର କାର୍ତ୍ତିକେୟନଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଗୁରୁତର ଛାତ୍ରୀ ବାସନ୍ତୀକୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ପୋଲିସ୍ ହାଇୱା ଗାଡ଼ି ଏବଂ ସ୍କୁଟିକୁ ଜବତ୍ କରି ଘଟଣାର ଅଧିକ ତଦନ୍ତ ଚଲାଇଛି ବୋଲି ସୂଚନା ମିଳିଛି ।