ବ୍ଲକ ସ୍ତରୀୟ ଜଙ୍ଗଲ ଅଧିକାର କମିଟି ସମୂହ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଲୋଅର ସୁକତେଲ ପ୍ରକଳ୍ପ ନିକଟସ୍ଥ ବେଲପାଲି ଆମ୍ବ ବଗିଚା ଠାରେ ବ୍ଲକସ୍ତରୀୟ ଜଙ୍ଗଲ ଅଧିକାର କମିଟିମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମର ଆବାହକ କୁଳମଣି ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ତାଲଜୁରି, ବାନିପାଲି, ଉତ୍ସବପାଲି, ଫଲସାମାଲ, ସାନଝାଙ୍କରପାଲି, ଉପରବାହାଲ, ଜାମଜୁରି, ଠାକୁରପାଲି, ସିଂହାଣୀମୁଣ୍ଡା, ତବଲବାଞ୍ଜି, ବିଅରପାଲି, ବାଦିପାଲି, ରାନିପାଲି ପ୍ରଭୃତି ଗ୍ରାମର ଜଙ୍ଗଲ ଅଧିକାର କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କୁ ସେମାନଙ୍କ ବ୍ୟକ୍ତିଗତ, ଗୋଷ୍ଠିଗତ ତଥା ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପ୍ରଦାନ ଦିଗରେ ସରକାରୀ ସ୍ତରରେ ଅହେତୁକ ବିଳମ୍ବ ଯୋଗୁଁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ସରକାରୀ ସ୍ତରରେ ଆଇନ ପ୍ରଣୟନ ସତ୍ତ୍ୱେ ଜଙ୍ଗଲ ଅଧିକାର ଆଇନକୁ ଅଣଦେଖା କରାଯାଉ ଥିବାରୁ କ୍ଷୋଭ ପ୍ରକାଶ ପାଇବା ସହିତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଜଙ୍ଗଲ ଅଧିକାର କମିଟି ଗୁଡ଼ିକ ତରଫରୁ ଯୁଗ୍ମ ତଦନ୍ତ ପାଇଁ ପ୍ରଶାସନକୁ ସୂଚନା ଦିଆଯିବାର ବର୍ଷାଧିକ ସମୟ ବିତିଯାଇ ଥିଲେ ମଧ୍ୟ ଅନେକ ଗାଁ ଗୁଡ଼ିକର ତଦନ୍ତ କରାଯାଇ ନ ଥିବାରୁ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବା ପାଇଁ ଚେତାବନୀ ଦିଆଯାଇଥିଲା । ଏଥିସହିତ ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ପଟ୍ଟା ପ୍ରଦାନ ତଥା “ମୋ ଜଙ୍ଗଲ ଜମି ଯୋଜନା” ଆଇନକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରିବା ସକାଶେ ପୁଣି ଥରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ବୈଠକରେ ସହମତି ପ୍ରକାଶ ପାଇଥିଲା । ଭବିଷ୍ୟତ ନିର୍ଣ୍ଣାୟକ ରଣନୀତି ଚୁଡାନ୍ତ କରିବା ପାଇଁ ଆସନ୍ତା ମାର୍ଚ୍ଚ ମାସ ୨୨ ତାରିଖରେ ସ୍ଥାନୀୟ ତବଲବାଞ୍ଜି ଗ୍ରାମରେ ପରବର୍ତ୍ତୀ ବୈଠକ କରାଯିବା ପାଇଁ ସ୍ଥିରୀକୃତ ହୋଇଥିଲା । ପ୍ରମୋଦ ଭୋଇ, ସୁରେନ୍ଦ୍ର ବରିହା, ମୋତିରାମ ବରିହା, ନାରାୟଣ କରଞ୍ଜ, କୈଳାସ ବରିହା, ସୁଦର୍ଶନ ଭୋଇ, ଧନୁ ପୁଟା, ଭିଷ୍ମଦେବ ବରିହା ପ୍ରମୁଖଙ୍କୁ ଆଗାମୀ ଆନ୍ଦୋଳନର ପ୍ରସ୍ତୁତି ସକାଶେ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ବ୍ଲକସ୍ତରୀୟ ଜଙ୍ଗଲ ଅଧିକାର କମିଟିର ସଭାପତି ରାଧାକାନ୍ତ ନାଏକ ସମସ୍ତଙ୍କୁ ସ୍ଵାଗତ ଜଣାଇଥିବା ବେଳେ ପରିଶେଷରେ ସମ୍ପାଦକ ଚୈତନ୍ୟ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.