ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବିରଜା କ୍ଷେତ୍ର ସଂଘ ରାଉରକେଲା ତରଫରୁ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଜୟନ୍ତୀ ସେକ୍ଟର ୭ ସ୍ଥିତ ସିଅର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ସାମଲଙ୍କ ଆବାହକତ୍ୱ ଓ ଉର୍ବଶୀ ଦାଶ ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ବିଷୟ ବିଶେଷଜ୍ଞ ତଥା ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡ. ଅଶ୍ବିନୀ କୁମାର ରାୟ ଯୋଗଦେଇ ବିଦଗ୍ଧ କବି ଅଭିମନ୍ୟୁ ଓ ସୃଜନ ସ୍ୱାକ୍ଷର ସମ୍ପର୍କରେ ଆଲୋଚନା କରିଥିଲେ । ଡ଼ ରାୟ ଏହି ଅବସରରେ କହିଥିଲେ ଯେ ଓଡ଼ିଆ ରୀତିଯୁଗୀୟ ସାହିତ୍ୟର ଜଣେ ଶ୍ରେଷ୍ଠ କବି ଅଭିମନ୍ୟୁ ଥିଲେ ପରମ ବୈଷ୍ଣବ । ତାଙ୍କ ବୈଷ୍ଣବୀୟ କାର୍ଯ୍ୟକଳାପ ତାଙ୍କ ଦୁର୍ଲଭ କାବ୍ୟକଳା ଓ ରସ ଚେତନାରେ ପ୍ରତିଭାତ ହୋଇଛି । କବିଙ୍କ ବିଦଗ୍ଧ ଚିନ୍ତାମଣି ଏକ ସରସ, ସୁନ୍ଦର, ସୁମନୋହର କାବ୍ୟ ସେ ଥିଲେ ରୀତିଯୁଗର ମାର୍ତ୍ତଣ୍ଡ କବି । ଦେଶଜ ଓ ଗ୍ରାମୀଣ ଶବ୍ଦରେ ତାଙ୍କ ରଚନା ସମଗ୍ର ଓଡ଼ିଆ ସାରସ୍ୱତ ଭଣ୍ଡାରର ଅମୂଲ୍ୟ ରତ୍ନହାର । ମୁଖ୍ୟ ଅତିଥି ନାୟକ ସଂଘର କାର୍ଯ୍ୟାବଳୀକୁ ପ୍ରଶଂସା କରିବା ସହ ଅଭିମନ୍ୟୁଙ୍କୁ ମାଧୁର୍ଯ୍ୟ ରସର କବି ବୋଲି ମତ ରଖିଥିଲେ । ସଭାପତିତ୍ୱ ଅଭିଭାଷଣରେ ଇଂ ଦାସ ଅତିଥି ପରିଚୟ, ଅନୁଷ୍ଠାନର କାର୍ଯ୍ୟକ୍ରମ ସହ ସଂଘ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଐକ୍ୟବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ସାମଲ ସମ୍ପାଦକୀୟ ବିବରଣୀ ସହ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ସଂଯୋଜିକା ଶ୍ରୀମତୀ ଦାଶ ପତି ବିଦଗ୍ଧ ଚିନ୍ତାମଣିର କିଛି ପଂକ୍ତିକୁ ଗାନ କରି କାର୍ଯ୍ୟକ୍ରମକୁ ରସମୟ କରିଥିଲେ । କାର୍ଯ୍ୟକାରୀ ସଭାପତି ସଂଗ୍ରାମ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ନିହାର ରଞ୍ଜନ ସିଂ, ଅନିଲ ମଲ୍ଲିକ, ଅନିରୁଦ୍ଧ ସାମଲ, ବିରେନ ସେନାପତି, ହରିହର ବେହେରା, ସଞ୍ଜୟ ନାୟକ, ମନୋରଞ୍ଜନ ସାମଲ, ଦେବକାନ୍ତ ଧଳ, ପ୍ରଶାନ୍ତ କୁମାର ପତି, ଆର୍ତ୍ତତ୍ରାଣ ମହାପାତ୍ର, ରବିନ୍ଦ୍ର ମଲ୍ଲିକ, ଜୟଶ୍ରୀ ଦାସ, ବିଜୟ କୁମାର ବରାଳ, ଅକ୍ଷୟ କୁମାର ଜେନା, ପ୍ରଶାନ୍ତ ନାୟକଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.