ରିମ୍ସ ଓ ବି. ସ୍କୁଲ ଫୋରମ ପକ୍ଷରୁ ‘ଡିଜିଟାଲ ସକ୍ଷମ’ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବି. ସ୍କୁଲ ଫୋରମ ଏବଂ ରିମ୍ସର ମିଳିତ ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ରିମ୍ସ ଏଚ୍‌ଆର୍‌ଡି ହଲ ଠାରେ ଜାତୀୟ ମେନେଜମେଣ୍ଟ ଦିବସ ପାଳନ ଅବସରରେ ‘ଡିଜିଟାଲ ସକ୍ଷମ’ ସମ୍ପର୍କିତ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । ରିମ୍ସର ସେକ୍ରେଟାରୀ ଡ଼. ଆର୍ଯ୍ୟ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ ସହ ଡିଜିଟାଲ ବ୍ୟବସ୍ଥାର ସୁଯୋଗ ନେବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ରିମ୍ସର ଚେୟାରପର୍ସନ ଶ୍ରୀମତୀ ନଳିନୀପ୍ରଭା ପଟ୍ଟନାୟକଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏନଆଇଟିର ଡିନ୍‌ ତଥା ଏମ୍‌ବିଏ ବିଭାଗ ପ୍ରଫେସର ରାଜୀବ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ଆଲୋଚନା ପ୍ରସଙ୍ଗରେ ଡିଜିଟାଲ ବ୍ୟବସ୍ଥାର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରି ଏହାକୁ ଅଧିକ ଲୋକାଭିମୁଖୀ କରିବାକୁ ଆହ୍ୱାନ କରିଥିଲେ । କୃତ୍ରିମ ବୁଦ୍ଧିମତ୍ତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ନହୋଇ ନିଜର ସୃଜନଶୀଳତା ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ । ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ଡିଜିଟାଲ ସକ୍ଷମ ନାରୀ ସଶକ୍ତିକରଣ ପାଇଁ ଏକ ନୂତନ ଯୁଗ ସୃଷ୍ଟିର ଲକ୍ଷ୍ୟ ରହିଥିବା କହିଥିଲେ । ତୃଣମୂଳ ସ୍ତରରେ କିପରି ଏହି ଡିଜିଟାଲ ସାକ୍ଷରତା ବୃଦ୍ଧି କରିହେବ, ସେ ଦିଗରେ ମେନେଜମେଣ୍ଟ ଓ ଅନ୍ୟ ଛାତ୍ରଛାତ୍ରୀ ତଥା ଯୁବବର୍ଗ ଅଭିନବ କୌଶଳ ଓ ଚିନ୍ତାଧାର ପ୍ରକଟ କରିବାକୁ ଆହ୍ୱାନ କରିଥିଲେ । ପ୍ରାରମ୍ଭରେ ପ୍ର. ଝେଲମ ନାୟକ ସାବିତ୍ରୀ ଚାଁଟିଙ୍ଗ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ପ୍ର. ଡ଼. ରଂଜିତା ସ୍ୱାଇଁ ଆଲୋଚ୍ୟ ବିଷୟ ବସ୍ତୁର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଗବେଷକ ଗୌତମ ମହାନ୍ତି ଏହି ଆଲୋଚନା ଚକ୍ର ଛାତ୍ରଛାତ୍ରୀଙ୍କ ପାଇଁ କିପରି ଉପଯୋଗୀ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଆଇ.ଏମ୍‌.ଏଫ୍‌.ଏର ବରିଷ୍ଠ ଉପଦେଷ୍ଟା ଟି. ସି. ହୋତା ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଅନଲାଇନ ମାଧ୍ୟମରେ ତାଙ୍କର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ସେହିପରି ଅନ୍ୟତମ ବକ୍ତା ଭାବେ ଆଇଡେଣ୍ଟିଟି ଗ୍ରୁପର ଏମ୍‌.ଡି ଯଶୋବନ୍ତ ନାରାୟଣ ସିଂହଲ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ମିଶନ ସକ୍ଷମର ସଫଳ ରୂପାୟନ ସହ ଛାତ୍ରଛାତ୍ରୀ ଜୀବନରେ ସଫଳତା ପାଇବା ପାଇଁ ଉଦିଷ୍ଟ ବ୍ୟବସ୍ଥାର ଉପଯୁକ୍ତ ପରିଚାଳନା, ଯୋଗାଯୋଗ ମାଧ୍ୟମ କୁ ବଳିଷ୍ଠ କରିବା ଓ ନିଷ୍ଠାର ସହ କାର୍ୟ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ରିମ୍ସର ଛାତ୍ରଛାତ୍ରୀ ରସପ୍ରୀତ କୌର, ଜୟ କୁମାର, ସିଦ୍ଧି ସାହା ଓ ଡାଉଦ ପ୍ରମୁଖ ସେମାନଙ୍କ ର ପିପିଟି ଉପସ୍ଥାପନା କରିଥିଲେ । ଅଜିମ ପ୍ରେମଜୀ ଫାଉଣ୍ଡେସନର ସଂଯୋଜିକା ରଂଜିତା ମୁଦୁଲି ଅନଲାଇନରେ ଉପସ୍ଥିତ ଥିଲେ । ଶେଷରେ ସହ ସଂଯୋଜିକା ସହକାରୀ ପ୍ର. କଳିଙ୍ଗ କନ୍ୟା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ର. ଡ଼ ସନ୍ତୋଷ କୁମାର ବିଶ୍ୱାଳ, ପ୍ର. ଡ଼ ସିଦ୍ଧାର୍ଥ ପ୍ରଧାନ, ପ୍ର. ସୁବ୍ରତ ପ୍ରସାଦ ପଟ୍ଟନାୟକ, ପ୍ର. ତ୍ରିଲୋଚନ ଜେନା ଓ ପ୍ର. ଡ଼ ସ୍ଵାତି ରେଖା ମହାନ୍ତିଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଛାତ୍ରୀ ଅନୁଷ୍କା ଦାସ ସଂଯୋଜନା କରିଥିଲେ ।

Leave A Reply

Your email address will not be published.