ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣାକୁ ଏନ୍ଏସି ଘୋଷଣା ହେବାପରେ ମତଦାତାଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି । ସ୍ଵାଧୀନତାର ପରବର୍ତ୍ତୀ ଅବସ୍ଥାରେ ସତୁରୀ ବର୍ଷ ଧରି ଅନେକ କାହାଣୀର ମୁକସାକ୍ଷୀ ବନିଥିବା ଜୟପାଟଣା ପଞ୍ଚାୟତର ଏବେ କଳେବର ପରିବର୍ତ୍ତନ ହେବ । ଅନେକ ବର୍ଷଧରି ଏନ୍ଏସି ହେବାର ସମସ୍ତ ସମ୍ଭାବନା ତିଆରି କରିଥିବା ଜୟପାଟଣା ସହରକୁ ପାତର ଅନ୍ତର ମଧ୍ୟକୁ ଠେଲିଦେବା ସତ୍ତ୍ୱେ ପରିଶେଷରେ ସାଂପ୍ରତିକ ଘୋଷଣା ଅଞ୍ଚଳ ପାଇଁ ଏକ ଖୁସିର ଲହରୀ ଆଣି ଦେଇଛି । ବିଭିନ୍ନ ନିର୍ବାଚନ ସମୟରେ ଜୟପାଟଣା ସହରର ଭୋଟ ବିଜେପିର ସପକ୍ଷରେ ଯାଉଥିବାବେଳେ ନୂତନ ଏନ୍ଏସିକୁ ଦଖଲ କରିବା ପାଇଁ ସମସ୍ତ କର୍ମୀ ଅଣ୍ଟା ଭିଡ଼ିଥିବା ସୁଚନା ମିଳିଛି । ଜୟପାଟଣା ଏନ୍ଏସି ସୀମାକୁ ୧୫ଟି ୱାର୍ଡରେ ବିଭକ୍ତ କରାଯାଇଥିବାବେଳେ ପାଞ୍ଚଟି ୱାର୍ଡ ସାଧାରଣ ବର୍ଗ, ଚାରିଟି ସାଧାରଣ ବର୍ଗ ମହିଳା, ଚାରିଟି ଅନୁସୂଚିତ ଜନଜାତି, ଓ ଦୁଇଟି ଅନୁସୂଚିତ ଜାତି ପାଇଁ ଉଦ୍ଦିଷ୍ଟ ରହିଥିବା ସୁଚନା ମିଳୁଛି । ଅଧ୍ୟକ୍ଷ ପଦ ଚିଠା ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇନଥିବା ନିର୍ବାହୀ ଅଧିକାରୀ ତଥା ବିଡିଓ ଜୟପାଟଣା ପ୍ରକାଶ କରିଛନ୍ତି । ଗୁରୁବାର ଜୟପାଟଣା ପିଆର ପେଲେସରେ ଆୟୋଜିତ ସାଂଗଠାନିକ ବୈଠକରେ ସମ୍ଭାବ୍ୟ ନିର୍ବାଚନକୁ ଆଖି ଆଗରେ ରଖି ବୁଥ କମିଟି ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ କରିସାରିଥିବା ସଂଗଠନରୁ ପ୍ରକାଶ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ସମସ୍ତେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ପୁନର୍ବାର ଏହି ସାଂଗଠାନିକ ସଭାରେ ଜୟପାଟଣା ବ୍ଲକକୁ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ କରି ଭୌଗୋଳିକ ପ୍ରତିବନ୍ଧକ ମଧ୍ୟକୁ ଟାଣି ଦେଇଥିବାରୁ ଏବେ ବିଧାନସଭା ପୁନର୍ଗଠନ ପାଇଁ ଏକ ଅନୁକୂଳ ବାତାବରଣ ରହିଥିବା ବେଳେ ଜୟପାଟଣାର ଭୌଗୋଳିକ ପରିସୀମାକୁ ବିଚାର କରି ଏକ ନୂତନ ବିଧାନସଭା କେନ୍ଦ୍ର ଘୋଷଣା ପାଇଁ ଦାବୀ ଉଠିଥିଲା । ଆୟୋଜିତ ପ୍ରସ୍ତୁତି ବୈଠକ ରେମଣ୍ଡଳ ସଭାପତି ଅରବିନ୍ଦ ପଣ୍ଡାଅଧ୍ୟକ୍ଷତା କରିଥିବାବେଳେ ପୂର୍ବତନ ଜିଲ୍ଲା ସଭାପତି ଶେଷଦେବ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ବରିଷ୍ଠ ନେତା ଭାସ୍କର ପ୍ରସାଦ ବେହେରା, ଗଙ୍ଗାଧର ମାଝୀ, ଚୈତନ୍ୟ ସେଠୀ, ତୀର୍ଥରାଜ ଦଳପତି, ସମ୍ପାଦକ ମାନସ ନେଗି, ଜଗ ମୋହନ ପଟ୍ଟନାୟକ, ଅଶୋକ ପଣ୍ଡା, ସୀତାରାମ ନାଏକ, ସୁଶାନ୍ତ ମୁଣ୍ଡ, ହରିକିଶନ ଜୈନ, ପ୍ରବୀଣ କୁମାର ମୁଣ୍ଡ, ଅମରେଶ ସିଂହ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଅବିନାଶ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।