ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ଜଗନ୍ନାଥ ମନ୍ଦିର ଓ ଦୁର୍ଗାପୂଜା କମିଟିର କର୍ମକର୍ତ୍ତାଙ୍କ ଉଦ୍ୟମରେ ଦିବ୍ୟ ଗୃହସ୍ଥ ଜୀବନ ସମ୍ପର୍କରେ ଏକ ଦ୍ୱିଦିବସୀୟ ବୌଦ୍ଧିକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ରାହାସ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଟିଭି ସର୍ବେ ଭବନ୍ତୁ ସୁଖୀନର ପ୍ରବକ୍ତା ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ପ୍ରବଚନ ଦେଇଥିଲେ । ପଣ୍ଡିତ ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟରେ ଗୃହସ୍ଥୀ କରଣ, ପିତାମାତା ଗୁରୁଙ୍କ ସେବା, କର୍ତ୍ତବ୍ୟ, ଦାୟିତ୍ୱବୋଧ, ସଂସ୍କାର, ତର୍ପଣ, ଶ୍ରଦ୍ଧା, ପ୍ରଣାମ ର ମୂଲ୍ୟ, ଭାରତୀୟ ସଂସ୍କୃତି, ୩ ପ୍ରକାର ପ୍ରାର୍ଥନା, ୩ ପ୍ରକାର ଶୋଇବା ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ସେ ମୃତ୍ୟୁ ପରେ ଦାନ ଦାନ ନୁହେଁ, ଅନ୍ୟାୟ ସହୁଥିବା ଲୋକ ନ୍ୟାୟ ସମ୍ପର୍କରେ କହିବା କି ଅଧିକାର ଅଛି ?, ବାପା ମା’ଙ୍କୁ ମୃତ୍ୟୁ ପୂର୍ବରୁ କେବେ ମାରନ୍ତୁ ନାହିଁ, ମୁଣ୍ଡ ଥରେ ପାଦ ତଳକୁ ଗଲେ ସେ କେବେ ଝଗଡ଼ା କରିପାରେନି, ଦେଇଥିବା ଲୋକଙ୍କ ପ୍ରତି କୃତଘ୍ନ ନହେବା, ପରନିନ୍ଦା ପରଚର୍ଚ୍ଚା କ୍ରୋଧ ଛାଡ଼ିଦେଲେ ଭଗବାନ ଆପଣଙ୍କ କାୟା ବଦଳାଇ ଦେବେ, ପ୍ରଲୋଭନ ପ୍ରବଚନ ସମାଜକୁ କିପରି ନଷ୍ଟ କରୁଛି ସେ ସମ୍ପର୍କରେ ବିଭିନ୍ନ ନୀତିବାଣୀ ସହ ଆଲୋଚନା କରିଥିଲେ । ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିବା ବେଳେ ମିତ୍ରଭାନୁ ପଣ୍ଡା, ଶରତ ପଣ୍ଡା, ପ୍ରକାଶ ପଣ୍ଡା, ମନୋଜ କବି, ରମେଶ ସିଂ, ସତ୍ୟନାରାୟଣ ଅଗ୍ରୱାଲ, ଉପେନ୍ଦ୍ର ନାୟକ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।