ରାଉରକେଲା, (ସସ୍ମିତା ପ୍ରଧାନ) : ଦ୍ୱିଦିବସୀୟ ଜାତୀୟ ହୋମିଓପାଥିକ ବିଜ୍ଞାନ ସମ୍ବନ୍ଧୀୟ ସମ୍ମିଳନୀ ସ୍ଥାନୀୟ ପାନ୍ଥନିବାସ ଠାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ହୋମିଓପାଥିକ ଫିଜିକସିଆନ ଆସୋସିଏସନ୍ ରାଉରକେଲା ତରଫରୁ ଆୟୋଜିତ ହୋଇଥିଲା । ସମ୍ମିଳନୀର ଅଧ୍ୟକ୍ଷ ଡା. ବିପ୍ରଚରଣ ରାଉତଙ୍କ ଅଧ୍ୟକ୍ଷତା, ରାଜ୍ୟ ହୋମିଓପାଥିକ ଡାକ୍ତର ସଂଘର ସଭାପତି ଡା. ବାଙ୍କନିଧି ମହାନ୍ତି ଓ ସମ୍ପାଦକ ଡା. ବ୍ରହ୍ମାନନ୍ଦ ନାୟକଙ୍କ ଆବାହକତ୍ୱ ତଥା ମଞ୍ଚ ସଂଯୋଜିକା ଡା. ଭଦ୍ରାସୋମା ଗୁରୁଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଉଦଘାଟକ, ବିଶିଷ୍ଟ ଶିଳ୍ପପତି ଦୀପ୍ତି ରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଓ ପ୍ରଫେସର ଡା. ରମେଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ । ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ, ହୋମିଓପାଥିକ ଚିକିତ୍ସା ସର୍ବ ପୁରାତନ ଓ ସ୍ୱଚ୍ଛ ଉତ୍ତମ ପଦ୍ଧତି । ତେବେ ସାମୁହିକ ପ୍ରୟାସକୁ ଗୁରୁତ୍ୱାରୋପ କରିବା ସହ ମୁଁ ନୁହେଁ ଆମେ ଏକାଠି ହେଲେ ସଫଳତା ପାଇ ପାରିବା ବୋଲି ମତ ରଖିଥିଲେ । ଉଦଘାଟକ ଶ୍ରୀ ନାୟକ ଐକ୍ୟବଦ୍ଧତା ଉପରେ ଗୁରୁତ୍ୱାରୋପ କରିବା ସହ ହୋମିଓପାଥିକ ମେଡ଼ିକାଲ କଲେଜରେ ସ୍ୱର୍ଗତ ପ୍ରାକ୍ତନ ଅଧ୍ୟକ୍ଷ ଡା. ରାମକୃଷ୍ଣ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୩ଶହ ସଭ୍ୟରୁ ଏହା ୪ ହଜାରରେ ସଭ୍ୟ ସଂଖ୍ୟା ପହଞ୍ଚିଥିବାରୁ ସାଧୁବାଦ ଦେଇଥିଲେ । ମୁଖ୍ୟବକ୍ତା ପ୍ରଫେସର ଡା. ସାହୁ ତାଙ୍କ ବକ୍ତବ୍ୟରେ ୧୯୫୪ରୁ ସ୍ୱୀକୃତି ପାଇଥିବା ହୋମିଓପାଥିକର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ । ପ୍ରାରମ୍ଭରେ ସଭାପତି ଡା ମହାନ୍ତି ସଭାପତିତ୍ୱ ଅଭିଭାଷଣ, ସମ୍ପାଦକ ଡା. ନାୟକ ସ୍ୱାଗତ ଭାଷଣ ସହ ୧୯୯୬ରୁ ପ୍ରତିଷ୍ଠା ହୋଇଥିବା ହୋମିଓପାଥିକ ମେଡ଼ିକାଲ କଲେଜର କାର୍ଯ୍ୟାବଳୀ ଓ ଆଗାମୀ ଦିନର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରାକ୍ତନ ଅଧ୍ୟାପକ ଡା. ରୁଦ୍ରଚରଣ ପରମାଣିକ, ପ୍ରଫେସର ଡା. ରମେଶ ଚନ୍ଦ୍ର ସାହୁ, ପ୍ରଫେସର ଡା. କୃପାସିନ୍ଧୁ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୂରାତନ ଛାତ୍ର ଡା. ବସନ୍ତ କୁମାର ଦାସ ସମେତ ବହୁ ଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଡା. ଅଶ୍ୱିନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆଲୋଚ୍ୟ ପ୍ରସଙ୍ଗ ଡିମ୍ବାଶ୍ରୟ, ପ୍ରଜଜନ କ୍ଷମତା ଓ ବନ୍ଧ୍ୟାଦୋଷ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ଡାକ୍ତର ମାନେ ଯୋଗଦେଇ ନିଜର ସନ୍ଦର୍ଭ ପାଠ ଓ ବକ୍ତବ୍ୟ ରଖିଥିଲେ ।