ବଲାଙ୍ଗିର ଟେବୁଲ ଟେନିସ ଖେଳର ଇତିକଥା

  • ପ୍ରସ୍ତୁତି – କୃଷ୍ଣଚନ୍ଦ୍ର ମିଶ୍ର, ଓକିଲ

ଟେବୁଲ ଟେନିସ ଏକ ଆନ୍ତର୍ଜାତିକ ଖେଳ ଏବଂ ଜାତୀୟ ସ୍ତରରେ ଏହାର ପରିଚାଳନା ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ଟେବୁଲ ଟେନିସ ଫେଡେରେସନ ଅଫ୍‌ ଇଣ୍ଡିଆ । ବିଭିନ୍ନ ରାଜ୍ୟସ୍ତରୀୟ ସଂଘ ଗୁଡିକ ନିଜ ନିଜ ରାଜ୍ୟରେ ଏହି ଖେଳର ଉନ୍ନତି ଓ ପ୍ରସାର ପାଇଁ ଦାୟିତ୍ୱ ବହନ କରିଥାନ୍ତି । ବଲାଙ୍ଗିରରେ ଟେବୁଲ ଟେନିସ ଖେଳର ପ୍ରଚଳନକୁ ଅନୁଧ୍ୟାନ କଲେ ମନେ ହୁଏ ଏହା ପାଟଣା ଷ୍ଟେଟ ଶାସନ ଠାରୁ ଆରମ୍ଭ ହୋଇଥିଲା । ଲିଟିରାରି ଏଣ୍ଡ ସୋସିଆଲ କ୍ଲବ ବଲାଙ୍ଗିରର କର୍ମକର୍ତ୍ତା ବୃନ୍ଦ ଏଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ୧୯୬୦ ଦଶକରେ ରାଜେନ୍ଦ୍ର କଲେଜ ବଲାଙ୍ଗିର ପୁରୁଣା ଆର୍ଟସ ବ୍ଲକରେ ଥିବା କଲେଜ ହଷ୍ଟେଲରେ ଗୋଟିଏ ଟେବୁଲ ଟେନିସ ବୋର୍ଡର ବ୍ୟବସ୍ଥା କରାଯାଇଥି କଲେଜ ଛାତ୍ରମାନେ ସେଠାରେ ଅଭ୍ୟାସ କରୁଥିଲେ । ପରେ ପରେ ଏହା କାୟା ବିସ୍ତାର କରି ବିଭିନ୍ନ କ୍ଲବମାନଙ୍କରେ ଟେବୁଲ ଟେନିସ ବୋର୍ଡର ପ୍ରଚଳନ କରାଯାଇଥିବା ଜଣାଯାଏ । ଲିଟିରାରି ଏଣ୍ଡ ସୋସିଆଲ କ୍ଲବ ବଲାଙ୍ଗିର ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ୧୩.୦୧.୧୯୬୭ ମସିହାରେ ଅଲ୍‌ ଓଡିଶା ଓନ୍‌ ଟେବୁଲ ଟେନିସ ଟୁର୍ଣ୍ଣାମେଣ୍ଟ କ୍ଲବ ଚେୟାରମ୍ୟାନ ସ୍ୱର୍ଗତ ଡା. କିଶୋର ଚନ୍ଦ୍ର ପୁରୋହିତ ଓ ସମ୍ପାଦକ ଡା. ଜ୍ଞାନିବାସ ଭବଗ୍ରାହୀଙ୍କ ପ୍ରଯୋଜନାରେ ଆରମ୍ଭ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ସଫଳତା ପଛରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ କ୍ରୀଡାବିତ୍‌ ସ୍ୱର୍ଗତ ମୁଜାଫର ହୁସେନ ଖାଁ, ଗୋପବନ୍ଧୁ ମିଶ୍ର, ସୁବାସ ଚନ୍ଦ୍ର ଦାନୀ ଓ କୃଷ୍ଣଚନ୍ଦ୍ର ମିଶ୍ର । ତତକାଳୀନ ବଲାଙ୍ଗିର ସୁନିଲ କୁମାର ପଟ୍ଟନାୟକ ଆଇ.ଏ.ଏସ୍‌ ମୁଖ୍ୟ ଅତିଥି ଭାବରେ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗଦାନ କରିଥିଲେ । ପ୍ରକାଶ ଥାଉକି ଶ୍ରୀ ପଟ୍ଟନାୟକ ମହୋଦୟ ସମୟ ସମୟରେ କ୍ଲବକୁ ଆସି ଟେବୁଲ ଟେନିସ ଖେଳି କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରୁଥିଲେ । ସେହି ସମୟରେ ଟେବୁଲ ଟେନିସ କ୍ଲବର ବିଶେଷ ଆକର୍ଷଣ ଥିଲା । ସନ୍ଧ୍ୟା ହୋଇଗଲେ କ୍ଲବର ସଭ୍ୟମାନେ ଯଥା ସ୍ୱର୍ଗତ ଅଶୋକ କୁମାର ପଟ୍ଟନାୟକ, ସ୍ୱର୍ଗତ ଭକ୍ତ ପ୍ରସାଦ ସିଂ, ସ୍ୱର୍ଗତ ମୁଜାଫର ହୁସେନ ଖାଁ, ଜୟ ଶଙ୍କର ଭୋଇ ପୂର୍ବତନ ନଗରପାଳ, ସାନ୍ତନୁ କୁମାର ସାହୁ, ଗୋପବନ୍ଧୁ ମିଶ୍ର, ଜୟଦେବ ରଥ, କୃଷ୍ଣଚନ୍ଦ୍ର ମିଶ୍ର, ବିଜୟ କୁମାର ଅଗ୍ରୱାଲ, ଉମାକାନ୍ତ ଦାଶ, ଶଙ୍କର ପାତ୍ର, ଅଶୋକ କୁମାର ମିଶ୍ର ଏହିପରି ଅନେକ ବନ୍ଧୁ ଆସି ଟେବୁଲ ଟେନିସ ଅଭ୍ୟାସ କରୁଥିଲେ । କ୍ଲବର କର୍ମକର୍ତ୍ତମାନଙ୍କ ପ୍ରଚେଷ୍ଟାରେ ଜେ.କେ.ରେ ମିଲ୍ସ, ଜେ.କେ.ପୁର ରାୟଗଡା ଏବଂ ରେଳୱେ ରିକ୍ରିଏସନ କ୍ଲବ କଣ୍ଟାବାଞ୍ଜିରେ ଟେବୁଲ ଟେନିସ ଟୁର୍ଣ୍ଣାମେଣ୍ଟ ମାନଙ୍କରେ କ୍ଲବ ତରଫରୁ ମୁଜାଫର ହୁସେନ ଖାଁ, ଗୋପବନ୍ଧୁ ମିଶ୍ର, ଦୁର୍ଗା ପ୍ରସାଦ ଛୁରିଆ ଆଦି ସଭ୍ୟମାନେ ପ୍ରତିନିଧିତ୍ୱ କରୁଥିଲେ । ଏହି ସମୟରେ ଭାରତ ଜୀବନ ବୀମା ନିଗମ ବଲାଙ୍ଗିରରେ କାର୍ଯ୍ୟରତ ଶାନ୍ତନୁ କୁମାର ସାହୁ ଓ ସୁବାସ ଚନ୍ଦ୍ର ଦାନୀଙ୍କ ପ୍ରଚେଷ୍ଟାରେ ଅଫିସ ଠାରେ ଟେବୁଲ ଟେନିସ ବୋର୍ଡର ବ୍ୟବସ୍ଥା କରାଯାଇ କ୍ରୀଡାବିତ୍‌ ମାନେ ଯାଇ ସେଠାରେ ମଧ୍ୟ ଅଭ୍ୟାସ କରୁଥିଲେ । ମୋର ମନେ ହୁଏ ୧୯୭୦-୮୦ ଦଶକରେ ଜୀବନ ବୀମା ନିଗମ କଟକରେ କାର୍ଯ୍ୟରତ ସୁଦଳ ବିହାରୀ ମହାନ୍ତି ଓ ମନୋରଞ୍ଜନ ପଟ୍ଟନାୟକ ରାଜ୍ୟସ୍ତରୀୟ ଟେବୁଲ ଟେନିସର ପ୍ରସାର ପାଇଁ ଯେଉଁ ପଦକ୍ଷେପ ନେଇଥିଲେ ସେଥିପାଇଁ ସେମାନେ ନିଶ୍ଚିତ ଭାବରେପ୍ରଶଂସାର ପାତ୍ର । ସୁଦଳ ବିହାରୀ ମହାନ୍ତି ଆନ୍ତଜାତୀୟ ସ୍ତରରେ ଟେବୁଲ ଟେନିସ ରେଫରୀ ଥିବା ସମୟରେ ମନୋରଞ୍ଜନ ପଟ୍ଟନାୟକ ଓଡିଶା ଟେବୁଲ ଟେନିସ ଏସୋସିଏସନ କଟକର ବହୁବର୍ଷ ଧରି ସମ୍ପାଦକ ଦାୟିତ୍ୱ ତୁଳାଇଥିଲେ । ସେମାନଙ୍କ ପ୍ରଚେଷ୍ଟା ଓ ସହଯୋଗରେ ବଲାଙ୍ଗିର କ୍ରୀଡାବିତ୍‌ ମାନଙ୍କ ଉଦ୍ୟମରେ ଜିଲ୍ଲା ଟେବୁଲ ଟେନିସ ଏସୋସିଏସନ ବଲାଙ୍ଗିର ନାମରେ ସ୍ୱର୍ଗତ ମୁଜାଫର ହୁସେନ ଖାଁଙ୍କ ସଭାପତିତ୍ୱରେ, କୃଷ୍ଣଚନ୍ଦ୍ର ମିଶ୍ର, ସୁବାସଚନ୍ଦ୍ର ଦାନୀ, ସ୍ୱର୍ଗତ ପ୍ରଦୀପ ନାରାୟଣ ସିଂହଦେଓଙ୍କ ସହଯୋଗରେ ଅନୁଷ୍ଠାନିକ ଭାବରେ ୧୯୭୮ ମସିହାରେ ଗଠନ କରାଯାଇଥିଲା, ଯାହା ଓଡିଶା ଟେବୁଲ ଟେନିସ ଏସୋସିଏସନର ମାନ୍ୟତା ମଧ୍ୟ ପାଇଥିଲା । ସେହି ବର୍ଷ ଓଡିଶାର ସୁନାମଧନ୍ୟ କ୍ରୀଡାବିତ୍‌ ତଥା ଏନ୍‌.ଆଇ.ଏସ୍‌ କୋଚ୍‌ ସୁକାନ୍ତ ଘୋଷ ବଲାଙ୍ଗିରରେ ଗୋଟିଏ ମାସ ରହି କ୍ରୀଡାବିତ୍‌ ମାନଙ୍କୁ କ୍ଲବ ପରିସରରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଓଡିଶା ଟେବୁଲ ଟେନିସ ଏସୋସିଏସନ କଟକର ଅନୁମୋଦନ କ୍ରମେ ଜିଲ୍ଲା ଟେବୁଲ ଟେନିସ ଏସୋସିଏସନ ବଲାଙ୍ଗିର ଆନୁକୂଲ୍ୟରେ ଏଲ.ଏନ୍‌ ଏସ୍‌ କ୍ଲବ ବଲାଙ୍ଗିର ଠାରେ ୧୨.୧୧.୧୯୮୩ରୁ ୨୦.୧୧.୧୯୮୩ ପର୍ଯ୍ୟନ୍ତ ଅଲ୍‌ ଓଡିଶା ଟେବୁଲ ଟେନିସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସମୟରେ ଜିଲ୍ଲା ଟେବୁଲ ଟେନିସ ଏସୋସିଏସନ୍‌ ବଲାଙ୍ଗିର ଦ୍ୱାରା ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ଓ ଜିଲ୍ଲା ଟେବୁଲ ଟେନିସ ଏସୋସିଏସନ ସମ୍ବଲପୁରର ପ୍ରତିଯୋଗୀମାନେ ଆସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସେହି ସମୟରେ ଏହି କ୍ରିଡାବିତ୍‌ ମାନଙ୍କୁ ସହଯୋଗର ହାତ ବଢାଇଥିଲେ ମନୋଜ ମହାନ୍ତି ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ ଡିଭିଜନ, ସହକାରୀ ଯନ୍ତ୍ରୀ ଅଇଁଠା ପଟେଲ ସମ୍ବଲପୁର । ଶ୍ରୀଯୁକ୍ତ ମହାନ୍ତି ଓ ଶ୍ରୀଯୁକ୍ତ ପଟେଲ ବିଭିନ୍ନ ସମୟରେ ବଲାଙ୍ଗିର ଆସି କ୍ରୀଡାବିତ୍‌ ମାନଙ୍କୁ ଉତ୍ସାହିତ କରିଥିଲେ । ବଲାଙ୍ଗିରର ଜଣେ ସୁନାମଧନ୍ୟ କ୍ରୀଡାବିତ୍‌ ମାନଙ୍କ ଭିତରେ ସ୍ୱର୍ଗତ ମୁଜାଫର ହୁସେନ ଖାଁ ଏକ ଶ୍ରେଷ୍ଠ ବ୍ୟକ୍ତିତ୍ୱ । ସେ ରାଜେନ୍ଦ୍ର କଲେଜରେ ଛାତ୍ର ଥିବା ସମୟରେ ଜିଲ୍ଲାର ପ୍ରଥମ ଟେବୁଲ ଟେନିସ କ୍ରିଡାବିତ୍‌ ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରତିନିଧିତ୍ୱ କରିବା ସୁଯୋଗ ପାଇଥିଲେ । ସେହିପରି ଯୁବ କ୍ରିଡାବିତ୍‌ ଦୁର୍ଗା ପ୍ରସନ୍ନ ଝୁରିଆ (ପୂର୍ବତନ ବଲାଙ୍ଗିର ଷ୍ଟେଟ୍‌ ବ୍ୟାଙ୍କ କର୍ମଚାରୀ) ମଧ୍ୟ ସିନିୟର କ୍ରିଡାବିତ୍‌ ମାନଙ୍କୁ ଅନୁସରଣ କରି ସେ ମଧ୍ୟ ଟେବୁଲ ଟେନିସରେ ଜିଲ୍ଲାର ବିଭିନ୍ନ ପ୍ରତିଯୋଗିତାରେ ତଥା ସମ୍ବଲପୁରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛନ୍ତି । ୧୯୭୯-୮୦ ଗଙ୍ଗାଧର ମେହେର କଲେଜ ସମ୍ବଲପୁରରେ ଛାତ୍ର ଥିବା ସମୟରେ ଶ୍ରୀ ଝୁରିଆ ସିଲିଗୁଡି (ପଶ୍ଚିମବଙ୍ଗ)ରେ ଅନୁଷ୍ଠିତ ବିଶ୍ୱ ବିଦ୍ୟାଳୟ ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ତରଫରୁ ପ୍ରତିନିଧିତ୍ୱ କରି ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଥିଲେ । ଆମେ ଟେବୁଲ ଟେନିସ ପ୍ରେମୀ ଏହି କ୍ରିଡାବିତ୍‌ ମାନଙ୍କ ପାଇଁ ଗର୍ବିତ ।
ଜିଲ୍ଲା ଟେବୁଲ ଟେନିସ ଏସୋସିଏସନ ବଲାଙ୍ଗିରର ଉପ-ସଭାପତି ସୁବାଷ ଚନ୍ଦ୍ର ଦାନୀ ମଧ୍ୟ ତାଙ୍କ କର୍ମନିଷ୍ଠା, କ୍ରୀଡା ନିପୁଣତାରେ ଯେଉଁ ସଫଳତା ଅର୍ଜନ କରିସାରିଛନ୍ତି ତାହା ନିଶ୍ଚିତ ଭାବରେ ଆଗାମୀ କ୍ରିଡାବିତ୍‌ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ସେ ଥିଲେ ଏକାଧାରରେ ଟେବୁଲ ଟେନିସ କ୍ରିଡାବିତ୍‌ ଓ ଟେବୁଲ ଟେନିସର ଅମ୍‌ପେୟାର । ଶ୍ରୀଯୁକ୍ତ ଦାନୀଙ୍କ ଟେବୁଲ ଟେନିସରେ ଟେକନିକାଲ ଅଫିସର ଭାବରେ ନିଯୁକ୍ତି ପାଇଁ ନଭେମ୍ବର ୧୯୮୨ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଯୋଗଦାନ କରିଥିଲେ । ସେହିପରି ସେହି ବର୍ଷ ଜାନୁୟାରୀ ୧୯୮୨ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ ଟେବୁଲ ଟେନିସ ପ୍ରତିଯୋଗିତାରେ ମଧ୍ୟ ଟେବୁଲ ଟେନିସ ଟେକନିକାଲ ଅଫିସର ଭାବରେ ପ୍ରତିଯୋଗିତାରେ ଯୋଗଦାନ କରିଥିଲେ । ଏହି ପ୍ରତିଭାବାନ କ୍ରୀଡାବିତ୍‌ ୧୯୮୭ ତ୍ରିଭେନ୍ଦ୍ରମ (କେରଳ)ରେ ଅନୁଷ୍ଠିତ ଜାତୀୟ କ୍ରୀଡା ମହୋତ୍ସବରେ ମଧ୍ୟ ଟେବୁଲ ଟେନିସ ଅଫିସର ଭାବରେ ଆମନ୍ତ୍ରିତ ହୋଇ ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ଦାନୀଙ୍କ ଦେହାନ୍ତ ସହିତ ବଲାଙ୍ଗିର ଟେବୁଲ ଟେନିସ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଥିଲା । ବର୍ତ୍ତମାନ ଟେବୁଲ ଟେନିସର ନବକଳେବର ପାଇଁ ବଲାଙ୍ଗିର ଜିଲ୍ଲା ଟେବୁଲ ଟେନିସ ଏସୋସିଏସନ ଗଠନ କରାଯାଇ କର୍ମକର୍ତ୍ତାମାନଙ୍କ ପ୍ରଚେଷ୍ଠାରେ ବିଭିନ୍ନ ପ୍ରତିଯୋଗିତା ଏବଂ ପ୍ରଶିକ୍ଷଣ ଶିବିର ଭଳିଆ କାର୍ଯ୍ୟକ୍ରମ ଗୁଡିକ ସଂଯୋଜନା କରାଯାଉଛି । ବର୍ତ୍ତମାନ ସମୟରେ ଟେବୁଲ ଟେନିସର ମଙ୍ଗ ଧରିଥିବା ସଂଗଠନ ସଭାପତି ଅର୍କେଶ ନାରାୟଣ ସିଂଦେଓ, ସଂଗଠନ ସମ୍ପାଦକ ସୁମିତ ରଂଜନ ପୁରୋହିତ ଓ ଅନ୍ୟାନ୍ୟ କର୍ମକର୍ତ୍ତା ନିଶ୍ଚିତ ଭାବରେ ଅଭିନନ୍ଦନର ପାତ୍ର । ଗତ କିଛି ବର୍ଷ ହେବ ଲିଟିରାରି ଏଣ୍ଡ ସୋସିଆଲ କ୍ଲବ ବନ୍ଦ ଥିବା ବେଳେ ଟେବୁଲ ଟେନିସ ମଧ୍ୟ ପ୍ରାୟତଃ ବନ୍ଦ ରହିଛି । ଆଶା ସମସ୍ତେ ମିଶି ଏହାର ସମାଧାନ ବାହାର କରିବା ସହ ଜିଲ୍ଲାର କ୍ରିଡାକୁ ଆଗେଇ ନେବେ ।

​ଉପ-ସଭାପତି
ଜିଲ୍ଲା କ୍ରିଡା ସଂସଦ, ବଲାଙ୍ଗିର
ମୋ.-୯୯୩୭୪୪୦୪୪୪

Leave A Reply

Your email address will not be published.