ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ନିକଟସ୍ଥ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦହିତାର ରୌପ୍ୟ ଜୟନ୍ତୀ ସମାରୋହରର ଉଦଯାପନୀ ଦିବସରେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବରେ
ଯୋଗଦାନ କରିଥିଲେ । ମହା ବିଦ୍ୟାଳୟ ଖେଳ ପଡ଼ିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ୧୨.୩୦ରେ ଶ୍ରୀ ପଣ୍ଡା ହେଲିକପ୍ଟରରେ ଓହ୍ଲାଇବା ପରେ ସଭାରେ ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ । ମାଟି ମା’ର ମହକ ସହିତ ଦେଶପ୍ରେମର ପବିତ୍ର ମନ୍ତ୍ରରେ ଯୁବସମାଜ ଉଦ୍ବୁଦ୍ଧ ହୋଇ ଶିକ୍ଷା ଆହରଣ କଲେ ସମୃଦ୍ଧ ସମାଜ ଗଠିତ ହୋଇପାରିବ ବୋଲି ବକ୍ତବ୍ୟରେ ଶ୍ରୀ ପଣ୍ଡା କହିଥିଲେ । ନିଷ୍ଠା, ଦୃଢ଼ ମନୋବଳ ଓ ଆତ୍ମବିଶ୍ୱାସ ଛାତ୍ରଛାତ୍ରୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବ ବୋଲି ବରେଣ୍ୟ ସମ୍ମାନିତ ଅତିଥି ବରଗଡ ସାଂସଦ ପ୍ରଦୀପ ପୁରୋହିତ ମତବ୍ୟକ୍ତ କରିଥିଲେ । ସେହିପରି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ମା’, ମାଟି ଓ ମାତୃଭାଷା ମଣିଷ ଜୀବନର ମହୌଷଧି ଅଟେ ବୋଲି କହିଥିଲେ । ମହା ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାର ପ୍ରାରମ୍ଭରେ ରୌପ୍ୟ ଜୟନ୍ତୀ କମିଟି ସଦସ୍ୟ ସରୋଜ ପାଣିଗ୍ରାହୀ ସ୍ୱାଗତ ଭାଷଣ ଏବଂ ଆବାହକ ଅଧ୍ୟାପକ ସୁଶାନ୍ତ ମିଶ୍ର ସଭା ପରିଚାଳନା କରିଥିଲେ । ମହାବିଦ୍ୟାଳୟ କର୍ମଚାରୀ, ନେତାଜୀ କ୍ଲବ ଦହିତା, ଟାଉନ କ୍ଲବ ପଦ୍ମପୁର, ସଙ୍ଗୀତଜ୍ଞ ସୁରେନ୍ଦ୍ର ସାହୁ, ଜମିଦାତା, ଶୁଭେଚ୍ଛୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ଲମ୍ବୋଦର ତାଣ୍ଡି ଓ ପୂର୍ବତନ ଛାତ୍ରଙ୍କ ପରିଚାଳନାରେ ଆୟୋଜିତ ଦ୍ଵିତୀୟ ଅଧିବେଶନରେ ବିଗତ ୨୫ ବ୍ୟାଚ୍ର ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସନ୍ଧ୍ୟାରେ ରୌପ୍ୟ ଜୟନ୍ତୀର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଅଧିବେଶନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦେଶର ବିକାଶ ପାଇଁ ଶିକ୍ଷା ମହୋତ୍ସବର ଭୂମିକାକୁ ଅବତାରଣା କରି ପ୍ରଶଂସିତ କରିଥିଲେ । ପ୍ରତିଷ୍ଠାତା ସଦସ୍ୟ ବୁଦ୍ଧଦେବ ମେହେର, ବୃନ୍ଦାବନ ମେହେର, ମକରଧ୍ୱଜ ବଗାର ପ୍ରମୁଖ ଉପସ୍ଥିତ ଥିଲେ । ଶେଷ ପର୍ଯ୍ୟାୟରେ ସଂଗାମାପା କଳା ପରିଷଦ ବଲାଙ୍ଗିର ଘୁଡୁକା ନୃତ୍ୟ, ଛୁମୁକୁ ଛୁମା କଳା ପରିଷଦ ଭେଡେନର ଡାଲଖାଇ ନୃତ୍ୟ, କୁମ୍ଭାରୀର ଶବ୍ଦ ନୃତ୍ୟ, ଛାତ୍ରଛାତ୍ରୀଙ୍କ ଗୀତନୃତ୍ୟ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହା ବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଗ୍ରାମବାସୀଙ୍କ ଆୟୋଜନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।