ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାରାଷ୍ଟ୍ର ପୁନା ସହରରେ ବସବାସ କରୁଥିବା ପ୍ରବାସୀ ଓଡିଆ ମାନଙ୍କ ପଞ୍ଜୀକୃତ ଭେଟ୍ଘାଟ୍ କଲ୍ଚରାଲ ଏସୋସିଏସନ୍ (ବିସିଏ) ତରଫରୁ ପୁନେର ଜୁନିଅର ଷ୍ଟାଫ କ୍ଲବ୍, ଖଡକି ଠାରେ ରବିବାର ପୁଷ୍ପୁନି ଭେଟ୍ଘାଟ୍ ପାଳନ ହୋଇଯାଇଛି । ଏହି ଉତ୍ସବରେ ୩୦୦ରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ନାଚଗୀତର ବେଶ୍ ଆସର ଜମି ଥିବା ସାଙ୍ଗକୁ ପଶ୍ଚିମ ଓଡ଼ିଶାର ସୁସ୍ୱାଦୁ ଖାଦ୍ୟ ଭାତ, ଡାଲି, ଛତୁ ବେସର, ଘାଣ୍ଟ ତରକାରୀ, ରସଗୋଲା ଓଡ଼ିଶା ରୋଷେୟାଙ୍କ ଦ୍ୱାରା ପ୍ରସ୍ତୁତି କରାଯାଇ ଥିବା ବେଳେସମସ୍ତେ ଏକାଠି ବସି ଖୁସିରେ ଭୋଜନ କରିଥିଲେ । ସଂଘର ସଭାପତି ହେମସାଗର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସଭ୍ୟା ରାଜଶ୍ରୀ ହୋତା ଭଜନ ଗାନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଏଥିରେ ସମ୍ବଲପୁରୀ କଣ୍ଠଶିଳ୍ପୀ ତୁଲାରାମ କଲେତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜସ୍ୱ ମତାମତ ଦେଇଥିଲେ । ଏହି ଅବସରରେ ପିଙ୍କି ଶର୍ମା ମଞ୍ଚ ପରିଚାଳନା କରି ଥିବାବେଳେ ଆର୍ମି ପବ୍ଲିକ ସ୍କୁଲର ପିଲାମାନେ ସମ୍ବଲପୁରୀ, ହରିୟାନୀ, ଝୁମର, ବିହୁ, ପଞ୍ଚରସି ନାଚ ପ୍ରଭୃତି ପରିବେଷଣ କରିଥିଲେ ଓ ବଙ୍କିମ୍ ପଟେଲ ବହୁତ ସୁନ୍ଦର ଓଡ଼ିଆ ଗୀତ ପରିବେଷଣ କରିଥିଲେ । ଏହାପରେ ବିସିଏ ସଭ୍ୟ ମାନଙ୍କ ଦ୍ୱାରା ସମ୍ବଲପୁରୀ ନାଚଗୀତ ପରିବେଷଣ କରାଯାଇଥିଲା । ଏହି ଭେଟ୍ଘାଟ୍ କାର୍ଯ୍ୟକ୍ରମ କଲ୍ଚରାଲ ଏସୋସିଏସନ୍ ” ବିସିଏ ଦ୍ୱାରା କରାଯାଉଥିବାର ମୁଖ୍ୟ କାରଣ ହେଲା ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତିକୁ ବିଚ୍ଛିନ୍ନାଞ୍ଚଳରେ ପ୍ରଚାର ପ୍ରସାର କରିବା, ସହ ସବୁବେଳେ ଓଡ଼ିଆ ମାନଙ୍କ ଏକତାକୁ ବଜାଇ ରଖିବାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଅତିଥି ଓ ସଭ୍ୟମାନେ ମତବ୍ୟକ୍ତ କରିଥିଲେ । ସଂଘ ପକ୍ଷରୁ ଅନୁପ ମିଶ୍ର ସମସ୍ତଙ୍କୁ ଅନେକ ଦିଗଦର୍ଶନ ଦେଇ ଥିବାବେଳେ ଶେଷରେ ସଞ୍ଜୟ ମହାନ୍ତି ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇ ନିଜ ନିଜ ପରିବାର ସହ ଖୁସିରେ ରହିବା ପାଇଁ ପରାମର୍ଶ ଦେଇଥିଲେ ।
Prev Post