ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ପରିସରରେ ୟୁଥ୍ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବର ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୂହିକ ଭାବେ ଜାତୀୟ ଗୀତ ବନ୍ଦେ ମାତରମ୍ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ ଏହି ସଭାରେ ସଭାପତିତ୍ୱ କରି ସ୍ୱାଗତ ଭାଷଣ ଦେବା ସହ ପ୍ରତ୍ୟେକ ମଣିଷ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଜାଗ୍ରତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସଭାରେ ଚଳିତ ବର୍ଷର ଆଭିମୁଖ୍ୟ “ଇଗ୍ନାଇଟ୍ ଦି ସେଲଫ୍, ଇମ୍ପାକ୍ଟ ଦି ୱାର୍ଲଡ୍” ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିତେନ୍ଦ୍ରନାଥ ଗୁରୁ ଯୋଗଦେଇ ଯୁବପିଢ଼ିଙ୍କୁ ଦେଶ ଗଠନରେ ବ୍ରତୀ ହେବାକୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଝାରବନ୍ଧ ମହା ବିଦ୍ୟାଳୟର ଅଧ୍ୟାପକ ଡ. ଖ୍ୟାତିମୟ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଜୀବନ ଦର୍ଶନ ଉପରେ ବିସ୍ତୃତ ଆଲୋକପାତ କରିଥିଲେ । ସେ ନିଜ ବକ୍ତବ୍ୟରେ ଯୁବ ସମାଜକୁ ସ୍ୱାମୀଜୀଙ୍କ ନୀତିରେ ଅନୁପ୍ରାଣିତ ହୋଇ ଏକ ସୁସ୍ଥ ସମାଜ ଗଠନ କରିବାକୁ ଏବଂ ନିଜ ଅନ୍ତରାତ୍ମାକୁ ଜାଗ୍ରତ କରି ବିଶ୍ୱକୁ ପ୍ରଭାବିତ କରିବାକୁ ବିଶେଷ ଗୁରୁତ୍ୱ ଦେଇଥିଲେ । ପୂର୍ବରୁ ଅନୁଷ୍ଠିତ ହୋଇଥିବା କୁଇଜ୍ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସଭାରେ ସମ୍ମାନିତ ଅତିଥି ଭାବେ ପ୍ରଭାତ କୁମାର ମହାପତ୍ର ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଡ. ସରୋଜ କୁମାର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ବୁନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ପରେ ମହାବିଦ୍ୟାଳୟ ପକ୍ଷରୁ ଏକ ପ୍ରତୀକାତ୍ମକ ଗଣଦୌଡ଼ର ଆୟୋଜନ କରାଯାଇଥିଲା ଏବଂ ସମସ୍ତେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ସଂକଳ୍ପ ନେଇଥିଲେ । ଏହି ସମଗ୍ର କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।