ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବିଶିଷ୍ଟ ସାମାଜିକ-ସ୍ୱେଚ୍ଛାସେବୀ ଅନୁଷ୍ଠାନ ବାସୁଦେବପୁର ଜନ କଲ୍ୟାଣ ପରିଷଦର ରୌପ୍ୟଜୟନ୍ତୀ ପାଳନ ଉପଲକ୍ଷେ ଏକ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଭାପତି ଡାକ୍ତର ରବିନାରାୟଣ ମହାପାତ୍ର ଏବଂ ସାଧାରଣ ସମ୍ପାଦକ ଲକ୍ଷ୍ମଣ ନାଥ ଦାସଙ୍କ ଆବାହକତ୍ୱରେ ସ୍ଥାନୀୟ ହୃଷୀକେଶ ରାୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଚିତ୍ରାଙ୍କନ, ପ୍ରବନ୍ଧ ଏବଂ ସାଧାରଣ ଜ୍ଞାନ ପ୍ରଭୃତି ବିଭିନ୍ନ ବିଭାଗରେ ଶତାଧିକ ଛାତ୍ରଛାତ୍ରୀ ଉତ୍ସାହ ସହକାରେ ଅଂଶଗ୍ରହଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଷଦର ଶରତ କୁମାର ଦାସ, ଉଦୟ କୁମାର ସାହୁ, କୃପାସିନ୍ଧୁ ନାୟକ, ସନାତନ ପତି, ଉଜ୍ଜ୍ୱଳ ପ୍ରଦୀପ ଦାସ, ସତ୍ୟଜିତ୍ ସାହୁ, ବଳରାମ ରାଉଳ, ବସନ୍ତ କୁମାର ବେହେରା ପ୍ରମୁଖ ପରିଷଦର କର୍ମକର୍ତ୍ତା ଏବଂ ଅଧ୍ୟାପିକା ଚିନ୍ମୟୀ ପୁରୋହିତ ସୁଚାରୁ ରୂପେ ପରିଚାଳନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଫେବୃଆରୀ ମାସରେ ହେବାକୁ ଥିବା ପରିଷଦର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ପୁରସ୍କୃତ କରାଯିବ ।