ବାଲିଘାଟରେ କଂଗ୍ରେସ ନେତାଙ୍କୁ ଆକ୍ରମଣ : ବିଭିନ୍ନ ମହଲରେ ତୀବ୍ର ନିନ୍ଦା

  • ଉଚ୍ଚସ୍ତରୀୟ ତଦନ୍ତ ଦାବୀ ହୋଇଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘଦିନ ହେବ ଉକ୍ତ ବାଲିଘାଟରୁ ବେଆଇନ ଭାବେ ଋଷିକୁଲ୍ୟା ନଦୀରୁ ବାଲି ଚୋରା ଚାଲାଣ ହେଉଥିବାକୁ ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିବାଦ ଲାଗି ରହିଥିବା କୁହାଯାଏ । ଏହି ଅଞ୍ଚଳରୁ ନେତୃତ୍ତ୍ୱ ନେଉଥିବା ଏବଂ ଏହି ଅଞ୍ଚଳରେ ବ୍ୟାପକ ଅନିୟମିତତା କଳାବଜାରୀ, ବ୍ୟାପକ ଦୁର୍ନୀତି ହେଉଥିବା ନେଇ କଂଗ୍ରେସ ନେତା ରଜନୀକାନ୍ତ ପାଢ଼ୀ ତୀବ୍ର ବିରୋଧ କରି ଆସୁଥିଲେ, ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାକି ଏହି ନିର୍ବାଚନ ମଣ୍ଡଳୀରେ ହେଉଥିବା ଦୁର୍ନୀତି, ବେଆଇନ କାର୍ଯ୍ୟ ବିରୋଧରେ ସ୍ୱର ଉଠାଇ ଆସୁଥିଲେ । ସର୍ବୋପରି ଋଷିକୁଲ୍ୟା ନଦୀତଟ ବାଲିଘାଟରେ କଂଗ୍ରେସ ନେତାଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି ଏବଂ ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ ହୋଇଛି । ଏଭଳି ବେଆଇନ ବାଲି ଉତ୍ତୋଳନକୁ ବିରୋଧ କରିବାରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀଙ୍କୁ କିଛି ଦୁର୍ବୃତ୍ତ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଏବଂ ତୀବ୍ର ନିନ୍ଦା କରାଯାଇଛି । ଏହି ଆକ୍ରମଣରେ ରଜନୀକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଏହାକୁ ନେଇ ହିଞ୍ଜିଳିକାଟୁ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହାର ସମାଧାନ କରିବା ଦିଗରେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବୀ ହୋଇଛି । ଦୀର୍ଘଦିନ ହେବ ଉକ୍ତ ବାଲିଘାଟରୁ ବେଆଇନ ବାଲି ଚୋରା ଚାଲାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିବାଦ ଲାଗି ରହିଥିଲା । କଂଗ୍ରେସ ନେତା ରଜନୀକାନ୍ତ ପାଢ଼ୀ ଏହି ବେଆଇନ କାର୍ଯ୍ୟ ବିରୋଧରେ ସ୍ୱର ଉଠାଇ ଆସୁଥିଲେ । ଏହାକୁ ବନ୍ଦ କରିବା ଦାବୀରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପ୍ରଶାସନ ପାଖରେ ଫେରାଦ ହେବାର ମାତ୍ର ୨୪ ଘଣ୍ଟା ନପୁରୁଣୁ ତାଙ୍କ ଉପରେ ଏହି ମାରାଣାତ୍ମକ ଆକ୍ରମଣ ହେବା ଘଟଣାରେ ଏଥିରେ କେଉଁ ଦଳର ନେତାଙ୍କ ହାତ ଅଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ରଜନୀକାନ୍ତଙ୍କ ଅଭିଯୋଗ ଅନୁସାରେ, ବାଲି ମାଫିଆମାନେ ନିଜର କାରବାରରେ ବାଧା ଉପୁଜୁଥିବାରୁ ତାଙ୍କୁ ଟାର୍ଗେଟ କରି ଏପରି ଯୋଜନାବଦ୍ଧ ଆକ୍ରମଣ କରିଛନ୍ତି । ଆକ୍ରମଣ ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୋଲିସ ରଜନୀକାନ୍ତଙ୍କ ଅଭିଯୋଗ ଆଧାରରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଗଞ୍ଜାମରେ ବେଆଇନ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ଏହି ଘଟଣା ଜିଲ୍ଲାର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.