ପ୍ରଗତି ମଞ୍ଚର ହସ୍ତକ୍ଷେପ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣକୁ କରୁଛି ତ୍ୱରାନ୍ୱିତ

  • ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଯୁଦ୍ଧକାଳନୀ ଭିତ୍ତିରେ ସମ୍ପୂର୍ଣ୍ଣ ହୋଇଥିଲା ଭୁବନେଶ୍ୱର – ଡେଲାଙ୍ଗ – ପୁରୀ ରେଳଲାଇନ୍

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଗତି ମଞ୍ଚ ଦେଶରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ତ୍ୱରିତ ଏବଂ ସମୟୋଚିତ କାର୍ଯ୍ୟକାରିତାରେ ବିଶେଷ ଭାବେ ସହାୟକ ହୋଇଛି । ଏହାର ଏକ ଉଦାହରଣ ଭୁବନେଶ୍ୱର-ଡେଲାଙ୍ଗ-ପୁରୀ ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । 70 କିଲୋମିଟର ଲମ୍ବ ଏହି ପ୍ରକଳ୍ପକୁ ମାର୍ଚ୍ଚ 2012ରେ ମଞ୍ଜୁର କରାଯାଇଥିଲା । ପ୍ରକଳ୍ପ ଲାଗି ରେଳ ମନ୍ତ୍ରଣାଳୟ 1,650 କୋଟି ଟଙ୍କା ମଞ୍ଜୁର କରିଥିଲା । 2015 ଜୁଲାଇ ମାସରେ ପୁରୀରେ ଶ୍ରୀଜିଉଙ୍କ ନବକଳେବର ଉତ୍ସବକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା । ଏହାର ଉଦ୍ଦେଶ୍ୟ ଥିଲା ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ଥିବା ପ୍ରମୁଖ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳୀକୁ ସୁବିଧା ଜନକ ରେଳ ସଂଯୋଗୀକରଣ ଯୋଗାଇଦେବ ।ଶ୍ରୀକ୍ଷେତ୍ରରେ ନବକଳେବର ଦେଖିବା ଲାଗି 50 ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଥିଲା । ତେଣୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ଏହି ରେଳ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସାରିବା ଜରୁରୀ ହୋଇପଡ଼ିଥିଲା । ଇତି ମଧ୍ୟରେ ଭୁବନେଶ୍ୱର-ଡେଲାଙ୍ଗସେକ୍ସନ 40 କିଲୋମିଟର ରେଳ ଲାଇନ ଏବଂ ଡେଲାଙ୍ଗ-ସାକ୍ଷୀଗୋପାଳ ସେକ୍ସନ 13 କିଲୋମିଟର ରେଳ ଲାଇନର ଦୋହରୀକରଣ ସରିଥିଲା । କିନ୍ତୁ 17 କିଲୋମିଟର ବିଶିଷ୍ଟ ସାକ୍ଷୀଗୋପାଳ-ପୁରୀ ସେକ୍ସନ କାମ ସରିବାରେ ବିଳମ୍ବ ହୋଇଥିଲା । ଠିକ୍ ସମୟରେ ଏହି କାମକୁ ସାରିବା ସହିତ ସମ୍ପୂର୍ଣ୍ଣ ଭୁବନେଶ୍ୱର – ଡେଲାଙ୍ଗ – ପୁରୀ ରେଳ ଲାଇନକୁ ନବକଳେବର ପୂର୍ବରୁ କାର୍ଯ୍ୟକ୍ଷମ କରିବା ଏକ ବଡ଼ ଆହ୍ୱାନ ଥିଲା । ନିର୍ମାଣ କାମକୁ ଗତିଶୀଳ କରିବା ଏବଂ ସବୁ ବିଳମ୍ବିତ କାର୍ଯ୍ୟକୁ ଯଥା ଶୀଘ୍ର ସାରିବା ଜରୁରି ହୋଇପଡ଼ିଥିଲା । ଏହି ପ୍ରକଳ୍ପର ଗୁରୁତ୍ୱକୁ ଉପଲବ୍ଧି କରି 24 ଜୁନ୍ 2015ରେ ଅନୁଷ୍ଠିତ ପ୍ରଗତି ବୈଠକରେ ଏହାର ସମୀକ୍ଷା କରାଯାଇଥିଲା । ସମୀକ୍ଷା ସମୟରେ, ନବକଳେବର ମହୋତ୍ସବ ପାଇଁ ଏହି ପ୍ରକଳ୍ପ ଜରୁରି ହୋଇଥିବାରୁ ରେଳ ମନ୍ତ୍ରଣାଳୟ ଯଥା ଶୀଘ୍ର ସବୁ କାମ ସାରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରକଳ୍ପକୁ ସର୍ବୋଚ୍ଚ ପ୍ରାଥମିକତା ମାନ୍ୟତା ମିଳିଥିଲା । କାର୍ଯ୍ୟକାରୀ ସଂସ୍ଥା ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପ୍ରୟାସକୁ ବ୍ୟାପକ କରିଥିଲା । ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରାଯାଇ ଯଥା ଶୀଘ୍ର ସବୁ କାମ ସାରିବାକୁ ପଦକ୍ଷେପ ନିଆଯାଇଥିଲା । ଅନ୍ୟପକ୍ଷରେ ପ୍ରଗତି ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ନେଇ ନବକଳେବର ମହୋତ୍ସବକୁ ସଫଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲା । ସୁରକ୍ଷା, ପାନୀୟ ଜଳଯୋଗାଣ ଏବଂ ସ୍ୱଚ୍ଛତା ଉପରେ ପ୍ରାଥମିକତା ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା । ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଏହି ବିଶାଳ ଧାର୍ମିକ ମହୋତ୍ସବର ଜାତୀୟ ପ୍ରଭାବକୁ ସ୍ୱୀକାର କରି ପ୍ରଗତି ମଞ୍ଚ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ବ୍ୟତୀତ ଜ୍ଞାନ ବିନିମୟ ଏବଂ ସଂସ୍ଥାଗତ ଶିକ୍ଷା ଲାଭ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲା । ଆଗକୁ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ କୁମ୍ଭମେଳା ଆୟୋଜନ ହେବାକୁ ଥିବାରୁ ନବକଳେବର ପ୍ରସ୍ତୁତି ଅନୁଧ୍ୟାନ ଲାଗି ପୁରୀରେ ଦଳ ନିୟୋଜିତ କରିବା ଲାଗି ପରାମର୍ଶ ଦିଆଯାଇଥିଲା । ଏହି ଦୂରଦୃଷ୍ଟି ପୂର୍ଣ୍ଣ ମାର୍ଗଦର୍ଶନ ଓଡ଼ିଶାର ପ୍ରୟାସକୁ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ କାର୍ଯ୍ୟକାରିତା ଯୋଗ୍ୟ ଉଦାହରଣ ରୂପେ ଗ୍ରହଣ କରିବା ଲାଗି ମାର୍ଗ ପ୍ରଶସ୍ତ କରିଥିଲା । ଅନ୍ୟ ରାଜ୍ୟ ଗୁଡ଼ିକ ଓଡ଼ିଶାର ଶ୍ରେଷ୍ଠ ପ୍ରୟାସରୁ ଶିକ୍ଷା ଲାଭ କରିଥିଲେ ଏବଂ ଏହା ଏକ ବିଶାଳ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନରେ ଆନ୍ତଃରାଜ୍ୟ ସମନ୍ୱୟରେ ମଧ୍ୟ ସୁଧାର ଆଣିଥିଲା । ଭୁବନେଶ୍ୱର-ଡେଲାଙ୍ଗ-ପୁରୀ ରେଳଲାଇନ୍ ନବକଳେବର 2015 ସମୟରେ 50ରୁ 60 ଲକ୍ଷଯାତ୍ରୀଙ୍କ ଯାତାୟାତ ପାଇଁ ସୁବିଧା ଯୋଗାଇ ଦେଇଥିଲା । ଏହି କରିଡର ସିଙ୍ଗଲ ଲାଇନରୁ ଡବଲ୍ ଲାଇନ୍ ହେବା ଫଳରେ ଏହି ମାର୍ଗରେ ଟ୍ରେନ୍ ଏବଂ ଯାତ୍ରୀଙ୍କ କ୍ଷମତା ପ୍ରାୟ 2ରୁ 3 ଗୁଣ ବୃଦ୍ଧି ପାଇଥିଲା । ଅଧିକ ଭିଡ଼ ସମୟରେ 10ରୁ 15 ମିନିଟ୍ ବ୍ୟବଧାନରେ ଟ୍ରେନ୍ ଚଳାଚଳ କରିଥିଲା । ବର୍ଦ୍ଧିତ କ୍ଷମତା କାରଣରୁ ଭାରତୀୟ ରେଳବାଇ ଦୈନିକ ଲକ୍ଷାଧିକ ଯାତ୍ରୀଙ୍କ ପରିବହନ କରିବାକୁ ସକ୍ଷମ ହୋଇଥିଲା । କେବଳ ସେତିକି ନୁହେଁ ଏହି ରେଳ ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ସାମାଜିକ ଆର୍ଥିକ ଲାଭ ସହିତ ଜନ କଲ୍ୟାଣରେ ମଧ୍ୟସହାୟକ ହୋଇଥିଲା । ଭାରତର ଏକ ପ୍ରମୁଖ ତୀର୍ଥସ୍ଥଳକୁ ଅଧିକ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କ ଯାତ୍ରା ସୁଗମ ହୋଇଥିଲା । ପାର୍ବଣ ଆବଶ୍ୟକତା ବ୍ୟତୀତ ଏହି ପ୍ରକଳ୍ପ ଦୀର୍ଘକାଳୀନ ଆଞ୍ଚଳିକ ଯୋଗାଯୋଗ, ପର୍ଯ୍ୟଟନ ଅଭିବୃଦ୍ଧି ଏବଂ ଆର୍ଥିକ କାର୍ଯ୍ୟକଳାପ କ୍ଷେତ୍ରରେ ମଧ୍ୟ ଯୋଗଦାନ ଦେଇଥିଲା ।

Leave A Reply

Your email address will not be published.