ବଲାଙ୍ଗିର, (କେପିଏନ୍ଏସ୍) : ତମ୍ବା ପିତ୍ତଳ ସାମଗ୍ରୀ ତଥା ସୁନା ରୂପା ଗହଣା ସଫା କରିବା ବାହାନାରେ ସହରରେ ଲୋକଙ୍କୁ ଲୁଟୁଛନ୍ତି ଲୁଟେରାମାନେ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହର ତେଲିଗୋଠପଡାରେ । ଭୂମିସୂତା ହୋତାଙ୍କ ଘରେ ଦୁଇ ଜଣ ବିହାରୀ ଯୁବକ ପହଂଚି ଏଭଳି କାଣ୍ଡ କରିଥିବା ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ଦୁଇ ବିହାରୀ ଯୁବକ ହେଉଛନ୍ତି ବିହାରର ସିକନ୍ଦର ସା’ ଓ ରୋହିତ ସା’ । ଅଭିଯୋଗ ଅନୁସାରେ ଦୁହେଁ ଭୂମିସୂତାଙ୍କ ଘରକୁ ଯାଇ ତାଙ୍କ ଗାଡିର କିଛି ସାମଗ୍ରୀ ଓ ରୁପା ସାମଗ୍ରୀ ସଫା କରିଥିଲେ । ପରେ ମହିଳାଙ୍କ ସୁନା ଚେନ ସଫା କରିବାକୁ ମାଗିଥିଲେ, ହେଲେ ମହିଳା ଜଣକ ମନା କରିବାରୁ ତାଙ୍କ ବେକରୁ ଚେନ ଲୁଟି ଫେରାର ମାରିଥିଲେ ୨ ଲୁଟେରା । ଏନେଇ ଟାଉନ ଥାନାରେ ଏତଲା ଦେବାପରେ ତଦନ୍ତ ଆରମ୍ଭ କରି ୨ ଲୁଟେରାଙ୍କୁ ୭ ଦିନ ପରେ ଧରିବାରେ ସଫଳ ହେଇଛି ବଲାଙ୍ଗିର ଟାଉନ ଥାନା ପୋଲିସ । ପୋଲିସର ଉଚିତ ପଦକ୍ଷେପ ଯୋଗୁଁ ଚେନ୍ ମଧ୍ୟ ଫେରିପାଇଛନ୍ତି ମହିଳା ଜଣକ । ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ସହ ଆଉ ଦୁଇଜଣ ରହିଛନ୍ତି, ସେମାନଙ୍କୁ ପଦ୍ମପୁର ପୋଲିସ ଦ୍ୱାରା ଗିରଫ ହୋଇଥିବା ସୂଚନାରେ କୁହାଯାଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ, ଗହଣା ସଫାକରିବା ପାଉଡ଼ର ଆଦି ଜବତ କରିବା ସହ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଏମାନଙ୍କ ନାମରେ ଛତିଶଗଡ଼ ସହ ଓଡ଼ିଶାର ବହୁ ଜିଲ୍ଲାରେ ମାମଲା ରହିଥିବା ବେଳେ ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟରୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି ।
Prev Post