ବିପିୟୁଟି ପ୍ରକଳ୍ପ ପ୍ରଦର୍ଶନୀ-୨୦୨୫ ସଫଳତାର ସହ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୪ ଡିସେମ୍ବର ୨୦୨୫ରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ, “ବିପିୟୁଟି ପ୍ରକଳ୍ପ ପ୍ରଦର୍ଶନୀ-୨୦୨୫ (ତୃତୀୟ ସଂସ୍କରଣ)” ସଫଳତାର ସହ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷର ପ୍ରଦର୍ଶନୀର ବିଷୟବସ୍ତୁ ଥିଲା “ବିକଶିତ ଭାରତ ପାଇଁ ସ୍ଥାୟୀ ବିକାଶ ଲକ୍ଷ୍ୟରେ ବୁଦ୍ଧିମାନ ସମାଧାନ” । ଓଡ଼ିଶାର ୩୧ଟି ସଂଲଗ୍ନ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ମୋଟ ୧୩୨ଟି ଅଭିନବ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଏହି ପ୍ରଦର୍ଶନୀ ଭୁବନେଶ୍ୱରର ଗଙ୍ଗପଦାସ୍ଥିତ ସ୍ଥାନ ସହଭାଗୀ ଗୀତମ (ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ) ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଦର୍ଶନୀରେ ପରିବେଶ ଏବଂ ସ୍ଥାୟୀ ବିକାଶ ଉପରେ ବିଶେଷ ଗୁରୁତ୍ୱ ସହିତ କୃତ୍ରିମ ବୁଦ୍ଧିମତା, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍, ରୋବୋଟିକ୍ସ, ସାଇବର ସିକ୍ୟୁରିଟି ଏବଂ ମେକାନିକାଲ୍, ଇଲେକ୍ଟ୍ରିକାଲ୍ ଓ ସିଭିଲ୍ ଇଞ୍ଜିନିୟରିଂ ଭଳି ବିଭିନ୍ନ ଆଧୁନିକ ତଥା ସାମାଜିକ ପ୍ରାସଙ୍ଗିକ ଇତ୍ୟାଦିକୁ ନେଇ ପ୍ରକଳ୍ପ ଗୁଡ଼ିକ ଉପସ୍ଥାପିତ ହୋଇଥିଲା । କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦଘାଟନ ସକାଳ ୯ଟା ୩୦ ସମୟରେ ଭୁବନେଶ୍ୱର ଗୀତମର ଓମ୍ ବାଲାଜୀ ଅଡିଟୋରିୟମ ହଲରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓୟୁଟିଆରର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ, ମୁଖ୍ୟ ପୃଷ୍ଠପୋଷକ ଭାବେ ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ, ସମ୍ମାନିତ ଅତିଥି ଭାବେ କଗ୍ନିଜାଣ୍ଟ ଟେକ୍ନୋଲୋଜି ସଲ୍ୟୁସନର ଉପ-ସଭାପତି ସତୀଶ କୁମାର ପ୍ରଧାନ, ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥାଳ ଏବଂ ଗୀତମର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ପ୍ରଧାନ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ପ୍ରଫେସର ବିଶ୍ୱାଳ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ଛାତ୍ରଛାତ୍ରୀମାନେ କେବଳ ବୈଷୟିକ ଜ୍ଞାନ ନୁହେଁ, ବରଂ ନୈତିକ ଉଦ୍ଭାବନ, ଗଠନମୂଳକ ଚିନ୍ତାଧାରା ଏବଂ ପ୍ରଭାବଶାଳୀ ସହଯୋଗ କରିବାର କ୍ଷମତା ରଖିବା ଉଚିତ । କୁଳପତି ପ୍ରଫେସର ରଥ ବୃତ୍ତିଗତ ଦକ୍ଷତା, ନୈତିକ ମୂଲ୍ୟବୋଧ, ନେତୃତ୍ୱ ଏବଂ ସାମାଜିକ ଦାୟିତ୍ୱବୋଧ ଉପରେ ଗୁରୁତ୍ୱାରୋପ କରିବା ସହ ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ସତୀଶ କୁମାର ପ୍ରଧାନ ସ୍ୱାସ୍ଥ୍ୟସେବା, ଅର୍ଥନୀତି, ଉତ୍ପାଦନ ଏବଂ ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ପରିବର୍ତ୍ତନଶୀଳ ଭୂମିକା ବିଷୟରେ ଆଲୋଚନା କରିଥିଲେ । ଡକ୍ଟର ପୁଥାଳ ଆଶା ପ୍ରକଟ କରିଥିଲେ ଯେ, ପ୍ରଦର୍ଶନୀରେ ପ୍ରଦର୍ଶିତ ନୂତନ ଚିନ୍ତାଧାରା ସମାଜ ପାଇଁ ଲାଭଦାୟକ ଉତ୍ପାଦରେ ପରିଣତ ହେବ । ପ୍ରଫେସର ଅଜୟ କୁମାର ପ୍ରଧାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ଭାବନ, ସୃଜନଶୀଳତା ଏବଂ ଅଭିଜ୍ଞତାଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ଏହି ପ୍ରଦର୍ଶନୀର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମଟି ସଂଯୋଜକ ଡକ୍ଟର ପ୍ରକାଶ କୁମାର ପଣ୍ଡାଙ୍କ ସ୍ୱାଗତ ଭାଷଣରୁ ଆରମ୍ଭ ହୋଇ ବିପିୟୁଟିର ଉପ-କୁଳସଚିବ ଡକ୍ଟର ଶୁଭେନ୍ଦୁ କୁମାର ରଥଙ୍କ ଧନ୍ୟବାଦ ଅର୍ପଣ ସହ ଶେଷ ହୋଇଥିଲା । ଅପରାହ୍ନ ୫ଟାରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏଆଇସିଟିଇର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସଞ୍ଜୀବ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରେଷ୍ଠ ପ୍ରକଳ୍ପଗୁଡ଼ିକୁ ପୁରସ୍କୃତ କରାଯାଇଥିଲା । ଭୁବନେଶ୍ୱର ଇଞ୍ଜିନିୟରିଂ କଲେଜର ଆକାଶ କୁମାର ନାୟକ, କୃପାସିନ୍ଧୁ ମିର୍ଦ୍ଧା ଏବଂ ଓମ୍ ବିଷ୍ଣୁ ସାନ୍ୟାଙ୍କୁ ସେମାନଙ୍କ ଅଭିନବ ଉଦ୍ଭାବନ ‘ଟମାଟୋ ପାଇଁ ଜିରୋ ଏନର୍ଜି କୋଲ୍ଡ ଷ୍ଟୋରେଜ୍’ ନିମନ୍ତେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା । ଭୁବନେଶ୍ୱର ସିନର୍ଜି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ନୀଳକଣ୍ଠ ମହାରଣା ଏବଂ କମଳ ଲୋଚନ ପ୍ରଧାନଙ୍କୁ ସେମାନଙ୍କ ଅଭିନବ ଜଳସେଚନ ପ୍ରଣାଳୀ ପାଇଁ ଦ୍ୱିତୀୟ ପୁରସ୍କାର ମିଳିଥିଲା । ସେହିପରି ଗୀତମ, ଭୁବନେଶ୍ୱରର ସିଦ୍ଧାନ୍ତ ଚଳାନ, ରାକେଶ କୁମାର ବିଶ୍ୱାଳ ଓ ସୌମ୍ୟ ରଞ୍ଜନ ସାହୁଙ୍କୁ ‘ବର୍ଷା-ସୂଚନାକାରୀ ସ୍ୱୟଂଚାଳିତ ଝରକା’ ପାଇଁ ଏବଂ ଗୀତା କଲେଜର ଦେବୀ ପ୍ରସାଦ ପଣ୍ଡା, ମନୋଜ କୁମାର ସାହୁ ଓ ପ୍ରତୀକ କିରଣ ରାଉତଙ୍କୁ ସେମାନଙ୍କ କମ୍ପ୍ୟୁଟର ଅପରେଟିଂ ସିଷ୍ଟମ୍ ‘ସିନର୍ଜି ଓଏସ୍’ ପାଇଁ ଯୁଗ୍ମ ଭାବେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଠନମୂଳକ ଚିନ୍ତାଧାରା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି ପ୍ରକଳ୍ପ ପ୍ରଦର୍ଶନୀ, ଉଦ୍ଭାବନ ଏବଂ ଉଦ୍ୟୋଗୀକରଣ କ୍ଷେତ୍ରରେ ଏକ ଶ୍ରେଷ୍ଠତା କେନ୍ଦ୍ର ଭାବରେ ଉଭା ହେବା ପାଇଁ ବିପିୟୁଟିର ଲକ୍ଷ୍ୟ ସହିତ ସମନ୍ୱିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କେବଳ ଅଂଶଗ୍ରହଣକାରୀଙ୍କ ବୈଷୟିକ ଦକ୍ଷତାକୁ ପ୍ରଦର୍ଶିତ କରିନଥିଲା, ବରଂ ସୃଜନଶୀଳତା, ସମସ୍ୟା ସମାଧାନ କୌଶଳ ଏବଂ ସହଯୋଗୀ ଶିକ୍ଷାକୁ ବୃଦ୍ଧି କରିବା ପାଇଁ ମଧ୍ୟ ଏକ ମଞ୍ଚ ପ୍ରଦାନ କରିଥିଲା ।

Leave A Reply

Your email address will not be published.