୨୩ତମ ବଲାଙ୍ଗିର ଲୋକ ଉତ୍ସବ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁୟାରୀ ୧୯ ରୁ ୨୩ ପାଞ୍ଚଦିନ ବ୍ୟାପୀ ସ୍ଥାନୀୟ କୋଶଲ କଳା ମଣ୍ଡଳ ଠାରେ ଚଳିତ ବର୍ଷ ୨୩ତମ ବଲାଙ୍ଗିର ଲୋକ ଉତ୍ସବ -୨୦୨୫ ଅନୁଷ୍ଠିତ ହେବ । ଆଜି ସ୍ଥାନୀୟ ବନଖଣ୍ଡ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ୨୩ତମ ବଲାଙ୍ଗିର ଲୋକ ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଗୌରୱ ଶିୱାଜି ଇସଲୱାର ଅଧ୍ୟକ୍ଷତା କରିଥିଲେ । ୨୩ତମ ବଲାଙ୍ଗିର ଲୋକ ଉତ୍ସବ -୨୦୨୫ ଅନୁଷ୍ଠିତ କରିବା ପାଇଁ ସମସ୍ତ କମିଟି ଗଠନ ଓ କମିଟି ଗୁଡ଼ିକର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ପାରମ୍ପରିକ ଲୋକ କଳା ଓ ଲୋକ ନୃତ୍ୟ, ପାରମ୍ପରିକ ସଂସ୍କୃତି ପରମ୍ପରାକୁ ବଜାୟ ରଖି ଏହି ମହୋତ୍ସବକୁ ପାଳନ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ଵାରୋପ କରିଛନ୍ତି । ଏହି ମହୋତ୍ସବକୁ ଆଡମ୍ବର ଓ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବଲାଙ୍ଗିର ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ, କଳାକାରମାନେ ଉପସ୍ଥିତ ରହି ସେମାନଙ୍କର ମୂଲ୍ୟବାନ ଓ ଉପାଦେୟ ପ୍ରସ୍ତାବ ଏବଂ ମତାମତ ପ୍ରଦାନ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଉପ ଜିଲ୍ଲାପାଳ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରପରିଷଦର ନିର୍ବାହୀ ଅଧିକାରୀ, ଜିଲ୍ଲା ସଂସ୍କୃତି ପରିଷଦ ସମସ୍ତ ସଦସ୍ୟ, ସଦସ୍ୟା, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.