ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସିଏନ୍ଆଇ ଚର୍ଚ୍ଚ ତରଫରୁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ସ୍ମୃତି ଚାରଣ ତଥା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଏସ୍ସିଡି ସେଣ୍ଟର ହଲ ଠାରେ ଏକ ଆଧ୍ୟାତ୍ମିକ ସଙ୍ଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପାଷ୍ଟର ଓ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିବାକୁ ଆସିଥିବା କଣ୍ଠଶିଳ୍ପୀ ମାନଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରାଯାଇଥିଲା । ତାପରେ ଚର୍ଚ୍ଚର ପାଷ୍ଟର ଜ୍ୟୋତି ରଞ୍ଜନ ପାଇକ ମଞ୍ଚ ଉପରକୁ ଯାଇ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ଆତ୍ମାର ଶାନ୍ତି ନିମନ୍ତେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ତାପରେ ହ୍ୟୁମାନ ସାଗରଙ୍କ ବ୍ୟକ୍ତିତ୍ଵ ବିଷୟରେ କହିବା ସହ ହ୍ୟୁମାନ ସାଗରଙ୍କ ମା’ ଶେଫାଳି ସୁନାଙ୍କୁ ମଞ୍ଚ ଉପରକୁ ଡାକି ସମ୍ବର୍ଦ୍ଧିତ କରି ହ୍ୟୁମାନଙ୍କ ଏକ ଫଟୋ ଓ ମାନପତ୍ର ଦେଇ ଚର୍ଚ୍ଚର ବରିଷ୍ଠ ସଦସ୍ୟଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଏହି ଅବସରରେ ହ୍ୟୁମାନଙ୍କ ମା’ କାନ୍ଦି କାନ୍ଦି ଯେଉଁ କଥା କହିଥିଲେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ସମସ୍ତଙ୍କ ଆଖିରୁ ଲୁହଧାର ବୋହି ଯାଇଥିଲା । ଏହି ସନ୍ଧ୍ୟାରେ ହ୍ୟୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ ଓଡ଼ିଶାର ବିଭିନ୍ନ କୋଣ ଓ ଅନୁକୋଣରୁ ହ୍ୟୁମାନଙ୍କୁ ଭଲ ପାଉଥିବା ପାଷ୍ଟର, କଣ୍ଠଶିଳ୍ପୀମାନେ ଆସି ତାଙ୍କର ଗାଇଥିବା ଗୀତ, ଜଣାଣ ଗାଇଥିବା ଯୀଶୁଙ୍କ ଭଜନ ଗାଇ ତାଙ୍କ ପାଇଁ ଉତ୍ସର୍ଗୀକୃତ କରିଥିଲେ ।