ସମ୍ବଲପୁର ମହୋତ୍ସବ ମଂଚରେ ବଲାଙ୍ଗିରର ‘ବିଙ୍ଗ୍‌ ହ୍ୟୁମେନ୍‌ ଫାଉଣ୍ଡେସନ୍‌’ ସମ୍ମାନିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ପ୍ରତ୍ୟେକ ବର୍ଷ ସମ୍ବଲପୁର ମହୋତ୍ସବ ଅବସରରେ ଏକ ଅନୁଷ୍ଠାନକୁ ମୁଖ୍ୟ ମଂଚରେ ସମ୍ବର୍ଦ୍ଧନା ଦିଆଯାଇଥାଏ । ୨୦୨୫ ବର୍ଷ ପାଇଁ ବଲାଙ୍ଗିରର ‘ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌’ର କର୍ମକର୍ତ୍ତାଙ୍କୁ ଏ ବର୍ଷର ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବରେ ସମ୍ବର୍ଦ୍ଧିତ କରାଯାଇଛି । ବଲାଙ୍ଗିରରୁ ଆସିଥିବା ଏହି ଅନୁଷ୍ଠାନର ୧୦ ଜଣ କର୍ମକର୍ତ୍ତାଙ୍କୁ ଉପାୟନ, ମାନପତ୍ର, ଆଦି ସହ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଅଭାବ ଓ ଅସୁବିଧା ସମୟରେ ସମାଜର ତଳ ସ୍ତରର ଲୋକଙ୍କୁ ସେବା ଓ ସାହାଯ୍ୟ ଯୋଗାଉଥିବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ବିଙ୍ଗ୍‌ ହ୍ୟୁମେନ୍‌ ଫାଉଣ୍ଡେସନ୍‌’ ବଲାଙ୍ଗିର । ଯେମିତି ଲୋକଙ୍କୁ ସେମାନେ ସହଯୋଗର ହାତ ବଢ଼ାନ୍ତି, ସେଥିରୁ ତାଙ୍କର ଅନୁଷ୍ଠାନର ନାମ ସାର୍ଥକ ହୋଇଯାଇଥାଏ । ଗତ ଏକ ଦଶନ୍ଧିରୁ ଅଧିକ କାଳ ହେଲା ଏହି ଅନୁଷ୍ଠାନର ସଭ୍ୟମାନେ ଏମିତି ସବୁ ଦୁଃଖିରଙ୍କିର ସେବା ଯତ୍ନର କାର୍ଯ୍ୟକରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଖାଲି ସେବା ନୁହେଁ, ଅସହାୟ ଲୋକଙ୍କର କଥାକୁ ସରକାରଙ୍କ ନିକଟକୁ ପହଂଚାଇବାର କାମ ମଧ୍ୟ କରି ଆସୁଛନ୍ତି । ଶହ ଶହ ଅଜଣା ମୃତ ଲୋକଙ୍କର ଶବ ସତ୍କାର, ବାହନଗା ଟ୍ରେନ୍‌ ଦୁର୍ଘଟଣାର ଅସହାୟ ଲୋକଙ୍କୁ ସେବା-ସାହାଯ୍ୟ, ଭିନ୍ନ ଭିନ୍ନ ସାମାଜିକ କାମ ପାଇଁ ଜନ ସଚେତନତା ସୃଷ୍ଟି କରିବା, ରକ୍ତ ଦାନ, କରୋନା କାଳର ଜରୁରୀ ସେବା ଓ ଲୋକଙ୍କର ଅଧିକାର ପାଇଁ ଲଢ଼େଇ ମଧ୍ୟ କରି ଆସୁଛନ୍ତି । ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରିଥିବା ଅବସରରେ ଏହାର ଉତ୍ତରରେ ‘ବିଙ୍ଗ୍‌ ହ୍ୟୁମେନ୍‌ ଫାଉଣ୍ଡେସନ୍‌’ର କର୍ମକର୍ତ୍ତା ଶ୍ରୀ ସୋମନାଥ ମିଶ୍ର ଅନୁଷ୍ଠାନ ତରଫରୁ କୃତଜ୍ଞତା ଜଣାଇବା ସହ ସାମାଜିକ କାର୍ଯ୍ୟପାଇଁ ଏଭଳି ବିରାଟ ମଂଚରେ ସମ୍ବର୍ଦ୍ଧନା ଅନୁଷ୍ଠାନର ସଦସ୍ୟ ମାନଙ୍କ ମନୋବଳ ବଢ଼େଇବ ବୋଲି ମତ ବ୍ୟକ୍ତ କରିଥିଲେ । ମହୋତ୍ସବର ସଂଯୋଜକ ଡ. ସପନ ମିଶ୍ର ଏହି ପାରସ୍ପରିକ ସୌହାର୍ଦ୍ଧ୍ୟ ଓ ସମ୍ମାନ ବଲାଙ୍ଗିର ଓ ସମ୍ବଲପୁର ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରିବାରରେ କଂଚିତ୍‌ ହେଲେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । ସମ୍ବର୍ଦ୍ଧନା ମଂଚରେ ସଂଗୀତର ତାଳେ ତାଳେ ‘ବିଙ୍ଗ୍‌ ହ୍ୟୁମେନ ଫାଉଣ୍ଡେସନ୍‌’ର ସଦସ୍ୟମାନଙ୍କୁ ଉଚ୍ଛାହ ଓ କରତାଳି ମଧ୍ୟରେ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା । ମଂଚରେ ଅନ୍ୟମାନଙ୍କ ସହ ଶିକ୍ଷାବିତ ଭକ୍ତ ପ୍ରସାଦ ନନ୍ଦ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ତଥା ରେଙ୍ଗାଲୀ, ସମ୍ବଲପୁରର ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାଏକ, ସମାଜସେବୀ କାର୍ତ୍ତିକ ପ୍ରସାଦ ବହିଦାର, ପ୍ରାକ୍ତନ ପ୍ରଶାସକ ରତ୍ନ ଭୂଷଣ ପୂଷେଠ୍‌, ସାଧକଶ୍ରୀ ସଦାନନ୍ଦ ପଣ୍ଡା, ସମାଜସେବୀ ଭାରତୀ ପଣ୍ଡା, ଅଧ୍ୟାପକ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଆଇନଜୀବୀ ଲକ୍ଷ୍ମୀଧର ମହାନ୍ତି, ସମ୍ବଲପୁର ମ୍ୟୁନିସିପାଲିଟୀର ପୂର୍ବତନ ଭାଇସ୍‌ ଚେୟାର୍‌ମେନ୍‌ ସିଦ୍ଧାର୍ଥ ସାହା, ବିଜେପି କୃଷକ ମୋର୍ଚ୍ଚାର କର୍ମକର୍ତ୍ତା ସମୀର ରଂଜନ ବାବୁ, ପୂର୍ବତନ କାଉନ୍‌ସିଲର ସୁଶାନ୍ତ ପାଣିଗ୍ରାହୀ, ସରୋଜ ଦଲ୍‌ପତ୍‌, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.