ବଲାଙ୍ଗିର, (କେପିଏନ୍ଏସ୍) : ଭାରତୀୟ ସଂସ୍କୃତିରେ ଶିକ୍ଷା ସମୃଦ୍ଧିର ପରିଚାୟକ ଅଟେ । ଏହି କ୍ରମରେ ସମସ୍ତ ପ୍ରକାର ବିଷୟ ମଣିଷର ଉନ୍ନତି ପାଇଁ ଆବଶ୍ୟକ ଅଟେ । ଭାରତୀୟ ଶିକ୍ଷା ପଦ୍ଧତିରେ ପ୍ରାଚୀନ କାଳରୁ ରନ୍ଧନ ବିଦ୍ୟା ଅନ୍ତର୍ଭୁକ୍ତ ହୋଇରହିଛି । ଏହାକୁ ଏକ କଳା ଭାବରେ ଗ୍ରହଣ କରାଯାଇଛି । ସମ୍ପ୍ରତି ବିଶ୍ୱରେ ରନ୍ଧନ କଳାର ରୁଚି ଓ ଆଦର ବଢିଛି । ଏହା ଏକ ଜୀବିକା ଭାବରେ ଆଦୃତ ହୋଇ ପାରିଛି । ଆଜିକାର ଯୁବ ସମାଜ ମଧ୍ୟରେ ଏହି କଳାର ଉନ୍ନତି ଏବଂ ଉଦ୍ୟୋକ୍ତା ହେବା ପାଇଁ ପ୍ରାରମ୍ଭିକ ପ୍ରୟାସ କରିବା ଆଭିମୁଖ୍ୟ ନେଇ ସେଞ୍ଚୁରିଅନ ବିଦ୍ୟାଳୟ, ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ, ଜେ.ଆଇ.ଟି.ଏମ, ବ୍ଲସମ କନସେପ୍ଟ ସ୍କୁଲ ଓ ଡି. ପି.ଏସ୍ ସ୍କୁଲର ମିଳିତ ଆନୁକୂଲ୍ୟରେ ଏକ ଖାଦ୍ୟ ମେଳା ବା ଫୁଡ ଫେଷ୍ଟିଭାଲ ଆୟୋଜିତ ହୋଇଯାଇଛି । ଉତ୍ସବଟିର ଉଦଘାଟନ ଅବସରରେ ନର୍ସରୀରୁ ତୃତୀୟ ଶ୍ରେଣୀ ପାଇଁ ସାଇ ଚିରାଗ, ତୃତୀୟରୁ ପଞ୍ଚମ ପାଇଁ ପି. କେ. ପ୍ରଭାତ, ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପାଇଁ ଶ୍ରୀମତୀ ସତ୍ୟବତୀ ମିଶ୍ର ଓ ଏକାଦଶ ଓ ବିଶ୍ୱ ବିଦ୍ୟାଳୟ ସ୍ତର ପାଇଁ ଡ଼. ସୁରେଶ କୁମାର ଏକନାଥ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ଉଦଘାଟନ ଓ ବିଚାରକର ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟାକ୍ଷା ଡ଼. ପୁଣ୍ୟତୋୟା ବିଶ୍ୱାଳ, ସି.ଏଚ୍.ଏସ୍.ଇ (ବିଜ୍ଞାନ)ର ଅଧ୍ୟକ୍ଷ ଡ଼. ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଡ଼. ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନା ପାଇଁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମଟିର ମଞ୍ଚ ପରିଚାଳନା ଅନୁଷ୍ଠାନର ଅଧ୍ୟାପକ ଅରିନ୍ଦମ ପରିଛା ଓ ଅନୁଷ୍ଠାନର ଅଧ୍ୟାପିକା ଭକ୍ତି ପଢ଼ାରିଆ କରିଥିଲେ । ଉତ୍ସବରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉତ୍ସବରେ ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଯୋଗଦାନ କରି ନିଜର ଅନ୍ତର୍ନିହିତ କଳାର ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନେ ଷ୍ଟଲ ଗୁଡିକୁ ଅତି ସୁନ୍ଦର ଭାବରେ ସଜାଇଥିଲେ । କାର୍ଯ୍ୟକ୍ରମଟିରେ ୬୦ରୁ ଅଧିକ ଷ୍ଟଲ ଉଦଘାଟିତ ହୋଇ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥିଲା । ଷ୍ଟଲ ଗୁଡିକରେ ଏବର୍ଷ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗୁଡିକର ପାରମ୍ପରିକ ଖାଦ୍ୟ ସାମଗ୍ରୀ ଗୁଡିକ ପ୍ରଦର୍ଶିତ ହୋଇଥିଲା । ପରିଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କ୍ରମରେ ଗ୍ରୁପ ୧: ନର୍ସରୀରୁ ଦ୍ଵିତୀୟ ଶ୍ରେଣୀ ପାଇଁ ଷ୍ଟଲ -୫ ସୁନ୍ଦରଗଡ଼ ବ୍ଲସମ କନସେପ୍ଟ ସ୍କୁଲର ଜୟ କୁମାର ଅଗ୍ରୱାଲ, ଗ୍ରୁପ ୨ ତୃତୀୟରୁ ପଞ୍ଚମ ଶ୍ରେଣୀ ଷ୍ଟଲ -୧୪ କୋରାପୁଟ ସେଞ୍ଚୁରିଅନ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଶ୍ରେୟାଂଶ ପାଢ଼ୀ, ଭବ୍ୟାଂଶ ପାଢ଼ୀ, ଦେବାର୍ପିତ ସାହୁ, ଗ୍ରୁପ ୩- ଷଷ୍ଠରୁ ଦଶମ ଷ୍ଟଲ – ୩୨ ବୌଦ୍ଧ ସେଞ୍ଚୁ ରିଅନ ବିଦ୍ୟାଳୟର ସପ୍ତମ ଶ୍ରେଣୀର ପ୍ରିୟଂଶା ରଣା, ୟାଶୀକା ବିଶି, ପ୍ରିୟଂଶୀ ଶଙ୍ଖୁଆ, ଅର୍ପିତା ପାତ୍ର, ନବ୍ୟା କୁମାରୀ, ଗ୍ରୁପ ୪ ଷ୍ଟଲ -୪୮ (ମୟୁରଭଞ୍ଜ) ( ଏକାଦଶ ଓ ବିଶ୍ଵବିଦ୍ୟାଳୟ ସ୍ତର ) ବି. ଏସ. ସି (ନର୍ସିଂ ) ଅଙ୍କିତା ବିଶ୍ୱାଳ, ପ୍ରୀତି ପି. ପଧାନ, ରାଜଲଷ୍ମୀ ଦାସ, ଶର୍ମିଷ୍ଠା ସାହୁ, ନନ୍ଦିତା ଭୋଇ, ଅର୍ପିତା ନାୟକ ମନୋନୀତ ଓ ପୁରସ୍କୃତ ହୋଇଥିଲେ । ସାମଗ୍ରୀ ଗୁଡକିର ପ୍ରସ୍ତୁତି ଓ ଉପସ୍ଥାପନା ଶୈଳୀ ଅଭିଭାବକ, ଅଭିଭାବିକା ଏବଂ ଅତିଥି ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ବିଦ୍ୟାଳୟର ଏପରି ଅଭିନବ ପ୍ରୟାସକୁ ସହରର ସବୁ ବର୍ଗର ଲୋକ ପସନ୍ଦ କରିଛନ୍ତି । ବାସ୍ତବରେ ଅନୁଷ୍ଠାନର ଏହି ପ୍ରୟାସ ସ୍ୱାଗତଯୋଗ୍ୟ ଅଟେ ।