ମୁନିଗୁଡା, (ରମାକାନ୍ତ ପଡ଼ାଲ) : ଜୋର୍ ଧରିଲା କାଞ୍ଚନଭଟାକୁ ନୂତନ ଗ୍ରାମ ପଞ୍ଚାୟତ ଦାବୀ । ମେଳି ହେଲେ ୨୩ଟି ଗ୍ରାମର ମହିଳା ଓ ପୁରୁଷ । ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଇଚ୍ଛାପୁର ପଞ୍ଚାୟତର କାଞ୍ଚନଭଟା ଠାରେ ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବୀ କରି ସମୂହ ୨୩ ଗ୍ରାମର ୫ଟି ୱାର୍ଡବାସୀ ଗତ ଜୁନ ମାସ ୨୫ ତାରିଖ ଦିନ ମୁନିଗୁଡା ଠାରେ ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଏକ ଦାବୀପତ୍ର ପ୍ରଦାନ କରିଥିବା ବେଳେ ଆଜି ଅଞ୍ଚଳବାସୀ ଏକତ୍ର ହୋଇ ଏକ ଗ୍ରାମ ସଭାର ଆୟୋଜନ କରିଥିଲେ । ଏହି ସଭାରେ ନୂତନ ପଞ୍ଚାୟତ ଗଠନ ନେଇଁ ଆଲୋଚନା କରାଯାଇଥିଲା । ଉକ୍ତ ୫ଟି ୱାର୍ଡରେ ସମୁଦାୟ ୪୦୦୦ ଜନସଂଖ୍ୟା ଥିବାବେଳେ ପାଖାପାଖି ୩୦୦୦ରୁ ଉର୍ଦ୍ଧ୍ବ ସଂଖ୍ୟାରେ ଭୋଟର ମଧ୍ୟ ଥିବା ଅଞ୍ଚଳବାସୀ ଦର୍ଶାଇଛନ୍ତି । ଏହି କାଞ୍ଚନଭଟା ଅଞ୍ଚଳ ମୁନିଗୁଡା ବ୍ଲକ ତଥା ଇଚ୍ଛାପୁର ପଞ୍ଚାୟତର ଶେଷ ଅଞ୍ଚଳ ହୋଇଥିବା ବେଳେ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ସମୂହ ଅଞ୍ଚଳର ୫ଟି ୱାର୍ଡବାସୀ ଇଚ୍ଛାପୁର ପଞ୍ଚାୟତରେ ଅଛନ୍ତି । ଇଚ୍ଛାପୁର ପଞ୍ଚାୟତର ସର୍ବମୋଟ ୧୩ଟି ୱାର୍ଡରୁ ୪ରୁ ୫ଟି ୱାର୍ଡକୁ ନେଇଁ କାଞ୍ଚନଭଟାରେ ଏକ ନୂତନ ପଞ୍ଚାୟତ ଗଠନ କରିବାକୁ ଅଞ୍ଚଳବାସୀ ବୈଠକ କରି ନିଷ୍ପତି ଗ୍ରହଣ କରିଛନ୍ତି । ପ୍ରଶାସନ ଗ୍ରାମବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭୌଗୋଳିକ ଅବସ୍ଥିତିକୁ ଅନୁଧ୍ୟାନ କରି କାଞ୍ଚନଭଟାରେ ନୂତନ ଗ୍ରାମପଞ୍ଚାୟତ ଗଠନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଶାସନକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ନଚେତ୍ ନୂତନ ପଞ୍ଚାୟତ ଗଠନ ପାଇଁ ଆଗାମୀ ଦିନରେ ଦାବୀ ଜୋରଦାର କରାଯିବ ବୋଲି ଅଞ୍ଚଳବାସୀ କହିଛନ୍ତି ।