ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ବଣ ପାହାଡ଼ ଘେରା ସବୁଜ ସୁନ୍ଦର ଜଙ୍ଗଲରେ ଜୀବଜନ୍ତୁ ବାସ କରୁଥିବାବେଳେ ଲୋକେ ଜଙ୍ଗଲ କାଟି ନଷ୍ଟ କରିଦେଉଛନ୍ତି । ଯାହାଫଳରେ ହାତୀ, ବାଘ, ଭାଲୁ, କୁଟୁରା, ବରାହା ଗାଁ ମୁହାଁ ହେଉଛନ୍ତି । ଶିକାରୀମାନେ ସୁଯୋଗ ଦେଖି ମାରି ଖାଉଛନ୍ତି । ନୂଆପଡ଼ା ଜିଲ୍ଲା କୋମନା ବନାଞ୍ଚଳ ଜନ୍ଧ୍ରାମୁଣ୍ଡା ଗାଁରୁ ରନ୍ଧା ବରାହା ମାଂସ ଜବତ ହୋଇଥିବାବେଳେ ୪ ଜଣ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ କୋମନା ବନାଞ୍ଚଳ ଅଧିନସ୍ଥ ବରନ୍ଦାପାଟ ଗାଁର କେଶବ ମାଝୀ (୪୬) ଗୁରୁବାର ସକାଳ ୭ଟା ସମୟରେ ନିଜ ଚାଷ ଜମିରେ ଧାନ ଅମଳ କରୁଥିବା ସମୟରେ ଏକ ବରାହା ତାଙ୍କ ଆଡକୁ ଧାଇଁ ଆସିଥିଲା । ଠିକ୍ ସେହି ସମୟରେ କେଶବଏକ ଟାଙ୍ଗିଆରେ ବରାହାକୁ ଆକ୍ରମଣ କରି ହତ୍ୟା କରିଥିଲେ । ପରେ ଖାଇରଭାଡ଼ି ଗାଁର ନିଜ ସମ୍ପର୍କୀୟ ସୁବନ୍ତ ମାଝୀଙ୍କୁ ଖବର ଦେଇଥିଲେ । ସୁବନ୍ତ ଏକ ବାଇକ ଯୋଗେ ବରନ୍ଦାପାଟ ଗାଁକୁ ଆସି କେଶବଙ୍କ ଠାରୁ ଉକ୍ତ ମୃତ ବରାହାକୁ ନେଇଥିଲେ ପରେ ଜନ୍ଧ୍ରାମୁଣ୍ଡା ଗାଁର କେଶବ ମାଝୀ(୬୨) ଓ ମୋହନ ମାଝୀ (୩୨)ଙ୍କ ସହ ମିଶି ସେଠାରେ ବରହାକୁ କାଟି ମାଂସ ବିକ୍ରି କରିଥିଲେ ଓ ବାକିତକ ମାଂସକୁ ରୋଷେଇ କରି ଖାଇଥିଲେ । ସେପଟେ କୋମନା ୱାଇର୍ଲ୍ଡ ଲାଇଫ ଏସିଏଫ୍ ସଞ୍ଜୀବ କୁମାର ବନଗୋଲା ବିଶେଷ ସୂତ୍ରରୁ ଖବର ପାଇ ଏକ ଫରେଷ୍ଟ ଟିମ୍ ସହ ଗୁରୁବାର ରାତି ୧୦ଟାରେ ଜନ୍ଧ୍ରାମୁଣ୍ଡା ଗାଁରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ୩ ଜଣଙ୍କୁ ଗିରଫ କରିବା ସହ ରନ୍ଧା ମାଂସ, ନିକିତି, ଟାଙ୍ଗିଆ ସହ ବିଭିନ୍ନ ସାମଗ୍ରୀ ଜବତ କରି କୋମନା ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଥିଲେ । ବନାଞ୍ଚଳ ଅଧିକାରୀ ଦେବଦତ୍ତ ସୁତ୍ତାରଙ୍କ ନେତୃତ୍ୱରେ ଏକ ଟିମ ବରନ୍ଦାପାଟ ଗାଁକୁ ଯାଇ ମୁଖ୍ୟ ଅଭିଯୁକ୍ତ କେଶବ ମାଝୀ(୪୫)ଙ୍କୁ ଗିରଫ କରିଥିଲେ । ବର୍ତ୍ତମାନ କେସ ନଂ ୧୭୪/୨୫ରେ ଏକ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛନ୍ତି । ଅଳଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସିଏଫ୍ ମହମ୍ମଦ ମୁସ୍ତାଫା ସାଲିହା ସୂଚନା ଦେଇଛନ୍ତି ।
Prev Post