ମହାସମାରୋହରେ ଅନୁଷ୍ଠିତ ହେଲା ସୋମନାଥ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆର୍ଟ ଅଫ୍ ଲିଭିଂ ପରିବାର ଆନୁକୂଲ୍ୟରେ ଗତ ୧୮ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଭଞ୍ଜ ଭବନ ପ୍ରାଙ୍ଗଣରେ ସୋମନାଥ ମହାଦେବଙ୍କ ପ୍ରାଚୀନ ତଥା ମୂଳ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ ମହୋତ୍ସବ ତଥା ରୁଦ୍ରାଭିଷେକ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆର୍ଟ ଅଫ୍ ଲିଭିଂ ଆନ୍ତର୍ଜାତୀୟ ଧ୍ୟାନ ପ୍ରଶିକ୍ଷକ ସ୍ଵାମୀ ବ୍ରହ୍ମଚିତ୍ତଙ୍କ ପୌରହିତ୍ୟରେ ଆର୍ଟ ଅଫ୍ ଲିଭିଂ ବାଙ୍ଗାଲୋର ଆନ୍ତର୍ଜାତୀୟ ମୁଖ୍ୟ ଆଶ୍ରମରୁ ଆଗତ ବୈଦିକ ଧର୍ମ ସଂସ୍ଥାନର ପଣ୍ଡିତ ମାନଙ୍କ ଦ୍ୱାରା ରୁଦ୍ରାଭିଷେକ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ରୁଦ୍ରାଭିଷେକ ସମତାଳରେ ଅନୁଷ୍ଠିତ ସତସଙ୍ଗର ଭଜନ କାର୍ଯ୍ୟକ୍ରମରେ ଦର୍ଶକ ମଣ୍ଡଳୀ ମନ୍ତ୍ରମୁଗ୍ଧ ହୋଇ ଉପଭୋଗ କରୁଥିବା ଦେଖା ଦେଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ସୋମନାଥ ଜ୍ୟୋତିର୍ଲିଙ୍ଗଙ୍କ ସ୍ଥାପନା ସମ୍ପର୍କରେ ସ୍ଵାମୀ ବ୍ରହ୍ମଚିତ୍ତ ଆଲୋକପାତ କରିଥିଲେ । ଆଜିକୁ ଏକ ଲକ୍ଷ ବର୍ଷ ତଳେ ସତ୍ୟଯୁଗରେ ଏହି ଜ୍ୟୋତିର୍ଲିଙ୍ଗଙ୍କ ସ୍ଥାପନା ଚନ୍ଦ୍ର ଦେବତା କରିଥିଲେ । ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଉତ୍ପତ୍ତି ଏହି ଜ୍ୟୋତିର୍ଲିଙ୍ଗଙ୍କ ଠାରୁ ଆରମ୍ଭ ହୋଇଛି ଏବଂ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଏହା ଆଦ୍ୟ ଜ୍ୟୋତିର୍ଲିଙ୍ଗ ବୋଲି ସେ କହିଥିଲେ । ସୂଚନା ଯୋଗ୍ୟ ଯେ, ଆଜିକୁ ଏକ ହଜାର ବର୍ଷ ତଳେ ବିଦେଶୀ ଆକ୍ରମଣକାରୀ ମହମ୍ମଦ ଗଜନୀ ଦ୍ଵାରା ମୂଳ ସୋମନାଥ ମନ୍ଦିର ତଥା ମୂଳ ଜ୍ୟୋତିର୍ଲିଙ୍ଗ ଧ୍ଵଂସ ହୋଇଥିଲା । ମୂଳ ଜ୍ୟୋତିର୍ଲିଙ୍ଗଙ୍କ ବିଖଣ୍ଡିତ ଅଂଶ ଗୁଡିକ ଅଗ୍ନିହୋତ୍ରୀ ପୂଜକ ମାନଙ୍କ ଦ୍ୱାରା ଗୋପନୀୟ ଭାବେ ସଂରକ୍ଷିତ ହୋଇ ରହିଥିଲା । ଗତ ୧୯୨୪ ଖ୍ରୀଷ୍ଟାବ୍ଦରେ ତତ୍କାଳୀନ କାଞ୍ଚି କାମକୋଟି ପୀଠ ଶଙ୍କରାଚାର୍ଯ୍ୟଙ୍କ ଭବିଷ୍ୟବାଣୀ ଓ ନିର୍ଦ୍ଦେଶ ଅନୁଯାୟୀ ଏକ ଶହ ବର୍ଷ ପରେ ଅର୍ଥାତ୍ ୨୦୨୫ ମସିହାରେ ଏହି ଜ୍ୟୋତିର୍ଲିଙ୍ଗ ସମୂହକୁ ଅଗ୍ନିହୋତ୍ରୀ ସମାଜ ବିଶ୍ଵ ବରେଣ୍ୟ ସନ୍ଥ ତଥା ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ସଂସ୍ଥାପକ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ହସ୍ତରେ ଅର୍ପଣ କରିଛନ୍ତି । ଉପସ୍ଥିତ ଦୁଇ ହଜାରରୁ ଅଧିକ ଦର୍ଶକ ଏହି ଜ୍ୟୋତିର୍ଲିଙ୍ଗଙ୍କୁ ଧାଡି ବାନ୍ଧି ଦର୍ଶନ କରିବା ଦେଖା ଯାଇଥିଲା । ରାଉରକେଲାବାସୀ ଜନସାଧାରଣ ବିପୁଳ ସଂଖ୍ୟାରେ ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। । ରାଉରକେଲା ସହରର ବହୁ ବିଶିଷ୍ଟ ନାଗରିକଗଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଆର୍ଟ ଅଫ୍ ଲିଭିଂ ପ୍ରଶିକ୍ଷକ ରଶ୍ମି ରଞ୍ଜନ ଦାସ ପରିଚାଳନା କରିଥିଲେ । ଆର୍ଟ ଅଫ୍ ଲିଭିଂ ପ୍ରଶିକ୍ଷକ ପ୍ରଫୁଲ୍ଲ ମଙ୍ଗଳ ଓ ସରୋଜ ଦାସ ସତସଙ୍ଗ ସମାବେଶକୁ ପରିଚାଳନା କରିଥିଲେ । ରୁଦ୍ରାଭିଷେକ କାର୍ଯ୍ୟକ୍ରମକୁ ବୈଦିକ ଧର୍ମ ସଂସ୍ଥାନର ରାଜ୍ୟ ଆବାହକ ଗୌରବ ସୁଲତାନିଆ ପରିଚାଳନା କରିଥିଲେ । ଆର୍ଟ ଅଫ୍ ଲିଭିଂ ପ୍ରଶିକ୍ଷକ ଓ ସ୍ୱେଚ୍ଛାସେବୀ ଗିରିଜା ଶଙ୍କର ଦାସ, ବେରିନ୍ଦର ସିଂ ସହୋଟା, ପ୍ରଶାନ୍ତ ପାଢ଼ୀ, ବାଙ୍କ ବିହାରୀ ଦାସ, ଚନ୍ଦ୍ରଚୁଡ ପାଣିଗ୍ରାହୀ, ସଞ୍ଜୟ ମହାନ୍ତି, ସୁଜାତା ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.