
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସ ପଡିଆ ଠାରେ ୬୭ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଏସ୍ପି ନାରାୟଣ ନାୟକ ଯୋଗ ଦେଇ ଦେଶ ତଥା ବିଦେଶରେ ବିଭିନ୍ନ ଜରୁରୀ କାଳୀନ ସମୟରେ ମାତୃଭୂମି ଓ ଦେଶର ସୁରକ୍ଷା ପାଇଁ ଶହୀଦ୍ ହୋଇଥିବା ଆମ ଜିଲ୍ଲା, ରାଜ୍ୟ ତଥା ଦେଶର ପୋଲିସଙ୍କ ସ୍ମୃତି ଚାରଣ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ । ଏହି ଅବସରରେ ପ୍ୟାରେଡ୍ ମାଧ୍ୟମରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଦେବାଶିଷ ସିଂହ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡ. ଦୁର୍ଗାଦତ୍ତ ଦାଶ ଯୋଗ ଦେଇ ଏସ୍ପି ନାରାୟଣ ନାୟକଙ୍କ ସହିତ ଶହୀଦ୍ ପୋଲିସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ୨୦୦୯ ମସିହାରେ ସମ୍ବଲପୁର ଜିଲ୍ଲାରେ ସହିଦ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲାର ପୋଲିସ ଅଫିସର ନରସିଂହ ମହାକୁଡଙ୍କ ପତ୍ନୀଙ୍କୁ ଏବଂ କୋରାପୁଟରେ ସହିଦ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ବିଭୀଷଣ ସାହୁଙ୍କ ପରିବାରକୁ ଏହି ଉତ୍ସବରେ ଜିଲ୍ଲାପାଳ ଓ ଏସ୍ପି ଙ୍କ ଦ୍ୱାରା ସମ୍ୱର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ଏସ୍ପି କଣ୍ଡୋଧର ହରିପ୍ରସାଦ, ଲିଲିମା ଲଳିତା ବାରା, ଡିଏସ୍ପି ରେଣୁକା ସୁନା, ଚନ୍ଦ୍ର ଶେଖର ଶବର୍, ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ ଭବେନ୍ଦ୍ର ନାଥ ଦେ, ଏସ୍ଡିପିଓ କଲ୍ୟାଣୀ ବେହେରା, ଆର୍ ଆଇ ମାନସ ବେହେରା, ଭକ୍ତବନ୍ଧୁ ସେଠ ପ୍ରମୁଖ ସମସ୍ତ ପୋଲିସ ଅଧିକାରୀ ଯୋଗ ଦେଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଓଡ଼ିଶା ପୋଲିସ ହାବିଲଦାର କନେଷ୍ଟବଳ ସଂଘ ସଭାପତି କୁମୁଦ ରଞ୍ଜନ ମେହେର, ଉପ ସଭାପତି ଦୟାନିଧି ସାହୁ, ସମ୍ପାଦକ କାର୍ତ୍ତିକେଶ୍ୱର ରାଉତ ଓ ସଂଘର ସମସ୍ତ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ ।