ବୀର ମାଧୋ ସିଂ ସିନେମା ପାଇଁ ଅଡିସନ୍ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବୀର ମାଧୋ ସିଂ ଚଳଚ୍ଚିତ୍ରର ଅଡିସନ ସୁବର୍ଣ୍ଣପୁରର ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର ମୋଟ ୪୦ ଜଣ ସ୍ତ୍ରୀ ଓ ପୁରୁଷ କଳାକାର ଯୋଗ ଦେଇଥିଲେ । ବୀର ମାଧୋ ସିଂଙ୍କ ବୀରୋଚିତ କୃତିକୁ ସାରା ବିଶ୍ଵରେ ପ୍ରଚାର ପ୍ରସାର କରିବା ପାଇଁ ଏହି ଚଳଚ୍ଚିତ୍ର ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ବିଭିନ୍ନ ଭୂମିକାରେ ଶତାଧିକ କଳାକାର ଅଭିନୟ କରିବେ ବୋଲି ଜଣାପଡ଼ିଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭାବେ ପ୍ରଦୀପ ଡି. ମାଝି ଓ ମହାନିର୍ଦ୍ଦେଶକ ଭାବେ ରାଜେନ୍ଦ୍ର ବାଘ ଏବଂ କୀର୍ତ୍ତୀ ଗହୀର ରହିଛନ୍ତି । ଅଡିସନରେ ଶ୍ରଦ୍ଧାଞ୍ଜଳି ମିଶ୍ର ଏବଂ ମିଥୁନ କୁମାର ସାହୁ ସହଯୋଗ କରିଥିଲେ । ରିଦ୍ଧି ଟ୍ରଷ୍ଟର ଅଧ୍ୟକ୍ଷ ସୀତାରାମ ଭୋଇ ଚଳଚ୍ଚିତ୍ରର ନିର୍ମାତା ରହିଛନ୍ତି । ସୁଦର୍ଶନ ବରିହା ଏହାର କାହାଣୀ ଲେଖିଥିବା ବେଳେ ସ୍କ୍ରିନ ପ୍ଲେ ଏବଂ ଡାଇଲଗ ଲେଖୁଛନ୍ତି ଓଜସ୍ପିନୀ ମାହାର । ରିଧ୍ ଟ୍ରଷ୍ଟ ଏବଂ ଏସ.ପି. ଏଣ୍ଟରଟେନମେଣ୍ଟ ଆନୁକୂଲ୍ୟରେ ହିନ୍ଦୀ ଓ କୋସଲୀ/ ସମ୍ବଲପୁରୀ ଭାଷାରେ ନିର୍ମିତ ହେବ । ଏହି ଚଳଚ୍ଚିତ୍ର ପାଇଁ ସର୍ବସାଧାରଣରେ ବିଶେଷ ଉତ୍ସହ ପ୍ରକାଶ ପାଇଥିବା ଦେଖାଯାଇଥିଲା ।

Leave A Reply

Your email address will not be published.