- ପଞ୍ଚାୟତ ସମିତିର ଦ୍ଵିମାସିକ ବୈଠକ ଅନୁଷ୍ଠିତ
- ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ କାମ କରି ମାସ ମାସ ଧରି ଠିକାଦାରଙ୍କୁ ପାଉଣା ମିଳିନଥିବା ଅଭିଯୋଗ
- ହାତୀପଲ ପାଇଁ ଜିଲ୍ଲାସ୍ତରୀୟ ବୈଠକ ଦାବୀ
- କେବେ ସମ୍ପୂର୍ଣ୍ଣ ହେବ ନୂତନ ସିଏଚ୍ସି କୋଠା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତିର ଦ୍ଵିମାସିକ ବୈଠକ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସଭାପତିତ୍ୱରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ତଥା ବାହାର ଅଞ୍ଚଳର ଠିକାଦାରମାନେ ପୋଷାକ ବଣ୍ଟନ କରୁଥିବା ଅଭିଯୋଗ ହୋଇଥିଲା । ବ୍ଲକର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ମରାମତି ବାବଦ ଅର୍ଥ ପଞ୍ଚାୟତକୁ ଦିଆଯାଉନଥିବାରୁ ସରପଞ୍ଚ ବିଶ୍ୱବିହାରୀ ଯୋଶୀ ଓ କାଳିଆ ସରାଫଙ୍କ ନେତୃତ୍ୱରେ ସମସ୍ତ ସରପଞ୍ଚ ତୀବ୍ର ଅସନ୍ତୋଷ ଓ ପ୍ରତିବାଦ କରି ହୋହାଲ୍ଲା କରି ସଭା କକ୍ଷରୁ ବାହାରିବାକୁ ବସିଥିଲେ । ବିଧାୟକଙ୍କ ଅନୁରୋଧ କ୍ରମେ ବୈଠକ ପରେ ସମସ୍ତେ ବସି ଆଲୋଚନା କରିଥିଲେ ମଧ୍ୟ ଏହାର କୌଣସି ସମାଧାନ ବାହାରି ପାରିନଥିବା ଜଣାପଡ଼ିଛି । କୃଷି କର୍ମଚାରୀମାନେ ଫିଲଡରେ ରହୁ ନଥିଲା ବେଳେ ଚାଷୀମାନେ ବହୁ ହଇରାଣ ହେଉଥିବା ବିଧାୟକ ଅଭିଯୋଗ କରିଥିଲେ । ଲଖନା ସରପଞ୍ଚ ସଦାନନ୍ଦ ଦୀପ ପିଡିଏସ୍ରେ ମୃତ ବ୍ୟକ୍ତିଙ୍କ ତଥ୍ୟ ମାଗିଥିଲେ । ହଳଦୀ ଗ୍ରାମରେ ଗୁରୁତର ପାନୀୟ ଜଳକଷ୍ଟ, ଅସୁରକ୍ଷିତ ସ୍କୁଲଗୃହ, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବ୍ଲକର ଠିକାଦାରମାନେ କୋଟି କୋଟି ଟଙ୍କାର ବିଭିନ୍ନ ଉନ୍ନୟନ କାମ କରି ବର୍ଷ ବର୍ଷ ଧରି ପାଉଣା ପାଇନଥିବା ଓ ବ୍ଲକ କଲୋନୀରେ ଅନ୍ୟ ବିଭାଗର କର୍ମଚାରୀ ଆସ୍ଥାନ ଜମାଇ ରହୁଥିବା ନେଇ ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦ ତୀବ୍ର ପ୍ରତିବାଦ କରି ଗୁରୁତର ଅଭିଯୋଗ କରିଥିଲେ । ବ୍ଲକ ଅଞ୍ଚଳରେ ବର୍ଷେ ହେଲା ୭୦ଟିକିଆ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ନେଇ ଏକ ଜିଲ୍ଲାସ୍ତରୀୟ ବୈଠକ ଡକାଯିବା ଓ ନୂତନ ସିଏଚ୍ସି କୋଠା ଦୀର୍ଘ ଦିନ ପରେ ବି ଅସମ୍ପୂର୍ଣ୍ଣ ପଡିରହିଥିବାରୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ଇଛାପଡ଼ା ସମିତି ସଭ୍ୟ ତୋଫାନ ନାଗ ଗୁରୁତର ଅଭିଯୋଗ କରିଥିଲେ । ସିଏଚ୍ସି କୋଠା ଶୀଘ୍ର ସମ୍ପୂର୍ଣ୍ଣ ପାଇଁ ବିଧାୟକ ଶ୍ରୀ ବାଗ ସିଡିଏମ୍ଓଙ୍କୁ ତାଗିଦ କରିଥିଲେ । ସେହିପରି ଅନ୍ୟାନ୍ୟ ବିଭାଗର ଆଲୋଚନାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ପାଣିଗ୍ରାହୀ, ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ, ଏବିଇଓ କୈଳାସ ଚନ୍ଦ୍ର ଭୋଇ, ବିଏଓ ଆନନ୍ଦ ମଲ୍ଲିକ, ଫରେଷ୍ଟର ଧୃବଚରଣ ବଗର୍ତ୍ତି, ବିଭିଓ ଡ. ଅଞ୍ଜନ ମଲ୍ଲିକ, ଏଇଇ ଅବିନାଶ ମୁଦି, ଏପିଓ ପ୍ରେମାନନ୍ଦ ମିଶ୍ରଙ୍କ ସହ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବିଭାଗୀୟ ଅଧିକାରୀ ଅଂଶଗ୍ରହଣ କରିଥିଲେ । କ୍ଷୁବ୍ଧ ସରପଞ୍ଚ ସଂଘ ବୈଠକର ରେଜିଷ୍ଟରରେ ଦସ୍ତଖତ କରିନଥିବା ଜଣାପଡିଛି । ଜିପିଡିଓ ପ୍ରସନ୍ନ କୁମାର ନାଗ ପୂର୍ବ ବୈଠକର ବିବରଣୀ ପଠନ କରିଥିବା ବେଳେ ବିଡ଼ିଓ ବାସନ୍ତୀ ସେଠୀ ଉନ୍ନୟନ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ୍ ଦେଇଥିଲେ ।