ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ ପାକ୍ ଆତଙ୍କୀ ସଂଗଠନର ୪ ଜଣ ଡାକ୍ତର ଗିରଫ ହୋଇଥିବା ଜଣାଯାଇଛି । ଭୟଙ୍କର ବିସ୍ଫୋରଣ ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ବଢିପାରେ, ଦିଲ୍ଲୀରେ ଏବେ ହାଇ ଆଲର୍ଟ ଜାରି ରହିଛି । ଏହି ଚିନ୍ତାଜନକ ଖବର ପାକ୍ ଆତଙ୍କୀ ସଂଗଠନ ଜୈସେ-ଏ-ମହମ୍ମଦ୍ ସମ୍ପର୍କରେ ଥିବା ଜଣେ ମହିଳା ଡାକ୍ତରଙ୍କ ସମେତ ୪ ଜଣ ଡାକ୍ତର ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜାମ୍ମୁ କାଶ୍ମୀର ଅନନ୍ତନାଗ ସରକାରୀ ମେଡ଼ିକାଲ କଲେଜରେ କାର୍ଯ୍ୟରତ ପୁଲୱାମାର ବାସିନ୍ଦା ଡାକ୍ତର ଅଦୀଲ ଅହମଦ୍ ଏବଂ ଦିଲ୍ଲୀ ନିକଟ ଫରିଦାବାଦର ଅଲ୍-ଫଲାହ ଘରୋଇ ହସ୍ପିଟାଲର ଡ଼ାକ୍ତର ମୁଜ଼ାମିଲ୍ ଶକୀଲ୍, ଅଦୀଲ ଅହମଦର ଲକରରୁ ଗୋଟିଏ ଏକେ-୪୭ ବନ୍ଧୁକ ଜବତ ହୋଇଥିବା ବେଳେ ମୁଜ଼ାମିଲ୍ ଶକୀଲର ଫରିଦାବାଦ ଭଡ଼ାଘରୁ ୩୬୦ କିଲୋ ଏବଂ ସେଠାରୁ କିଛି ଦୂର ଅନ୍ୟ ଏକ ଘରୁ ୨୫୬୩ କିଲୋ ଓଜନର ଏମୋନିୟମ୍ ନାଇଟ୍ରେଟ୍ ବିସ୍ଫୋରକ, ୨୦ ଗୋଟି ଟାଇମର୍ ଓ ଗୋଟିଏ ରାଇଫଲ୍ ଏବଂ ବିସ୍ଫୋରଣରେ ବ୍ୟବହାର କରାଯାଉଥିବା ଅନ୍ୟାନ ସାମଗ୍ରୀ ଜବତ ହୋଇଛି । ସେମାନଙ୍କ ନିକଟରୁ ଜବତ ମୋଟ ୨୯୨୩ କିଲୋଗ୍ରାମ୍ ଓଜନର ବିସ୍ଫୋରକ ସାମଗ୍ରୀ ଏମୋନିୟମ୍ ନାଇଟ୍ରେଟ୍ ମାଧ୍ୟମରେ ସେମାନେ ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ବଡ଼ ଧରଣର ବିସ୍ଫୋରଣ କରିବାକୁ ଯୋଜନା କରୁଥିଲେ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପଟେ ଗତକାଲି ସନ୍ଧ୍ୟା ୬.୫୨ ସମୟରେ ଦିଲ୍ଲୀର ଲାଲକିଲ୍ଲାଠାରୁ ୫ଶହ ମିଟର ଦୂରରେ ଥିବା ମେଟ୍ରୋ ଷ୍ଟେସନର ୧ ନମ୍ବର ଗେଟ୍ ନିକଟ ଟ୍ରାଫିକ ପୋଷ୍ଟ ପାଖରେ ଧୀର ଗତିରେ ଆସୁଥିବା ଏକ କାରରେ ଆତ୍ମଘାତି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଯୋଗୁଁ ମୋଟ ୮ଟି କାର୍ ଓ କିଛି ବାଇକ୍ ମଧ୍ୟ ଜଳିଯାଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ମୋଟ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୨ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କେନ୍ଦ୍ର ସରକାର ଏହାର ଏନଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ବିସ୍ଫୋରଣ ପରେ ଦିଲ୍ଲୀ ସମେତ ମୁମ୍ବାଇ, ଉତ୍ତର ପ୍ରଦେଶ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ହାଇ ଆଲର୍ଟ ଜାରୀ କରାଯାଇଛି ।
