ରାଜ୍ୟସ୍ତରୀୟ ବାଲିଯାତ୍ରା ବୈଭବ ସାରସ୍ଵତ ସମ୍ମିଳନୀ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୮୬ ତମ ରାଜ୍ୟସ୍ତରୀୟ ବାଲିଯାତ୍ରା ବୈଭବ ସାରସ୍ଵତ ସମ୍ମିଳନୀ ଏବଂ “ବାଲିଯାତ୍ରା ବୈଭବ” ପତ୍ରିକାର ଉନ୍ମୋଚନ ପର୍ବ ମୁନିସପାଲ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରି କାର୍ୟ୍ୟକ୍ରମର ଆଭିମୁଖ୍ୟ ବ୍ୟାଖ୍ୟା କରିଥିଲେ । ବାଲିଯାତ୍ରା କଟକ ସହରକୁ ବିଶ୍ଵ ସାଂସ୍କୃତିକ ସହର ମାନଚିତ୍ରରେ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମିଳନୀକୁ ସ୍ଵାମୀ ନିତ୍ୟ ପ୍ରେମାନନ୍ଦ ଗିରି, ପ୍ରଜ୍ଞାନ ମିଶନ ଏବଂ ସ୍ଵାମୀ ଗୁରୁ ନିଷ୍ଠାନନ୍ଦ ଗିରି, ପ୍ରଜ୍ଞାନ ମିଶନ ଉଦ୍‌ଘାଟନ କରି କୈବଲ୍ୟ ସାହିତ୍ୟ ସଂସଦର କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ନ୍ୟାୟାଧିଶ ରତିକାନ୍ତ ମହାପାତ୍ର ବାଲିଯାତ୍ରା ଏବଂ ନୌବାଣିଜ୍ୟ ଉତ୍କଳୀୟ ଆଧ୍ୟାତ୍ମିକ ଚେତନାର ନାଭିକେନ୍ଦ୍ର ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫେସର ଡ଼କ୍ଟର ପ୍ରସନ୍ନ କୁମାର ସ୍ୱାଇଁ ବାଲିଯାତ୍ରା ଇତିହାସ ପୃଷ୍ଠାରେ ସର୍ବପୁରାତନ ସାଂସ୍କୃତିକ ଯାତ୍ରା ବୋଲି ଉଦ୍ଧୃତ କରିଥିଲେ । ବରେଣ୍ୟ ଅତିଥି କ୍ୟାପଟେନ ସଞ୍ଜୀବ ମୁଦୁଲି, କୁଜଙ୍ଗ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠାତା ସାଧବ ପୁଅ ମାନଙ୍କର ସାହସିକତାକୁ ନିଜ ଅନୁଭୂତିର ଜଳଯାତ୍ରା ସହିତ ତୁଳନା କରିଥିଲେ । ସମ୍ମାନିତ ଅତିଥି ପ୍ରଫେସର ଡ଼କ୍ଟର ସୁବାସ ଚନ୍ଦ୍ର ଦାସ, ବାଣୀବିହାର ଆଶୁକବି ହେମନ୍ତ କୁମାର ଜେନା ବରିଷ୍ଠ କବି ସୁରେଶ ଚନ୍ଦ୍ର ରଥ, ଡ଼କ୍ଟର ସସ୍ମିତା ମିଶ୍ର (ଜ୍ୟୋତିର୍ବିଦ), କବୟିତ୍ରୀ ନିବେଦିତା ସାହୁ, ଡ଼କ୍ଟର ରଶ୍ମୀ କର, କବୟିତ୍ରୀ ଅମ୍ବିକା ସ୍ୱାଇଁ (ପ୍ରତିଷ୍ଠାତ୍ରି- କୋଠଘର) ବାଲିଯାତ୍ରା ଏବଂ ନୌବାଣିଜ୍ୟ ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ସନାତନ ବୈଦିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ବେଦ ଏବଂ ଗୀତା ପାଠ କରି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲେ । କବି ଏବଂ କବୟିତ୍ରୀ ବାଲିଯାତ୍ରା ଏବଂ ନୌବାଣିଜ୍ୟ ଶୀର୍ଷକ କବିତା ପାଠ କରିଥିଲେ । ଅନୁଷ୍ଠାନ ତରଫରୁ ଶତାଧିକ ପ୍ରତିଭାଙ୍କୁ ଉତ୍କଳ ସାରସ୍ଵତ ବୈଭବ ସମ୍ମାନ ପ୍ରଦାନ କରାଯାଇଥିଲା । ପଚିଶ ସାମାଜିକ ସେବା ସଂଗଠନ ଏବଂ ଶତାଧିକ ସମାଜସେବୀଙ୍କୁ ଉତ୍କଳ ସେବା ବୈଭବ ସମ୍ମାନ ପ୍ରଦାନ କରାଯାଇଥିଲା । ବ୍ରହ୍ମାନନ୍ଦ ବିଶ୍ଵାଳ, ଡ଼କ୍ଟର ଲକ୍ଷ୍ମଣ ସାହୁ, ବିଭୂତି ସାହୁ, ବିପିନ ବିହାରୀ ବାରିକଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା । କବି ନିଧି ସାହୁ ଏବଂ କବି ଦେବଦତ୍ତ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଯୋଗଗୁରୁ ସାଗରିକା ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.