ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଅଧିନରେ ଅଧିକୃତ ଭାରତୀୟ ବିରଳ ମୃତ୍ତିକା ପ୍ରତିଷ୍ଠାନ ଆଇ.ଆର.ଇ.ଏଲ୍ (ଇଣ୍ଡିଆ) ସୌଜନ୍ୟରେ ଗାଆଁ ପୋଖରୀରେ ମାଛଚାଷ କରିବା ନିମନ୍ତେ ଏସ.ଏଚ.ଜି ମହିଳା ଗ୍ରୁପକୁ ପ୍ରୋତ୍ସାହନ ଯୋଗାଇ ମହିଳାମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବାରେ ପ୍ରତିଷ୍ଠାନ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣକରି ଅଭିନବ ପ୍ରୟାସ ଜାରି ରଖିଛନ୍ତି । ଚଳିତ ବର୍ଷ ମଧ୍ୟ ଏସ.ଏଚ.ଜି ମହିଳା ଗ୍ରୁପ ମାଧ୍ୟମରେ ମାଛ-ଜାଆଁଳା ଏବଂ ମାଛ ଖାଦ୍ୟ ଦାନା ଯୋଗାଇ ଦିଆଯାଇ ପରବର୍ତ୍ତୀ ପର୍ଯ୍ୟାୟରେ ମହିଳାମାନଙ୍କୁ ତାଲିମ ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ଆଇ.ଆର.ଇ.ଏଲ୍ (ଇଣ୍ଡିଆ) ଉଚ୍ଚ କର୍ତ୍ତୃପକ୍ଷ କହିଛନ୍ତି । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଛତ୍ରପୁର ବ୍ଲକର ଚାରୋଟି ଗ୍ରାମ ପଞ୍ଚାୟତର ୨୬ଟି ପୋଖରୀରେ ସର୍ବମୋଟ ୨୫ ଶହ କିଲୋଗ୍ରାମ ମାଛ-ଜାଆଁଳା ଏବଂ୧୦ ଟନ୍ ମାଛଖାଦ୍ୟ ବା ଦାନା ଏସ.ଏଚ.ଜି. ମହିଳା ଗ୍ରୁପଙ୍କ ମାଧ୍ୟମରେ ପ୍ରତିଟି ଗାଁ’କୁ ଯୋଗାଇ ଦିଆଯାଇଛି । ମାଛ ଚାଷ କରିବାରେ ପ୍ରତ୍ୟେକ୍ଷ ଭାବେ ମହିଳା ଗୋଷ୍ଠୀ ନିଜେ ନିଜେ ସ୍ୱାବଲମ୍ବନଶୀଳ ହୋଇପାରିବେ, ଅବା ମହିଳାମାନେ ରୋଜଗାରକ୍ଷମ ହୋଇପାରିବେ । ତେଣୁ ଆଇ.ଆର.ଇ.ଏଲ୍ (ଇଣ୍ଡିଆ) କର୍ତ୍ତୃପକ୍ଷ ଏହି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ପୋଖରୀରେ ମାଛ-ଜାଆଁଳା ଛଡ଼ାଯିବା ପ୍ରକ୍ରିୟାକରଣ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର, ସନ୍ନିକଟ ପାଲିଆ-ଛତ୍ରପୁର ( ଜି.ଏନ.ପାଲେମ୍) ଠାରେ ମଙ୍ଗଳବାର ଶୁଭାରମ୍ଭ ହୋଇଛି । ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସାମାଜିକ ଦାୟିତ୍ଵ ବୋଧ (ସିଏସଆର୍) ଦାୟିତ୍ଵରେ ଥିବା ଅଧିକାରୀ ଡିଜିଏମ୍ ପ୍ରୋଜେକ୍ଟ, ରିସର୍ଚ୍ଚ ମୁଖ୍ୟ ଶ୍ୟାମସୁନ୍ଦର ମଲ୍ଲିକ, ସିନିୟର ମ୍ୟାନେଜର ସିଏସଆର୍ ରିସର୍ଚ୍ଚ ଦୀପକ ମିଶ୍ର ସକ୍ରୀୟ ଯୋଗଦେଇ ମହିଳାଗୋଷ୍ଠୀ ଏବଂ ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ ।