ମହାମହିମ ରାଷ୍ଟ୍ରପତି ହୁରେଲସୁଖ,
ଉଭୟ ଦେଶର ପ୍ରତିନିଧିଗଣ,
ଗଣମାଧ୍ୟମର ବନ୍ଧୁମାନେ,
ନମସ୍କାର
ସେନ-ବେନ-ଉ
ରାଷ୍ଟ୍ରପତି ହୁରେଲସୁଖ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ସ୍ୱାଗତ କରି ମୁଁ ଆନନ୍ଦିତ । ଛଅ ବର୍ଷ ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅବସର ଆଣିଦେଇଛି । ଏବଂ ଏହି ଗସ୍ତ ସେତେବେଳେ ଆସିଛି ଯେତେବେଳେ ଭାରତ ଏବଂ ମଙ୍ଗୋଲିଆ ୭୦ ବର୍ଷର କୂଟନୈତିକ ସମ୍ପର୍କ ଏବଂ ୧୦ ବର୍ଷର ରଣନୈତିକ ସହଭାଗୀତା ପାଳନ କରୁଛନ୍ତି । ଏହି ଅବସରକୁ ପାଳନ କରିବା ପାଇଁ, ଆମେ ଏକ ମିଳିତ ଡାକ ଟିକେଟ ଜାରି କରିଛୁ, ଯାହାକି ଆମର ସହଭାଗୀ ଐତିହ୍ୟ, ବିବିଧତା ଏବଂ ଗଭୀର ସଭ୍ୟତାଗତ ସମ୍ପର୍କର ପ୍ରତୀକ ।
ବନ୍ଧୁଗଣ,
ଆଜି ଆମର ବୈଠକ ‘ଏକ ପେଡ୍ ମା କେ ନାମ୍’ ବୃକ୍ଷରୋପଣ ସହିତ ଆରମ୍ଭ ହୋଇଥିଲା । ରାଷ୍ଟ୍ରପତି ହୁରେଲସୁଖ ତାଙ୍କ ସ୍ୱର୍ଗତ ମା’ଙ୍କ ନାମରେ ରୋପଣ କରିଥିବା ବଟବୃକ୍ଷଟି ଆଗାମୀ ପିଢ଼ି ପାଇଁ ଆମର ଗଭୀର ବନ୍ଧୁତା ଏବଂ ପରିବେଶ ପ୍ରତି ଆମର ସହଭାଗୀତା ପ୍ରତିବଦ୍ଧତାର ପ୍ରତୀକ ହୋଇ ରହିବ ।
ବନ୍ଧୁଗଣ,
ଦଶ ବର୍ଷ ପୂର୍ବେ, ମୋର ମଙ୍ଗୋଲିଆ ଗସ୍ତ ସମୟରେ, ଆମେ ଆମର ସହଭାଗୀତାକୁ ଏକ ରଣନୈତିକ ସହଭାଗୀତାର ରୂପ ଦେଇଥିଲୁ । ଗତ ଦଶନ୍ଧି ମଧ୍ୟରେ, ଏହି ସହଭାଗୀତାର ପ୍ରତ୍ୟେକ ଦିଗ ନୂତନ ଗଭୀରତା ଏବଂ ବିସ୍ତାର ହାସଲ କରିଛି ।
ଆମର ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ମଧ୍ୟ ନିରନ୍ତର ଭାବରେ ମଜବୁତ ହେଉଛି। ଆମେ ତାଲିମ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଦୂତାବାସରେ ପ୍ରତିରକ୍ଷା ଆଟାଚେ ନିଯୁକ୍ତି ପର୍ଯ୍ୟନ୍ତ ଅନେକ ନୂତନ ପଦକ୍ଷେପ ଆରମ୍ଭ କରିଛୁ । ଭାରତ ମଙ୍ଗୋଲିଆର ସୀମା ସୁରକ୍ଷା ବାହିନୀ ପାଇଁ ଏକ ନୂତନ କ୍ଷମତା-ନିର୍ମାଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବ ।
ବନ୍ଧୁଗଣ,
ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆମର ଦୃଷ୍ଟିକୋଣ ଆମର ସମାନ ମୂଲ୍ୟବୋଧ ଉପରେ ଆଧାରିତ । ଆମେ ଅନ୍ତର୍ଜାତୀୟ ଫୋରମରେ ଘନିଷ୍ଠ ଅଂଶୀଦାର । ଆମେ ଉଭୟ ଏକ ମୁକ୍ତ, ଖୋଲା, ଅନ୍ତର୍ଭୁକ୍ତ ଏବଂ ନିୟମ-ଭିତ୍ତିକ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ସମର୍ଥନ କରୁଛୁ । ଆମେ ବିଶ୍ୱ ଦକ୍ଷିଣର ସ୍ୱରକୁ ସଶକ୍ତ କରିବା ପାଇଁ ମଧ୍ୟ ଏକାଠି କାମ କରୁଛୁ ।
ବନ୍ଧୁଗଣ,
ଭାରତ ଏବଂ ମଙ୍ଗୋଲିଆ ମଧ୍ୟରେ ସମ୍ପର୍କ କେବଳ କୂଟନୈତିକ ନୁହେଁ – ଏହା ଏକ ଆତ୍ମିକ ଏବଂ ଆଧ୍ୟାତ୍ମିକ ବନ୍ଧନ । ଆମର ସମ୍ପର୍କର ପ୍ରକୃତ ଗଭୀରତା ଏବଂ ବିସ୍ତାର ଆମର ଲୋକ-ଲୋକ ସମ୍ପର୍କରେ ପ୍ରତିଫଳିତ ହୁଏ ।
ବିଗତ ଅନେକ ଶତାବ୍ଦୀ ଧରି, ଆମର ଦୁଇ ଦେଶ ବୌଦ୍ଧ ଧର୍ମର ବନ୍ଧନରେ ଆବଦ୍ଧ, ଯେଉଁଥିପାଇଁ ଆମକୁ ଆଧ୍ୟାତ୍ମିକ ସଂପର୍କୀୟ ବୋଲି କୁହାଯାଏ । ଆଜି, ଆମେ ଏହି ପରମ୍ପରାକୁ ଆହୁରି ମଜବୁତ କରିବା ଏବଂ ଏହି ଐତିହାସିକ ସମ୍ପର୍କକୁ ପୁନର୍ଜୀବିତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ । ମୁଁ ଖୁସିର ସହିତ ଘୋଷଣା କରୁଛି ଯେ ଆସନ୍ତା ବର୍ଷ, ଭଗବାନ ବୁଦ୍ଧଙ୍କ ଦୁଇ ମହାନ ଶିଷ୍ୟ – ସାରିପୁତ୍ର ଏବଂ ମୌଦଗଲ୍ୟାୟନଙ୍କ ପବିତ୍ର ଅବଶେଷ ଭାରତରୁ ମଙ୍ଗୋଲିଆ ପଠାଯିବ ।
ଆମେ ଗଣ୍ଡନ ମଠକୁ ଜଣେ ସଂସ୍କୃତ ଶିକ୍ଷକଙ୍କୁ ମଧ୍ୟ ପଠାଇବୁ ଯାହାଦ୍ୱାରା ସେଠାକାର ବୌଦ୍ଧ ଗ୍ରନ୍ଥଗୁଡ଼ିକର ଗଭୀର ଅଧ୍ୟୟନ କରାଯାଇପାରିବ ଏବଂ ପ୍ରାଚୀନ ଜ୍ଞାନ ପରମ୍ପରାକୁ ଆଗକୁ ବଢ଼ାଯାଇପାରିବ । ଆମେ ଖୁବ୍ ଶୀଘ୍ର ୧୦ ଲକ୍ଷ ପ୍ରାଚୀନ ପାଣ୍ଡୁଲିପିକୁ ଡିଜିଟାଇଜ୍ କରିବାକୁ ନିଷ୍ପତ୍ତି ନେଇଛୁ । ନାଳନ୍ଦା ବିଶ୍ୱବିଦ୍ୟାଳୟ ମଙ୍ଗୋଲିଆରେ ବୌଦ୍ଧ ଧର୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆଜି, ଆମେ ନାଳନ୍ଦା ସହ ଗଣ୍ଡନ ମଠକୁ ସଂଯୋଗ କରି ଏହି ଐତିହାସିକ ସମ୍ପର୍କରେ ନୂତନ ଶକ୍ତି ଆଣିବାକୁ ନିଷ୍ପତ୍ତି ନେଇଛୁ । ଆମର ସମ୍ପର୍କ କେବଳ କେନ୍ଦ୍ର ସରକାରମାନଙ୍କ ମଧ୍ୟରେ ସୀମିତ ନୁହେଁ – ଲଦାଖ ସ୍ୱୟଂଶାସିତ ପାହାଡ଼ ବିକାଶ ପରିଷଦ ଏବଂ ମଙ୍ଗୋଲିଆର ଆର୍-ଖାଙ୍ଗେ ପ୍ରଦେଶ ମଧ୍ୟରେ ଆଜି ସ୍ୱାକ୍ଷରିତ ବୁଝାମଣାପତ୍ର ଆମର ସାଂସ୍କୃତିକ ସମ୍ପର୍କକୁ ନୂତନ ଉର୍ଜ୍ବା ପ୍ରଦାନ କରିବ ।
ବନ୍ଧୁଗଣ,
ଯଦିଓ ଆମ ଦୁଇ ଦେଶର ସୀମା ପରିସ୍ପରକୁ ଲାଗିନାହିଁ, ଭାରତ ସର୍ବଦା ମଙ୍ଗୋଲିଆକୁ ଏକ ପଡ଼ୋଶୀ ଭାବରେ ଦେଖିଆସିଛି । ଏବଂ ଏହି ଭାବରେ, ଆମେ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଜାରି ରଖିବୁ । ଆମେ ମଙ୍ଗୋଲିଆ ନାଗରିକମାନଙ୍କୁ ମାଗଣା ଇ-ଭିସା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ । ଭାରତ ମଙ୍ଗୋଲିଆର ଯୁବ ସାଂସ୍କୃତିକ ଦୂତଙ୍କ ବାର୍ଷିକ ଭାରତ ଗସ୍ତକୁ ମଧ୍ୟ ସ୍ପନସର କରିବ ।
ବନ୍ଧୁଗଣ,
ମଙ୍ଗୋଲିଆର ବିକାଶରେ ଭାରତ ଏକ ଦୃଢ଼ ଏବଂ ନିର୍ଭରଯୋଗ୍ୟ ସହଯୋଗୀ ହୋଇଛି । ଭାରତର ୧.୭ ବିଲିୟନ ଡଲାର ଲାଇନ୍ ଅଫ୍ କ୍ରେଡିଟ୍ ସହିତ ନିର୍ମିତ ତୈଳ ବିଶୋଧନାଗାର ପ୍ରକଳ୍ପ, ମଙ୍ଗୋଲିଆର ଶକ୍ତି ସୁରକ୍ଷାକୁ ଏକ ନୂତନ ପ୍ରୋତ୍ସାହନ ପ୍ରଦାନ କରିବ । ଏହା ବିଶ୍ୱରେ ଭାରତର ସର୍ବବୃହତ ବିକାଶ ସହଭାଗୀତା ପ୍ରକଳ୍ପ । ଏହି ପ୍ରକଳ୍ପକୁ ବାସ୍ତବତାରେ ପରିଣତ କରିବା ପାଇଁ ୨୫୦୦ରୁ ଅଧିକ ଭାରତୀୟ ସେମାନଙ୍କ ମଙ୍ଗୋଲିଆ ପ୍ରତିପକ୍ଷଙ୍କ ସହ କାମ କରୁଛନ୍ତି ।
ଆମେ ଦକ୍ଷତା ବିକାଶରେ ଆମର ସହଯୋଗକୁ ମଧ୍ୟ ବିସ୍ତାର କରିଛୁ । ଅଟଳ ବିହାରୀ ବାଜପେୟୀ ଆଇଟି ଉତ୍କର୍ଷ କେନ୍ଦ୍ର ଏବଂ ଭାରତ-ମଙ୍ଗୋଲିଆ ବନ୍ଧୁତା ବିଦ୍ୟାଳୟ ମଙ୍ଗୋଲିଆର ଯୁବପିଢ଼ିଙ୍କ ସ୍ୱପ୍ନକୁ ନୂତନ ଡେଣା ପ୍ରଦାନ କରୁଛନ୍ତି । ଏହି ସମସ୍ତ ପ୍ରକଳ୍ପ ଆମର ଗଭୀର ବନ୍ଧୁତାର ପ୍ରତୀକ ।
ଆଜି, ଆମେ ଅନେକ ପ୍ରକଳ୍ପ ମଧ୍ୟ ଘୋଷଣା କରୁଛୁ ଯାହା ସାଧାରଣ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ । ଆମେ ମଙ୍ଗୋଲିଆ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଏହି ପ୍ରୟାସ ଜାରି ରଖିବୁ ।
ମୁଁ ଖୁସି ଯେ ଆମର ଘରୋଇ କ୍ଷେତ୍ର ମଧ୍ୟ ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ବିରଳ ମୃର୍ତ୍ତିକା, ଡିଜିଟାଲ୍, ଖଣି, କୃଷି, ଦୁଗ୍ଧ ଏବଂ ସମବାୟ ଭଳି କ୍ଷେତ୍ରରେ ସହଯୋଗ ପାଇଁ ନୂତନ ସମ୍ଭାବନା ଅନୁସନ୍ଧାନ କରୁଛି ।
ମହାମହିମ,
ଆମର ସମ୍ପର୍କ ଦୁଇଟି ପ୍ରାଚୀନ ସଭ୍ୟତା ମଧ୍ୟରେ ବିଶ୍ୱାସ ଏବଂ ବନ୍ଧୁତାର ଏକ ଦୃଢ଼ ଭିତ୍ତିଭୂମି ଉପରେ ଆଧାରିତ । ସେଗୁଡ଼ିକ ସହଭାଗୀ ସାଂସ୍କୃତିକ ଐତିହ୍ୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବିକାଶ ପ୍ରତି ଏକ ସହଭାଗୀ ପ୍ରତିବଦ୍ଧତା ଦ୍ୱାରା ପରିପୂର୍ଣ୍ଣ । ମୁଁ ନିଶ୍ଚିତ ଯେ ଏକାଠି ଆମେ ଏହି ରଣନୈତିକ ସହଭାଗୀତାକୁ ନୂତନ ଉଚ୍ଚତାକୁ ନେଇଯିବୁ । ପୁଣିଥରେ, ମୁଁ ଏହି ଐତିହାସିକ ଗସ୍ତ ପାଇଁ ଏବଂ ଭାରତ ପ୍ରତି ଆପଣଙ୍କର ଅଟଳ ପ୍ରତିବଦ୍ଧତା ଏବଂ ବନ୍ଧୁତା ପାଇଁ ମୋର କୃତଜ୍ଞତା ପ୍ରକାଶ କରୁଛି ।
“ବାୟର-ଲା”
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।
Prev Post