ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ

  • ପ୍ରଥମ ସ୍ଥାନ ଅଧିକାର କଲେ ଓଏଭି ଝରଣୀର ରୁଦ୍ରାଂଶ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପି ପି ଏକାଡେମୀ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇ ଏହି ଆଲୋଚନା ଚକ୍ରକୁ ଉଦଘାଟନ କରିଥିଲେ । ଜିଲ୍ଲା ବିଜ୍ଞାନ ତତ୍ଵାବଧାରକ ନବଘନ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଜ୍ଞାନ ଆଲୋଚନା ଚକ୍ରର ଶୀର୍ଷକ “କ୍ଵାଣ୍ଟମ ଯୁଗର ଆରମ୍ଭ, ସମ୍ଭାବନା ଓ ଆହ୍ୱାନ”ରେ ୧୪ଗୋଟି ବ୍ଲକରେ ପୂର୍ବରୁ ଆୟୋଜିତ ହୋଇଥିବା ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ତୁରକେଲା ବ୍ଲକ ଝରଣୀ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ରୁଦ୍ରାଂଶ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଓଏଭି ପଥରଚେପାର ନବମ ଶ୍ରେଣୀ ଛାତ୍ର ଦୁର୍ଲଭ ପୁହାଣ ଦ୍ଵିତୀୟ ସ୍ଥାନ ଓ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଧବଳେଶ୍ୱର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ରଶ୍ମିତା ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ଭାବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର ବିଭଗୀୟ ମୁଖ୍ୟ ଦେବବ୍ରତ ଦଣ୍ଡସେନା ଓ ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଜିତେନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ନିଜ ବକ୍ତବ୍ୟରେ ଦୈନନ୍ଦିନ ଜୀବନଚର୍ଯ୍ୟାରେ ବିଜ୍ଞାନର ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ପ୍ରବୀର ପଣ୍ଡା, ସଦର ବ୍ଲକ ବିଇଓ ନୀଳମଣି ପଟେଲ ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ସରୋଜ ନାୟକ କରିଥିବା ବେଳେ ଦ୍ଵିତୀରଞ୍ଜନ ମହାଲିଙ୍ଗ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.