- ଜାମ୍ମୁ-କାଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବା ମୋଦୀ ସରକାରଙ୍କ ପ୍ରାଥମିକତା : ଗୃହମନ୍ତ୍ରୀ
- ସୁରକ୍ଷା ସଂସ୍ଥାଗୁଡ଼ିକର ଦୃଢ଼ ପ୍ରୟାସ ଯୋଗୁଁ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରର ଶତ୍ରୁମାନଙ୍କ ଦ୍ୱାରା ପୋଷିତ ଆତଙ୍କବାଦୀ ନେଟୱାର୍କ ପ୍ରାୟ ସମାପ୍ତ ହୋଇଛି
- କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଏହି ଅଞ୍ଚଳରେ ଶାନ୍ତି ଏବଂ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଯେକୌଣସି ପ୍ରୟାସକୁ ଦମନ କରିବା ପାଇଁ ଆମ ସୁରକ୍ଷା ବାହିନୀକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳିବ
- ଅମିତ ଶାହ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସ୍ଥାନୀୟ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି
- ଏହି ଅଞ୍ଚଳରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ରୂପେ ମୂଳପୋଛ କରିବା ପାଇଁ ସମସ୍ତ ସୁରକ୍ଷା ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ
- କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଶୀତ ଋତୁ ଆରମ୍ଭ ହେବା ସହିତ, ଆତଙ୍କବାଦୀମାନେ ଯେପରି ତୁଷାରପାତର ଫାଇଦା ଉଠାଇ ସୀମା ଆରପଟୁ ଅନୁପ୍ରବେଶ ନ କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଆବଶ୍ୟକ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, ସେନା ମୁଖ୍ୟ, ଜାମ୍ମୁ-କାଶ୍ମୀର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସି. ଏ. ପି. ଏଫ୍.)ର ମହାନିର୍ଦ୍ଦେଶକ ଏବଂ ଭାରତ ସରକାର, ସେନା ଏବଂ ଜାମ୍ମୁ-କାଶ୍ମୀର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଅମିତ ଶାହ ଆତଙ୍କବାଦ ମୁକ୍ତ ଜାମ୍ମୁ-କାଶ୍ମୀର ଲକ୍ଷ୍ୟ ହାସଲ ଦିଗରେ ମୋଦୀ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସେ କହିଥିଲେ ଯେ, ସୁରକ୍ଷା ସଂସ୍ଥାଗୁଡ଼ିକର ଦୃଢ଼ ପ୍ରୟାସ ଯୋଗୁଁ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରର ଶତ୍ରୁମାନଙ୍କ ଦ୍ୱାରା ପୋଷିତ ଆତଙ୍କବାଦୀ ନେଟୱାର୍କ ପ୍ରାୟ ପଙ୍ଗୁ ହୋଇଯାଇଛି । ସେ ଏହା ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ, ଏହି ପ୍ରୟାସକୁ ଜାରି ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ସମ୍ବଳ ଯୋଗାଇ ଦିଆଯିବ । ଏହି ଅଞ୍ଚଳରେ ଶାନ୍ତି ଏବଂ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଯେକୌଣସି ପ୍ରୟାସକୁ ଦମନ କରିବା ପାଇଁ ଆମ ସୁରକ୍ଷା ବାହିନୀକୁ କାର୍ଯ୍ୟାନୁଷ୍ଠାନର ସମ୍ପୂର୍ଣ୍ଣ ସ୍ୱାଧୀନତା ରହିବ । ଶ୍ରୀ ଶାହ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ, ଯାହା ଜାମ୍ମୁ-କାଶ୍ମୀରରେ ସାମଗ୍ରିକ ସୁରକ୍ଷା ପରିଦୃଶ୍ୟକୁ ଦୃଢ଼ କରିବାରେ ସହାୟକ ହୋଇଛି । ଏହି ଅଞ୍ଚଳରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସମନ୍ୱିତ ଏବଂ ସତର୍କତାର ସହ କାର୍ଯ୍ୟ କରିବାରେ ସମସ୍ତ ସୁରକ୍ଷା ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଶୀତ ଋତୁ ଆରମ୍ଭ ହେବା ସହିତ, ଆତଙ୍କବାଦୀମାନେ ଯେପରି ତୁଷାରପାତର ଫାଇଦା ଉଠାଇ ସୀମା ଆରପଟୁ ଅନୁପ୍ରବେଶ ନ କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଆବଶ୍ୟକ ।