ମହାମହିମ ପ୍ରଧାନମନ୍ତ୍ରୀ ଷ୍ଟାରମର,
ଉଭୟ ଦେଶର ପ୍ରତିନିଧି,
ଗଣମାଧ୍ୟମର ବନ୍ଧୁ,
ନମସ୍କାର
ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଆଜି ମୁମ୍ବାଇରେ ତାଙ୍କର ପ୍ରଥମ ଭାରତ ଗସ୍ତରେ ସ୍ୱାଗତ କରି ମୁଁ ଆନନ୍ଦିତ ।
ବନ୍ଧୁଗଣ,
ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ ନେତୃତ୍ୱରେ, ଭାରତ-ୟୁକେ ସମ୍ପର୍କରେ ଉଲ୍ଲେଖନୀୟ ପ୍ରଗତି ହୋଇଛି । ଏହି ବର୍ଷ ଜୁଲାଇରେ ମୋର ୟୁକେ ଗସ୍ତ ସମୟରେ, ଆମେ ଐତିହାସିକ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତି (ସିଇଟିଏ) ଚୁଡାନ୍ତ କରିଥିଲୁ । ଏହି ଚୁକ୍ତିନାମା ଉଭୟ ଦେଶ ମଧ୍ୟରେ ଆମଦାନୀ ଖର୍ଚ୍ଚ ହ୍ରାସ କରିବ, ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ବାଣିଜ୍ୟକୁ ବୃଦ୍ଧି କରିବ ଏବଂ ଆମର ଶିଳ୍ପ ଏବଂ ଗ୍ରାହକ ଉଭୟଙ୍କୁ ଲାଭ ଦେବ ।
ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଅଳ୍ପ କିଛି ମାସ ପରେ ଆପଣଙ୍କର ଭାରତ ଗସ୍ତ ଏବଂ ଆପଣଙ୍କ ସହିତ ଆସିଥିବା ସବୁଠାରୁ ବଡ଼ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ, ଭାରତ-ୟୁକେ ସହଭାଗୀତାରେ ନୂତନ ଶକ୍ତି ଏବଂ ବ୍ୟାପକ ଦୃଷ୍ଟିକୋଣର ପ୍ରତୀକ ।
ବନ୍ଧୁଗଣ,
ଗତକାଲି, ଭାରତ ଏବଂ ୟୁକେ ମଧ୍ୟରେ ବ୍ୟବସାୟିକ ନେତାମାନଙ୍କର ସର୍ବବୃହତ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆଜି, ଆମେ ଭାରତ-ୟୁକେ ସିଇଓ ଫୋରମ୍ ଏବଂ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟିଭାଲ୍କୁ ମଧ୍ୟ ସମ୍ବୋଧିତ କରିବୁ । ଏସବୁ ଭାରତ-ୟୁକେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ବହୁମୂଲ୍ୟ ପରାମର୍ଶ ଏବଂ ନୂତନ ସମ୍ଭାବନା ପ୍ରଦାନ କରିବ ।
ବନ୍ଧୁଗଣ,
ଭାରତ ଏବଂ ୟୁକେ ପରସ୍ପରର ସ୍ୱାଭାବିକ ଅଂଶୀଦାର । ଆମର ସମ୍ପର୍କ ଗଣତନ୍ତ୍ର, ସ୍ୱାଧୀନତା ଏବଂ ଆଇନର ଶାସନ ଭଳି ମୂଲ୍ୟବୋଧ ଉପରେ ଏକ ସମାନ ବିଶ୍ୱାସ ଉପରେ ପ୍ରତିଷ୍ଠିତ । ବର୍ତ୍ତମାନର ବିଶ୍ୱ ଅସ୍ଥିରତାର ଯୁଗରେ, ଭାରତ ଏବଂ ୟୁକେ ମଧ୍ୟରେ ଏହି ବଢ଼ୁଥିବା ସହଭାଗୀତା ବିଶ୍ୱ ସ୍ଥିରତା ଏବଂ ଆର୍ଥିକ ପ୍ରଗତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇ ରହିଛି ।
ଆଜିର ବୈଠକରେ, ଆମେ ଭାରତ-ପ୍ରଶାନ୍ତ ମହାସାଗର, ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ଏବଂ ୟୁକେନରେ ଚାଲିଥିବା ସଂଘର୍ଷ ଉପରେ ମଧ୍ୟ ମତାମତ ଆଦାନପ୍ରଦାନ କରିଛୁ । ୟୁକେନ୍ ସଂଘର୍ଷ ଏବଂ ଗାଜା ପ୍ରସଙ୍ଗରେ, ଭାରତ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଶାନ୍ତି ପୁନଃସ୍ଥାପନ ପାଇଁ ସମସ୍ତ ପ୍ରୟାସକୁ ସମର୍ଥନ କରେ । ଆମେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା ସହଯୋଗ ବୃଦ୍ଧି କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।
ବନ୍ଧୁଗଣ,
ଭାରତ ଏବଂ ୟୁକେ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ସହଭାଗୀତା ଅପାର ସମ୍ଭାବନା ରହିଛି । ଆମେ ୟୁକେର ଶିଳ୍ପ ବିଶେଷଜ୍ଞତା ଏବଂ ଗବେଷଣା ଏବଂ ବିକାଶକୁ ଭାରତର ପ୍ରତିଭା ଏବଂ ବିଶାଳତା ସହିତ ମିଶ୍ରଣ କରିବା ପାଇଁ କାର୍ଯ୍ୟ କରୁଛୁ ।
ଗତ ବର୍ଷ, ଆମେ ଭାରତ-ୟୁକେ ପ୍ରଯୁକ୍ତି ସୁରକ୍ଷା ପଦକ୍ଷେପ ଆରମ୍ଭ କରିଥିଲୁ । ଏହି ପଦକ୍ଷେପ ଅଧୀନରେ, ଆମେ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ମିଳିତ ଗବେଷଣା ଏବଂ ନବସୃଜନ ପାଇଁ ଏକ ଦୃଢ଼ ପ୍ଲାଟଫର୍ମ ସୃଷ୍ଟି କରିଥିଲୁ । ନବସୃଜନ ମାଧ୍ୟମରେ ଉଭୟ ଦେଶର ଯୁବ ପିଢ଼ିଙ୍କୁ ସଂଯୋଗ କରିବା ପାଇଁ, ଆମେ ସଂଯୋଗ ଏବଂ ନବସୃଜନ କେନ୍ଦ୍ର ଏବଂ ମିଳିତ ଏଆଇ ଗବେଷଣା କେନ୍ଦ୍ର ଭଳି ଅନେକ ପଦକ୍ଷେପ ନେଇଛୁ ।
ଆମେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ସହଯୋଗ କରିବା ପାଇଁ ଏକ ଶିଳ୍ପ ଗିଲ୍ଡ ଏବଂ ଯୋଗାଣ ଶୃଙ୍ଖଳା ଅବଜରଭେଟୋରୀ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛୁ । ଏହାର ସାଟେଲାଇଟ୍ କ୍ୟାମ୍ପସ୍ ଆଇଏସଏମ୍ ଧନବାଦରେ ହେବ ।
ସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ଆମର ଏକ ମିଳିତ ପ୍ରତିବଦ୍ଧତା ଅଛି । ଆମେ ଏହି ଦିଗରେ ଭାରତ-ୟୁକେ ଅଫଶୋର ପବନଶକ୍ତି ଟାସ୍କଫୋର୍ସ ଗଠନକୁ ସ୍ୱାଗତ କରୁଛୁ ।
ଆମେ ଜଳବାୟୁ ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍ ପାଣ୍ଠି ପ୍ରତିଷ୍ଠା କରିଛୁ । ଏହା ଜଳବାୟୁ, ପ୍ରଯୁକ୍ତିବିଦ୍ୟା ଏବଂ ଏଆଇରେ କାର୍ଯ୍ୟ କରୁଥିବା ଉଭୟ ଦେଶର ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କୁ ସମର୍ଥନ କରିବ ।
ବନ୍ଧୁଗଣ,
ପ୍ରତିରକ୍ଷା ଏବଂ ସୁରକ୍ଷାଠାରୁ ଶିକ୍ଷା ଏବଂ ନବସୃଜନ ପର୍ଯ୍ୟନ୍ତ, ଭାରତ-ୟୁକେ ସମ୍ପର୍କରେ ନୂତନ ଦିଗ ସୃଷ୍ଟି ହେଉଛି ।
ଆଜି, ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ ସହିତ ଶିକ୍ଷା କ୍ଷେତ୍ରର ଆଜି ପର୍ଯ୍ୟନ୍ତ ସବୁଠାରୁ ବଡ଼ ଏବଂ ପ୍ରଭାବଶାଳୀ ପ୍ରତିନିଧିମଣ୍ଡଳୀ ଅଛନ୍ତି । ଏହା ଖୁସିର କଥା ଯେ ନଅଟି ୟୁକେ ବିଶ୍ୱବିଦ୍ୟାଳୟ ଏବେ ଭାରତରେ କ୍ୟାମ୍ପସ୍ ଖୋଲିଛନ୍ତି । ସାଉଥାମ୍ପଟନ୍ ବିଶ୍ୱବିଦ୍ୟାଳୟର ଗୁରୁଗ୍ରାମ କ୍ୟାମ୍ପସ୍ ନିକଟରେ ଉଦଘାଟନ ହୋଇଛି, ଏବଂ ପ୍ରଥମ ଛାତ୍ର ଗୋଷ୍ଠୀ ନାମ ଲେଖାଇସାରିଛନ୍ତି । ଗିଫ୍ଟ ସିଟିରେ ଆଉ ତିନୋଟି ୟୁକେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ନିର୍ମାଣ ମଧ୍ୟ ଚାଲିଛି ।
ଆମର ପ୍ରତିରକ୍ଷା ସହଯୋଗ ମଧ୍ୟ ବୃଦ୍ଧି ପାଇଛି । ଆମେ ପ୍ରତିରକ୍ଷା ସହ-ଉତ୍ପାଦନ ଏବଂ ଉଭୟ ଦେଶର ପ୍ରତିରକ୍ଷା ଶିଳ୍ପକୁ ସଂଯୋଗ କରିବା ଦିଗରେ ଅଗ୍ରସର ହେଉଛୁ । ପ୍ରତିରକ୍ଷା ସହଯୋଗକୁ ଆଉ ଏକ ପାଦ ଆଗକୁ ନେଇ, ଆମେ ସାମରିକ ତାଲିମ କ୍ଷେତ୍ରରେ ସହଯୋଗ ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛୁ । ଏହି ଚୁକ୍ତି ଅନୁଯାୟୀ, ଭାରତୀୟ ବାୟୁସେନାର ଫ୍ଲାଇଂ ପ୍ରଶିକ୍ଷକମାନେ ୟୁକେର ରୟାଲ୍ ବାୟୁସେନାରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିବେ ।
ଏହା ଏକ ବିଶେଷ ସଂଯୋଗ ଯେ ଏହି ବୈଠକ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ହେଉଥିବା ବେଳେ, ଆମର ନୌସେନା ଜାହାଜ “କୋଙ୍କଣ ୨୦୨୫” ମିଳିତ ଅଭ୍ୟାସ କରୁଛନ୍ତି ।
ବନ୍ଧୁଗଣ,
ୟୁକେରେ ରହୁଥିବା ୧.୮ ନିୟୁତ ଭାରତୀୟ ଆମର ସହଭାଗୀତାରେ ଏକ ଗତିଶୀଳ ସଂଯୋଗ । ବ୍ରିଟିଶ ସମାଜ ଏବଂ ଅର୍ଥନୀତିରେ ସେମାନଙ୍କର ମୂଲ୍ୟବାନ ଅବଦାନ ମାଧ୍ୟମରେ, ସେମାନେ ଆମ ଦୁଇ ଦେଶ ମଧ୍ୟରେ ବନ୍ଧୁତା, ସହଯୋଗ ଏବଂ ବିକାଶର ସେତୁକୁ ମଜବୁତ କରିଛନ୍ତି ।
ବନ୍ଧୁଗଣ,
ଭାରତର ଗତିଶୀଳତା ଏବଂ ଯୁକ୍ତରାଜ୍ୟର ବିଶେଷଜ୍ଞତା ମିଳିତ ଭାବରେ ଏକ ଅନନ୍ୟ ସମନ୍ୱୟ ସୃଷ୍ଟି କରନ୍ତି । ଆମର ସହଭାଗୀତା ବିଶ୍ୱସନୀୟ, ପ୍ରତିଭା ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ । ଏବଂ ଆଜି, ଯେତେବେଳେ ପ୍ରଧାନମନ୍ତ୍ରୀ ଷ୍ଟାରମର ଏବଂ ମୁଁ ମଞ୍ଚ ଉପରେ ଏକାଠି ଠିଆ ହୋଇଛୁ, ଏହା ଆମର ସ୍ପଷ୍ଟ ପ୍ରତିବଦ୍ଧତା ଯେ ଏକାଠି, ଆମେ ଉଭୟ ଦେଶର ଲୋକଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବୁ ।
ମୁଁ ପୁଣିଥରେ ପ୍ରଧାନମନ୍ତ୍ରୀ ଷ୍ଟାରମର ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତ ଗସ୍ତ ପାଇଁ ମୋର ହୃଦୟରୁ ଧନ୍ୟବାଦ ଜଣାଉଛି ।
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।