- ଜ୍ଞାନ ବାଣ୍ଟିଲେ ବଢେ : ଡ଼ଃ କୃଷ୍ଣକେଶବ ଷଡ଼ଙ୍ଗୀ
ରାଉରକେଲା, (ସସ୍ମିତା ପ୍ରଧାନ) : ଜ୍ଞାନ ସବୁବେଳେ ବଣ୍ଟନ କଲେ ବଢ଼େ । ପ୍ରଭୁ ହେଉଛନ୍ତି ଦାତାଙ୍କ ମଧ୍ୟରେ ଶ୍ରେଷ୍ଠ । ପବିତ୍ର ମଧ୍ୟରେ ପବିତ୍ର ହେଉଛି ଜ୍ଞାନ, ଏହିଭଳି ମତ ପୋଷଣ କରିଛନ୍ତି ପଣ୍ଡିତ ଡ଼ଃ. କୃଷ୍ଣକେଶବ ଷଡ଼ଙ୍ଗୀ । ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ସଚ୍ଚିଦାନନ୍ଦ ସ୍ମୃତି ସମିତି ତରଫରୁ ଆୟୋଜିତ ଦ୍ୱିଦିବସୀୟ ଅଧ୍ୟାତ୍ମ ସାହିତ୍ୟ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମରେ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ ବିଶିଷ୍ଟ ବାଗ୍ମୀ, ସଂସ୍କୃତ ଓ ସାହିତ୍ୟ ବିଷାରଦ ଡ଼ଃ. କୃଷ୍ଣକେଶବ ଷଡ଼ଙ୍ଗୀ । ପ୍ରଥମ ଦିବସରେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଚେତନା ଓ ଦ୍ୱିତୀୟ ଦିବସରେ କବି ଦୀନକୃଷ୍ଣ ଦାସଙ୍କ ରସକଲ୍ଲୋଳ କାବ୍ୟରେ କୃଷ୍ଣରସ ସମ୍ପର୍କରେ ଆଲୋଚନା କରି ଡ଼ଃ. ଷଡ଼ଙ୍ଗୀ କହିଲେ ଯେ, ବଳଦେବ ରଥଙ୍କ ସାହିତ୍ୟରେ ବ୍ୟାକରଣ ତୃଟି ନାହିଁ । ଓଡ଼ିଆ ବ୍ୟାକରଣର ଭିତ୍ତି ହେଉଛି ସଂସ୍କୃତ ବ୍ୟାକରଣ । ମହାପ୍ରଭୁ ହେଉଛନ୍ତି ଦାତା । ଗରୁଡଙ୍କ ପାଖରେ ଠିଆ ହୋଇ ଠାକୁରଙ୍କୁ ଦର୍ଶନ କରିବା ଶାସ୍ତ୍ର ସମ୍ମତ । ବଡ ଠାକୁରଙ୍କ ପାଖରେ ୩ଟି ମଦ ଚାଲେ । ଜ୍ଞାନମଦ, ଧ୍ୟାନମଦ ଓ ଅଭିଜନ ମଦ । ମହାପ୍ରଭୁ ହେଲେ ଚିତ୍ ଜ୍ଞାନୀ । ସେହିପରି ପ୍ରଭୁ ୧୩୯ ଥର ଆଜ୍ଞାମାଳ ଦେଇଥାନ୍ତି । ସବୁ ଶାସ୍ତ୍ର ବିଷାଦରୁ ଆରମ୍ଭ ହୋଇଥିବା ବେଳେ ଆନନ୍ଦର ରସଘନ ମୂର୍ତ୍ତି ହେଉଛନ୍ତି ମହାପ୍ରଭୁ । ଦ୍ୱିତୀୟ ଦିବସରେ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ, ସମ୍ପ୍ରତି ଜ୍ଞାନରେ ତଉଲିବା ନକରି ଅର୍ଥରେ ତଉଲୁଛୁ ବୋଲି ସମାଜ ଆଜି ଅବକ୍ଷୟ ମୁଖୀ । ଦୁଇଟି କାର୍ଯ୍ୟ ପାଇଁ ପୃଥିବୀର ଭାର ବଢେ । ପାପ ହେଲେ ଭାର ବଢେ ଓ ପୂଣ୍ୟ ଅଧିକ ହେଲେ ପୃଥିବୀ ଭାରାକ୍ରାନ୍ତ ହୁଏ । ଦୀନକୃଷ୍ଣଙ୍କ ଦର୍ଶନ ଓ ଭାଗବତ ଦର୍ଶନ ଅଭିନ୍ନ । ଜଗନ୍ନାଥ ଯିଏ ଯଦୁନାଥ ସିଏ, ରଘୁନାଥ ମଧ୍ୟ ସିଏ । ଏହାସହ ମହାପ୍ରଭୁଙ୍କ ଲୀଳାଖେଳା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଥମ ଦିବସରେ ମହେନ୍ଦ୍ର କୁମାର ପଟ୍ଟନାୟକ ଉଦଘାଟକ ଭାବେ ଓ ଶର୍ମିଷ୍ଠା କବିଶତପଥୀ ମଞ୍ଚ ସଂଯୋଜନା, ଦ୍ୱିତୀୟ ଦିବସରେ ଉଦଘାଟକ ଭାବେ ଇଂ ନବଘନ ସାହୁ ଯୋଗଦେଇଥିବା ବେଳେ ଆଲୋକ ରଂଜନ ମଲ୍ଲିକ ମଞ୍ଚ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ଶିକ୍ଷାବିତ, ସମାଜସେବୀ, ଭଗବତପ୍ରେମୀ ଉପସ୍ଥିତ ଥିଲେ ।