csstore

ଓଡ଼ିଶାର ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଏନ୍‌ଏସି ଗଠିତ ଘୋଷଣାକୁ ପ୍ରତ୍ୟାହାର ଦାବି

  • ପ୍ରତ୍ୟାହାର କରାନଗଲେ ଆଇନର ଆଶ୍ରୟ ଚେତାବନୀ
  • ଯଦି ବିକାଶ କରିବାର ଅଛି ତ୍ରିବିଭାଗକୁ ପାଣ୍ଠି ବୃଦ୍ଧି ଦାବି

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଦିବାସୀ ସେଙ୍ଗେଲ ଅଭିଯାନ ସହିତ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡ଼ୱା ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ ମହାମହିମ ରାଷ୍ଟ୍ରପତି, ଓଡ଼ିଶାର ରାଜ୍ୟପାଳ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ଏବଂ କୁହାଯାଇଛି ଯେ, ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ଓଡ଼ିଶା ସରକାର ଦ୍ୱାରା ୭ ଗୋଟି ନୂଆ ପୌରପାଳିକା ଓ ୧୬ ଗୋଟି ଏନ୍‌ଏସି ଗଠିତକୁ ଘୋଷଣା କରାଯାଇଥିବା ବେଳେ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ମଧ୍ୟ ଏନ୍‌ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ) ଗଠନ କରିବାକୁ ଘୋଷଣା କରାଯାଇଛି । ତେବେ ଯଥାଶୀଘ୍ର ଉକ୍ତ ପଞ୍ଚମ ଅନୁସୂଚୀ ଅଞ୍ଚଳର ଏନ୍‌ଏସି ଗଠିତ ଘୋଷଣାକୁ ପ୍ରତ୍ୟାହାର କରାଯାଉ ବୋଲି ଦାବି କରାଯାଇଛି । କାରଣ, ଭାରତରେ ଭାରତ ସରକାରଙ୍କ ଦ୍ୱାରା ଜିଲ୍ଲା ଆଧାରିତ ପଞ୍ଚମ ଅନୁସୂଚୀ ଅଞ୍ଚଳ ଚିହ୍ନଟ କରାଯାଇଛି ଏବଂ ଉକ୍ତ ଅନୁସୂଚୀ ଅଞ୍ଚଳରେ ପେସା ଆଇନ ଲାଗୁ କରାଯାଇଛି । ଏହି ଆଇନ ଦ୍ୱାରା ଅନୁସୂଚୀ ଅଞ୍ଚଳକୁ ବିକାଶ କରିବାର ବ୍ୟବସ୍ଥା ରହିଛି । ପେସା ଆଇନ ଦ୍ୱାରା ସର୍ବାଙ୍ଗୀନ ଉନ୍ନତି ପାଇଁ ଗ୍ରାମ-ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ବିଭାଗକୁ କାର୍ଯ୍ୟଭାର ଦିଆଯିବାର ବ୍ୟବସ୍ଥା ରହିଛି ବୋଲି ଦର୍ଶାଯାଇଛି । ତେଣୁ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଏନ୍‌ଏସି ଗଠନ କରିବାର କୌଣସି ଆବଶ୍ୟକତା ନାହିଁ ଏବଂ ଏହାର ପ୍ରାବଧାନ ମଧ୍ୟ ନାହିଁ ଉଲ୍ଲେଖ କରାଯାଇଛି । ଅତଃ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଏନ୍‌ଏସି ଗଠନ କରିବା ଘୋଷଣା ଅସାମ୍ବିଧାନିକ ଅଟେ ଏବଂ ସମ୍ବିଧାନ ବିରୋଧୀ ଅଟେ । ଅର୍ଥାତ୍ ଅନୁସୂଚୀ ଜିଲ୍ଲା ଗୁଡ଼ିକରେ ଏନ୍‌ଏସି ଗଠନ କରାଗଲେ ପେସା ଆଇନ ସହ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ବିଭାଗର କ୍ଷମତା କ୍ଷୁର୍ଣ୍ଣ ହୋଇଯିବ ବୋଲି କୁହାଯାଇଛି । ପଞ୍ଚମ ଅନୁସୂଚୀ ଅଞ୍ଚଳକୁ ଯଦି ବିକାଶ କରିବାର ଅଛି, ତେବେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ବିଭାଗକୁ ପର୍ଯ୍ୟାପ୍ତ ପରିମାଣରେ ପାଣ୍ଠି ବୃଦ୍ଧି କରାଯିବାକୁ ଦାବି କରାଯାଇଛି । ତେଣୁ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଏନ୍‌ଏସି ଘୋଷଣାକୁ ବିରୋଧ କରାଯାଇଛି । ବିଚାରାଧୀନ ଭାବରେ ପ୍ରକାଶ କରାଯାଇଛି ଯେ, ପଞ୍ଚମ ଅନୁସୂଚୀ ଜିଲ୍ଲାରେ ଆଦିବାସୀମାନେ ହିଁ ବିଧାୟକ, ସାଂସଦ ଭାବରେ ରହି ଆଦିବାସୀ ହିଁ ମୁଖ୍ୟମନ୍ତ୍ରୀ ଥାଇ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଏନ୍‌ଏସି ଘୋଷଣା କରାଯିବା ଅତି ଲଜ୍ଜାର ବିଷୟ ଅଟେ । ସଂଗଠନ ପକ୍ଷରୁ ଘୋର ନିନ୍ଦା କରାଯାଇଛି । ତେବେ ଓଡିଶାର ପଞ୍ଚମ ଅନୁସୂଚୀ ଜିଲ୍ଲାରେ ଏନ୍‌ଏସି ଘୋଷଣାକୁ ପ୍ରତ୍ୟାହାର କରାନଗଲେ ସେଙ୍ଗେଲ ସଂଗଠନ ନେତୃତ୍ୱରେ ଆଦିବାସୀ ସମାଜର ସହଯୋଗରେ ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ବାରିପଦା ସେଙ୍ଗେଲ ଜୋନାଲ କମିଟିର ସଭାପତି ସହ ପ୍ରଦେଶ ସେଙ୍ଗେଲ ପାର୍ଗାନା ନାରାନ ମୁର୍ମୁଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ ବେଳେ ବାରିପଦା ଜୋନାଲ କମିଟିର ଉପସଭାପତି ବାହାଦୁର ମୁର୍ମୁ, ବାରିପଦା ଉପଖଣ୍ଡ ସେଙ୍ଗେଲ ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମ, କପ୍ତିପଦା ଉପଖଣ୍ଡ ସେଙ୍ଗେଲ ପାର୍ଗାନା ଉଦୟନାଥ ହେମ୍ବ୍ରମ, ମାଝୀଆ ହାଁସଦାଃ, ବୁଧିରାମ ଟୁଡୁ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.