ରକ୍ଷାବନ୍ଧନ ଉତ୍ସବ ବିଶ୍ୱ ଭାତୃତ୍ୱର ନିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ମୂଲ୍ୟବୋଧ, କୃଷିଭିତ୍ତିକ, ଆଧ୍ୟାତ୍ମିକ ଓ ରାଷ୍ଟ୍ରୀୟ ସଂହତି ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ ‘ରକ୍ଷାବନ୍ଧନ’ ଉତ୍ସବ ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୬ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମ୍ୟାନେଜର ଧ୍ରୁବ ଚରଣ ପୃଷେଠ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା ‘ସାରଦାଙ୍କ ପାଦ-ପଦ୍ମରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଜଗତର କଲ୍ୟାଣ ଓ କାର୍ଯ୍ୟକ୍ରମର ଶୁଭ ମନାସୀ ଥିଲେ । ଆର୍ଥିକ, ସାମାଜିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ଭଳି ଚାରୋଟି ସ୍ତମ୍ଭର ବିକାଶ ନିମନ୍ତେ ବଦ୍ଧପରିକର ହେବାକୁ ମାର୍ଗ ଦର୍ଶନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଉତ୍ସବ ପାଳନ ଦ୍ୱାରା ମନୁଷ୍ୟ ମନରେ ପ୍ରଫୁଲ୍ଲତା ଆସେ ଓ ସମସ୍ତଙ୍କୁ କର୍ମତତ୍ପର କରିଥାଏ । ସମରସତା ଓ ସ୍ନେହ-ସଂପ୍ରୀତିର ପର୍ବ ରକ୍ଷା ବନ୍ଧନ ଅବସରରେ ଆମ ମଧ୍ୟରେ ଆତ୍ମୀୟତା ବୃଦ୍ଧି ହେଉ ଓ ଏହା ସମାଜକୁ ସଞ୍ଚରିଯାଉ ବୋଲି କାମନା କରିଥିଲେ । ପ୍ରକୃତି ଆମକୁ ସୁରକ୍ଷା ଦେଉଥିବାରୁ, ପ୍ରକୃତିର ସୁରକ୍ଷା ଆମର ଏକାନ୍ତ କାମ୍ୟ । ବୃକ୍ଷଲତାରେ ରକ୍ଷା ସୂତ୍ର ବାନ୍ଧି ତା’ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ବିଧେୟ ବୋଲି ବିଦ୍ୟାଳୟର କୋଷାଧ୍ୟକ୍ଷ ଉପେନ୍ଦ୍ର କୁମାର ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁଗ୍ମ -ସମ୍ପାଦକ ଦୀନବନ୍ଧୁ ରଥ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କର ମାର୍ଗଦର୍ଶନ କରିଥିଲେ । ପ୍ରଧାନାଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ଉତ୍ସବର ଆଭିମୁଖ୍ୟ ପ୍ରଦାନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଆଚାର୍ଯ୍ୟ ସେବକ ବନ୍ଧୁ ନାୟକ ପୂରାକାଳରୁ ଭାରତୀୟ ପରମ୍ପରାରେ ସ୍ଥାନିତ ଏହି ଉତ୍ସବ କେବଳ ଭାଈ-ଭଉଣୀ ମଧ୍ୟରେ ସୀମିତ ନୁହେଁ; ଏହି ରକ୍ଷା ସୂତ୍ର ସ୍ନେହ-ପ୍ରେମ ଭାବ ଉଦ୍ରେକକାରୀ ଏବଂ ଏହା ବିଶ୍ୱକୁ ଏକତା ସୂତ୍ରରେ ବାନ୍ଧି ପାରିବା ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାର୍ଥୀମାନେ ଏହି ଉତ୍ସବ ବିଷୟରେ ଭାଷଣ ପ୍ରଦାନ କରିଥିଲେ । ପୂର୍ବରୁ ଅନୁଷ୍ଠିତ ହୋଇଥିବା ଶ୍ରେଣୀଶଃ ସଂଗୀତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀମାନଙ୍କ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ପ୍ରାଚୀର ପତ୍ରିକା, ‘ନବକଳିକା ‘ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ବିଦ୍ୟାଳୟର ସମସ୍ତ ଗୁରୁଜୀ-ଗୁରୁମା ସହଯୋଗର ହାତ ବଢାଇଥିଲେ । ପରିଶେଷରେ ଆଚାର୍ଯ୍ୟା ପୁଷ୍ପଲତା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.