କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କ୍ୱାକ୍ଙ୍କ ଭୁଲ୍ ଇଂଜେକ୍ସନରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ଭଗବାନୀ ପୁଟା (୩୭) । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୮ଟାରେ ମହୁଲପାଟି ଗାଁର ଡିଙ୍ଗର ପୁଟା ତାଙ୍କ ସ୍ତ୍ରୀ ଭଗବାନୀଙ୍କୁ ତୁରେକେଲା ଥାନା ଲର୍କୀ ଗାଁରେ ଥିବା ଜଣେ କ୍ୱାକ୍ଙ୍କ ପାଖକୁ ଚିକିତ୍ସା ପାଇଁ ଆଣିଥିଲେ । କ୍ୱାକ୍ ଜଣକ ମହିଳାଙ୍କୁ ଏକ ଇଞ୍ଜେକ୍ସନ୍ ଦେବା ପରେ ହଠାତ ସେ ଅଚେତ ହୋଇପଡ଼ିଥିଲେ । ଘଟଣା ପରେ ପରିବାରବର୍ଗ ପୁଣି ଭଗବାନୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପରିବାରବର୍ଗ ତୁରେକେଲା ଥାନାରେ ସମ୍ପୃକ୍ତ କ୍ୱାକ୍ଙ୍କ ନାଁରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କ୍ୱାକ୍ ଦେଇଥିବା ଇଞ୍ଜେକ୍ସନ୍ ମଧ୍ୟ ପରିବାରବର୍ଗ ରଖିଥିବା ଜଣାପଡ଼ିଛି । ଏହାକୁ ନେଇ ତୁରେକେଲା ଥାନା ଅଧିକାରୀ ରମାକାନ୍ତ ସାହୁ ଅଭିଯୋଗ ପରେ ତଦନ୍ତ ଜାରି ରଖିଛୁ ବୋଲି ପ୍ରକାଶ କରିଛନ୍ତି ।
