
- ସେଙ୍ଗେଲରେ ସାମିଲ ହେଲେ ୧୭ ପରିବାର
ଉଦଳା : ଉଦଳା ବ୍ଲକର ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ସାସାଂବେଡା ଗ୍ରାମର ଗ୍ରାମମୁଖ୍ୟ (ମାଝୀବାବା) ରାମ ହେମ୍ବ୍ରମଙ୍କ ନେତୃତ୍ୱରେ ଆଦିବାସୀ ସମାଜକୁ ନିଶାମୁକ୍ତ କରିବା ଲାଗି ଏକ ସେଙ୍ଗେଲ ସଭା ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପରେ ଆଦିବାସୀ ସେଙ୍ଗେଲ ଆଭିଯାନର ପ୍ରଦେଶ ସେଙ୍ଗେଲ ପାର୍ଗାନା ସହ ବାରିପଦା ଜୋନାଲ କମିଟିର ସେଙ୍ଗେଲ ସଭାପତି ନାରାନ ମୁର୍ମୁ, ମୁଖ୍ୟବକ୍ତା ରୂପରେ ମାଝୀ-ପାର୍ଗାନା ମାଡୱାର ଓଡ଼ିଶା ପ୍ରଦେଶ ସଭାପତି ମାଧବ ଚନ୍ଦ୍ର ସୋରେନ, ସମ୍ମାନୀୟ ଅତିଥି ରୂପରେ ବାରିପଦା ସବ-ଡିଭିଜୋନାଲ ସେଙ୍ଗେଲ ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମ ଏବଂ କପ୍ତିପଦା ସବ-ଡିଭିଜୋନାଲ ସେଙ୍ଗେଲ ପାର୍ଗାନା ଉଦୟନାଥ ହେମ୍ବ୍ରମ ଆଦି ସେଙ୍ଗେଲ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ଅତିଥିମାନେ ମାଝାବାବାଙ୍କୁ ପ୍ରଶଂସା କରି କହିଥିଲେ ଯେ, ଆଦିବାସୀ ସମାଜର ସାମାଜିକ, ଧାର୍ମିକ ଏବଂ ପରମ୍ପରା ନାମରେ ହାଣ୍ଡିଆ, ମଦ ପରି ନିଶାଦ୍ରବ୍ୟର ବ୍ୟବହାରକୁ ବନ୍ଦ କରି ଆଦିବାସୀ ସମାଜର ବିକାଶ ପାଇଁ ଆଦିବାସୀମାନଙ୍କର ହାସା (ଭୁମି), ଭାଷା (ସାନ୍ତାଳୀ), ଜାତି (ଏସଟି), ଧର୍ମ (ସାର୍ନା), ଇଜ୍ଜତ, ଆବାଦୀ (ଆରକ୍ଷଣ), ରୋଜଗାର, ଚାଷବାସ ସହିତ ସମସ୍ତ ସାମ୍ବିଧାନିକ ଅଧିକାରକୁ ସ୍ଥାପିତ କରିବାକୁ ପଡ଼ିବ । ଏଥିପାଇଁ ସମସ୍ତ ଆଦିବାସୀମାନେ ଏକତା ହୋଇ ବୃହତ ଆନ୍ଦୋଳନ କରିବାକୁ ହେବ । ନଚେତ ଆଦିବାସୀ ସମାଜର ବିଲୁପ୍ତ ହେବା ନିଶ୍ଚିତ ଅଟେ ବୋଲି କହିଛନ୍ତି । କାରଣ, ପ୍ରକୃତି ପୂଜକ ଆଦିବାସୀମାନଙ୍କର ସାର୍ନା ଧର୍ମ କୋଡ଼ ମାନ୍ୟତା, ଆଦିବାସୀମାନଙ୍କର ମାରାଂବୁରୁ ଈଶ୍ୱରକୁ ଜୈନମାନଙ୍କ କବଳରୁ ଫେରାଇ ଆଣିବା, ସାନ୍ତାଳୀ ଭାଷାକୁ ଝାଡ଼ଖଣ୍ଡର ପ୍ରଥମ ରାଜଭାଷା ମାନ୍ୟତା ଏବଂ ଓଡ଼ିଶାରେ ଦ୍ୱିତୀୟ ରାଜଭାଷା ମାନ୍ୟତା ପାଇଁ ସମସ୍ତ ଆଦିବାସୀ ନେତା-ମନ୍ତ୍ରୀମାନେ ଚୁପଚାପ୍ ମୂକ ଦର୍ଶକ ସାଜିଛନ୍ତି । ତେଣୁ ଅବିଳମ୍ବେ ଏକତା ହେବାକୁ ଅତିଥିମାନେ ଆହ୍ୱାନ ଦେଇଛନ୍ତି । ଉକ୍ତ ସଭାରେ ସାସାଂବେଡା ଗ୍ରାମର ବୁଧିଆ ହେମ୍ବ୍ରମ, ଡାକ୍ତର କିସ୍କୁ, ପାର୍ବତୀ ସୋରେନ, ଫୁଲମଣି କିସ୍କୁ ସହିତ ପ୍ରମୁଖ ଶତାଧିକ ସ୍ତ୍ରୀ ପୁରୁଷ ଉପସ୍ଥିତ ଥିଲେ ।