
ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦାଠାରେ ରାଷ୍ଟ୍ରୀୟ ନେତୃତ୍ୱ ୱାମନ ମେଶ୍ରାମ ସାହେବଙ୍କ ଆହ୍ୱାନ କ୍ରମେ ଧାରା ୧୯ (୧) ଅନ୍ତର୍ଗତ ପ୍ରଦତ୍ତ ଅଧିକାର ଅନୁଯାୟୀ ଭାରତୀୟ ଗଣତନ୍ତ୍ର, ସମ୍ବିଧାନ ଏବଂ ମୂଳନିବାସୀ ବହୁଜନ ସମାଜର ସମ୍ବିଧାନିକ ମୌଳିକ ଅଧିକାର ଗୁଡ଼ିକ ସୁରକ୍ଷିତ ଓ ସୁନିଶ୍ଚିତ କରିବା ନିମନ୍ତେ ଭାରତ ମୁକ୍ତି ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା, ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚା, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଏବଂ ରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ମୋର୍ଚ୍ଚା ପକ୍ଷରୁ ମିଳିତ ତତ୍ୱାବଧାନରେ ଜିଲ୍ଲା ସଂଯୋଜକ କାମେଶ୍ଵର ହେମ୍ବ୍ରମ, ସହ ସଂଯୋଜକ ଗିରିଶ ଚନ୍ଦ୍ର ମାର୍ଣ୍ଡି, ଭାରତୀୟ ବେରୋଜଗାର ମୋର୍ଚ୍ଚାର ଜିଲ୍ଲା ସଭାପତି ବୈଦ୍ୟନାଥ ସିଂ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଜିଲ୍ଲା ସଂଯୋଜିକା ଶାନ୍ତିଲତା ଚାତାର, ବହୁଜନ ମୁକ୍ତି ପାର୍ଟିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗାଚରଣ ସିଂହଙ୍କ ନେତୃତ୍ୱରେ ୩,୦୦୦ ରୁ ଅଧିକ ଆନ୍ଦୋଳନକାରୀଙ୍କ ଦ୍ୱାରା ‘ଭାରତ ବନ୍ଦ’ ଆନ୍ଦୋଳନ କରାଯାଇଛି । ସଂଗଠନ ପକ୍ଷରୁ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ଇଲେକ୍ଟ୍ରୋନିକ୍ସ ଭୋଟିଙ୍ଗ୍ ମେସିନ (ଇଭିଏମ) ଦ୍ୱାରା ଦେଶର ଜନତାଙ୍କ ଅଭିବ୍ୟକ୍ତିର ସ୍ୱତନ୍ତ୍ରତାକୁ ସମାପ୍ତ କରାଯାଉଛି, ଜନତା ଯାହାଙ୍କୁ ନିଜର ଜନପ୍ରତିନିଧି ଭାବରେ ସେମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସଂସଦ ଏବଂ ବିଧାନସଭାକୁ ନିର୍ବାଚିତ କରି ପଠାଇବାକୁ ଚାହୁଁଛନ୍ତି ଇଭିଏମରେ ଭ୍ରଷ୍ଟାଚାର ଯୋଗୁଁ ବାସ୍ତବିକ ପ୍ରତିନିଧି ନିର୍ବାଚିତ ନ ହୋଇ ସମ୍ବିଧାନ ବିରୋଧୀ ଅପରାଧିକ ପ୍ରବୃତ୍ତିର ଲୋକ ନିର୍ବାଚିତ ହୋଇ ଆସୁଛନ୍ତି, ପରିଣାମ ସ୍ୱରୂପ ଜନସାଧାରଣଙ୍କ ମୌଳିକ ଅଧିକାର ବିରୋଧରେ ଆଇନ ପ୍ରଣୟନ କରାଯାଉ ଅଛି, ଦୈନନ୍ଦିନ ଦେଶରେ ବଳାତ୍କାର, ହତ୍ୟାକାଣ୍ଡ, ଚୋରୀ, ବିଶୃଙ୍ଖଳା ଭଳି ଗମ୍ଭୀର ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି, ମାନବାଧିକାରକୁ କ୍ଷୁର୍ଣ୍ଣ କରାଯାଉ ଅଛି, ଦେଶବ୍ୟାପୀ ଅଶାନ୍ତି ଦିନକୁ ଦିନ ବଢ଼ିଚାଲିଛି । ଏଣୁ ଇଭିଏମକୁ ବିରୋଧ କରି ବାଲାଟ ପେପର ସମର୍ଥନରେ, ଓବିସିଙ୍କର ଜାତିଭିତ୍ତିକ ଜନଗଣନା ସହିତ ସମସ୍ତଙ୍କର ଜାତି ଆଧାରିତ ଜନଗଣନା କରି ସମସ୍ତ କ୍ଷେତ୍ରରେ ସଂଖ୍ୟାନୁପାତିକ ସଂରକ୍ଷଣ ଦାବିରେ, ଆରଏସଏସ- ବିଜେପି ଦ୍ୱାରା ମୂଳନିବାସୀ ବହୁଜନ ସମାଜର ମହାପୁରୁଷଙ୍କୁ ବାରମ୍ବାର ଅପମାନିତ କରିବା ବିରୁଦ୍ଧରେ, ମହାବୋଧି ମହାବିହାର ବୌଦ୍ଧଗୟା ଟେମ୍ପଲ ଆକ୍ଟ ୧୯୪୯ ବିରୋଧରେ, ଅସାମ୍ବିଧାନିକ ୱାକଫ୍ (ଡଇଛୠ) ସଂଶୋଧନ ବିଧେୟକ ୨୦୨୫ ପ୍ରତ୍ୟାହାର ଦାବିରେ, ଧାରା ୨୪୪ (୧) ଅନ୍ତର୍ଗତ ପଞ୍ଚମ ଅନୁସୂଚୀରେ ଆଦିବାସୀଙ୍କ ନିମନ୍ତେ ସ୍ଵତନ୍ତ୍ର ଭାବରେ ପ୍ରାବଧାନ ଥିବା ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ଅମଳ ନ କରି ଜଳ, ଜଙ୍ଗଲ ଓ ଜମିରୁ ସେମାନଙ୍କୁ ବିକାଶ ଏବଂ ଜଙ୍ଗଲ ସଂରକ୍ଷଣ ନାମରେ ବିସ୍ଥାପିତ କରିବା ପ୍ରତିବାଦରେ, ମୂଳନିବାସୀ ଖ୍ରୀଷ୍ଟିୟାନଙ୍କ ପ୍ରତି ଦେଶବ୍ୟାପୀ ହେଉଥିବା ଧାର୍ମିକ ଭେଦଭାବ, ପ୍ରତାଡନା ଏବଂ ଅମାନବିକ ଅତ୍ୟାଚାର ବିରୁଦ୍ଧରେ, ରାଜ୍ୟର ୩୮.୭୫ ପ୍ରତିଶତ ଏସସି/ଏସଟିକୁ ବର୍ତ୍ତମାନର ଓଡ଼ିଶା ସରକାର ବୈଷୟିକ ଶିକ୍ଷା କ୍ଷେତ୍ରରେ ମାତ୍ର ୨୦ ପ୍ରତିଶତ ସଂରକ୍ଷଣ ଦେବା ନିଷ୍ପତ୍ତି ବିରୋଧରେ ତଥା ୫୪ ପ୍ରତିଶତ ଓବିସିଙ୍କୁ ଶିକ୍ଷା ଏବଂ ରୋଜଗାର କ୍ଷେତ୍ରରେ ଏସଇବିସି ନାମରେ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବା ବିରୁଦ୍ଧରେ, ସହରାଞ୍ଚଳରେ ବସବାସ କରି ରହୁଥିବା ଭୂମିହୀନ ପରିବାରଙ୍କୁ ଉପଯୁକ୍ତ ବାସଗୃହ ଓ ଜମିପଟ୍ଟା ନ ଯୋଗାଇ ନିର୍ଦୟ ଭାବରେ ବାସଚ୍ୟୁତ କରିବା ବିରୁଦ୍ଧରେ, ସରକାରୀ ସଂସ୍ଥା ଗୁଡ଼ିକର ବ୍ୟାପକ ପରିମାଣରେ ଘରୋଇକରଣ କରିବା ଆଇନକୁ ରଦ୍ଦ କରି ସ୍ଥାୟୀ ନିଯୁକ୍ତି ସୁନିଶ୍ଚିତ କରିବା ଦାବିରେ, ମାଲକାନଗିରି, କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ଖ୍ରୀଷ୍ଟିୟାନଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର କରିଥିବା ଅପରାଧିମାନଙ୍କୁ ଗିରଫ କରିବା ସହିତ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଏବଂ ଆମ ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଞ୍ଚଳର ଅଧିବାସୀଙ୍କୁ ସେମାନଙ୍କ ଜଳ, ଜଙ୍ଗଲ ଓ ଜମିରୁ ବିସ୍ଥାପନ କରାଯିବା ପ୍ରତିବାଦରେ ଏହି ଭାରତ ଆନ୍ଦୋଳନ କରାଯାଇଛି । ଉପରୋକ୍ତ ରାଷ୍ଟ୍ରୀୟ, ରାଜ୍ୟ ଜିଲ୍ଲା ଏବଂ ଆଞ୍ଚଳିକ ସ୍ତରର ସମସ୍ତ ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦେଶରେ ଶାନ୍ତି ଓ ନ୍ୟାୟ ପ୍ରସ୍ଥାପିତ କରିବା ପାଇଁ ସରକାର ଏବଂ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଆହୁରି ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।