ବରଗଡ଼ରେ ପୂର୍ଣ୍ଣାଙ୍ଗ ସିଏଚସି କେବେ ହେବ ସ୍ୱାସ୍ଥ୍ୟ ମନ୍ତ୍ରୀ ଜନସାଧାରଣଙ୍କୁ ଜବାବ ଦିଅନ୍ତୁ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ପୁରୁଣା ହସ୍ପିଟାଲ ସ୍ଥାନାନ୍ତରିତ ହେବାର ଗୋଟିଏ ବର୍ଷ ଫେବୃଆରୀ ୧ରେ ପୂରଣ ହେବ କିନ୍ତୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂର୍ଣ୍ଣାଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଏପର୍ଯ୍ୟନ୍ତ ହୋଇନାହିଁ ବୋଲି ଆମ୍‌ଆଦମୀ ପାର୍ଟି ଅଭିଯୋଗ କରିଛି । ଅନ୍ୟ ପଟେ ୭୨ତମ ଗଣତନ୍ତ୍ର ଦିବସ ସମାରୋହରେ ଅତିଥି ହେବା ପାଇଁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ ଆସୁଥିବାରୁ, ବରଗଡବାସୀଙ୍କ ସମ୍ମୁଖରେ ଉତ୍ତର ରଖନ୍ତୁ ଓ କେତେ ଦିନ ମଧ୍ୟରେ ଡାକ୍ତର, ନର୍ସ, ଷ୍ଟାଫ ଦିଆଯିବ ବୋଲି ଆପ୍ ଆବାହକ ଭବାନୀ ସାହୁ ପ୍ରଶ୍ନ କରିଛନ୍ତି । ବର୍ତ୍ତମାନର ପରିସ୍ଥିତିରେ ବରଗଡରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥିବା ବେଳେ ପୁରୁଣା ଡିଏଚଏଚ କେବଳ ରେଫେରାଲ ସେଣ୍ଟର ହୋଇଥିବାରୁ ରୋଗୀମାନେ ବୁର୍ଲା ଯାଇ ନ ପାରି ହଇରାଣ ହେଉଛନ୍ତି । ସିଏଚସିର ନିୟମ ଅନୁଯାୟୀ ୪ ଜଣ ବିଶେଷଜ୍ଞ ଡାକ୍ତର, ୬ଜଣ ଏମବିବିଏସ୍ ଡାକ୍ତର ରହିବା କଥା କିନ୍ତୁ ୧ଲକ୍ଷ ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଅଳ୍ପକିଛି ଡାକ୍ତରରେ ଚାଲିଛି ସ୍ୱାସ୍ଥ୍ୟ ସେବା ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ।

Leave A Reply

Your email address will not be published.