centurian jitm

ଜୋଙ୍କ ପୁଲିସର ଅପରେସନ ‘ଶୁଦ୍ଧି’ : ୨୮କେଜି ଗଞ୍ଜେଇ ଜବତ, ୯ ଅଭିଯୁକ୍ତ ଗିରଫ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପୁଲିସକୁ ଅପରେସନ ଶୁଦ୍ଧିରେ ସଫଳତା ମିଳିଛି । ଆଜି ଜୋଙ୍କ ପୁଲିସ ୨୮କେ.ଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ରାଜସ୍ଥାନର ୬ଜଣ ସମେତ ୯ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଜି.ଆର୍‌. ରାଘବେନ୍ଦ୍ର ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟାରେ ଖରିଆରରୋଡ଼ ସହର ମୋଙ୍ଗରାପାଲି ରେଲୱେ ଓଭରବ୍ରିଜ ନିକଟରେ ଗଞ୍ଜେଇ ଡିଲ ହେବାକୁ ଥିଲା । ଏନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଆଇଆଇସି ପ୍ରଦୀପ ଧରୁଆଙ୍କ ତତ୍ତ୍ଵାବଧାନରେ ଅତିରିକ୍ତ ଆଇଆଇସି ରଂଜନ ନାଏକଙ୍କ ନେତୃତ୍ଵରେ ଏସ୍‌ଆଇ ସୀତାକାନ୍ତ ଖମାରୀ, ଏଏସ୍‌ଆଇ ପ୍ରଭାତ ପଣ୍ଡାଙ୍କୁ ନେଇ ଗଠିତ ଟିମ୍‌ ଚଢାଉ କରିଥିଲେ । ସେଠାରେ ୨୮ କେଜି ୩୭୫ ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଏହି ଘଟଣାରେ ରାଜସ୍ଥାନ ରାଜ୍ୟ ନାଗୁର ଜିଲ୍ଲା ମେଗରୋଡ଼ ଥାନା ଜୋରାଗରାପୁର ଗାଁର ରଘୁବୀର ସିଂ (୨୯), ମୈଦନ ଗାଁର ଅନିଶ ଖାନ (୨୦), ମେଗରୋଡ଼ ଗାଁର ଜୀବରାଜ ସିଂ (୨୨), ସିକର ଜିଲ୍ଲା ଖଣ୍ଡେଲା ଥାନା ଗୋରିୟନ ଗାଁର ଶକ୍ତିସିଂ ଶେଖାୟତ (୨୫), ଜୟପୁର ଜିଲ୍ଲା ସାମ୍‌ର ଥାନା ସାମ୍ବର ଗାଁର ଜୀତେନ୍ଦ୍ର ଅଟଲ (୨୪), କାଲୱଡ଼ ଥାନା ହାତୋଜ ଗାଁର ସଂଜୟ ସୋନି(୩୧), ନୂଆପଡ଼ା ଜିଲ୍ଲା କୋମନା ଥାନା ଜେଠୁପାଲି ଗାଁର ବିଦୁର ଦୁରିଆ(୨୯), ଜୋଙ୍କ ଥାନା ଖରିଆର ରୋଡ଼ ସହର ୱାର୍ଡ ନଂ ୧୭ ମୋଙ୍ଗରାପାଲିର ରାଜୁ ସାହୁ (୩୫) ଓ ରେଖ ରାମ ସାହୁ ଓରଫ ମୁନ୍ନା (୫୫)ଙ୍କୁ ଗିରଫ କରିଥିଲେ । ନୂଆପଡ଼ା ଜିଲ୍ଲାରୁ ରାୟପୁର ଦେଇ ରାଜସ୍ଥାନକୁ ଅଭିଯୁକ୍ତମାନେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ । କୋମନା ଥାନା ଜେଠୁପାଲି ଗାଁର ବିଦୁର ଗଞ୍ଜେଇ ନେଇ ଖରିଆର ରୋଡ଼ ସହରକୁ ଆସିଥିଲେ । ଖରିଆର ରୋଡ଼ ସହର ମୋଙ୍ଗରାପାଲିର ରାଜୁ ଓ ମୁନ୍ନା ମଧ୍ୟସ୍ଥି ସାଜିଥିଲେ । ଏମାନଙ୍କ ଜରିଆରେ ରାଜ୍ୟ ବାହାରକୁ ଚାଲାଣ କରିବାକୁ ଯୋଜନା ହେଉଥିଲା । ସେଠି ବ୍ୟାଗ ବଦଳାଇ ଟ୍ରେନ ଯୋଗେ ଚାଲାଣ କରିବାକୁ ବ୍ଲୁପ୍ରିଣ୍ଟ ହୋଇଥିଲା । କିନ୍ତୁ ସଠିକ ସମୟରେ ପୁଲିସ ସବୁ ଯୋଜନାକୁ ପଣ୍ଡ କରିଛି । ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ରାଘବେନ୍ଦ୍ରଙ୍କ ସମେତ ଅତିରିକ୍ତ ଏସ୍‌ପି ରଂଜିତ ନାଏକ, ଜୋଙ୍କ ଆଇଆଇସି ଶ୍ରୀ ଧରୁଆ ଉପସ୍ଥିତ ଥିଲେ । ଅପରାହ୍ନରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.