
ବାସୁଦେବପୁର : ବାସୁଦେବପୁର ଥାନା ମନ୍ଦାରୀ ହାଟ ନିକଟରେ ନିଆଁ ଲାଗି ରବି ସେନାପତିଙ୍କ ଦୁଇ ବଖରା ଘର ଜଳି ପାଉଁଶ ହୋଇଯାଇଛି । ବୁଧବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସୂଚନାନୁଯାୟୀ, ବୁଧବାର ରାତିରେ ରବି ସେନାପତି ଅଟୋ ନେଇ ଭଡାରେ ଚାଲିଯାଇଥିଲେ । ଘରେ ତାଲା ପକାଇ ରବିଙ୍କ ସ୍ତ୍ରୀ ପାଖ ଘରେ ଶୋଇଥିଲେ । ତାଲା ପଡିଥିବା ଘର ମାଥାନୀରେ ନିଆଁ ଦାଉ ଦାଉ ଜଳୁଥିବା ଦେଖି ଗ୍ରାମବାସୀ ରବିଙ୍କ ସ୍ତ୍ରୀକୁ ଡାକ ପକାଇଥିଲେ । ଏନେଇ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ସବୁକିଛି ଜଳିପୋଡି ଛାରଖାର୍ ହୋଇଯାଇଥିଲା । ଅଗ୍ନି ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।