
ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲାର ଟପ୍ପର୍ ଛାତ୍ରୀ ଦ୍ୱୟଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ମାଟ୍ରିକ ପରୀକ୍ଷାରେ ନୂଆପଡା ଜିଲ୍ଲାରେ ଟପ୍ପର୍ ହୋଇଥିବା ଦୁଇଜଣ ଛାତ୍ରୀଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାଶ ସମ୍ବର୍ଦ୍ଧିତ କରିଛନ୍ତି । ପଞ୍ଚାୟତ ହାଇସ୍କୁଲ ମୁଣ୍ଡାପଡ଼ାର ଛାତ୍ରୀ ଶ୍ରେଷ୍ଠା ପଣ୍ଡା ୯୩.୧୭ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲାପାଳ ଏହି ହାଇସ୍କୁଲକୁ ଯାଇ କୁମାରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହିପରି ପରିଶ୍ରମ ଓ ଏକାଗ୍ରତା ଜାରି ରଖିଲେ ତୁମେ ମଧ୍ୟ ଦିନେ କଲେକ୍ଟର ହୋଇ ପାରିବ ବୋଲି ପ୍ରୋତ୍ସାହିତ କରିଥିଲେ । ଏହି ସମୟରେ କୋମନା ବିଡ଼ିଓ ବିନୟ କୁମାର ଭୋଇ, ସ୍କୁଲ ପ୍ରଧାନ ଶିକ୍ଷକ ପତିତ ପାବନ ସାହୁ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ମୁଣ୍ଡାପଲା ଭଳି ଏକ ଛୋଟ ଯାଗାର ସ୍କୁଲରୁ ଜିଲ୍ଲା ଟପ୍ପର୍ ବାହାରିଥିବାରୁ ଜିଲ୍ଲାପାଳ ସ୍କୁଲର ଉଚ୍ଚ ପ୍ରଶଂସା କରିଥିଲେ । ସେହିଭଳି ଜିଲ୍ଲାପାଳ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିନାପାଲିର ଛାତ୍ରୀ ଝରଣା ମେହେର ୯୧ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କ ଘରକୁ ଯାଇ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଝରଣାଙ୍କ ଏଇ ସଫଳତାରେ ଖୁସି ହୋଇ ଜିଲ୍ଲାପାଳ ଭବିଷ୍ୟତରେ ଜଣେ ଆଇଏଏସ୍ ଅଧିକାରୀ ହୋଇ ଦେଶମାତୃକା ଓ ଜନସାଧାରଣଙ୍କ ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସମୟରେ ସିନାପାଲି ବିଡ଼ିଓ କାର୍ମୀ ଓରାମ, ବିଇଓ ଯତୀନ୍ଦ୍ର କୁମାର ସେଠ୍, ସ୍କୁଲର ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ମାଟ୍ରିକ ବୋର୍ଡ ପରୀକ୍ଷାରେ ଜିଲ୍ଲାର ସଫଳତା ପାଇଁ ସମସ୍ତ କୃତୀ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି ।